ୱାଶିଂଟନ୍, ୨୧/୦୧ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କ କଥାରେ ଘଡ଼ିକେ ଘୋଡ଼ା ଛୁଟୁଛି । ତାଙ୍କର ଗୋଟିଏ ପରେ ଗୋଟିଏ ବୟାନ ସମସ୍ତଙ୍କୁ ଚକିତ କରୁଛି । ସବୁକିଛି ଉପରେ ଆମେରିକା କବ୍ଜା କରିବାକୁ ଟ୍ରମ୍ପ୍ ଙ୍କ ଇଚ୍ଛା ଦିନକୁ ଦିନ ବଢ଼ିଚାଲିଛି। ଭେନେଜୁଏଲା ନେତ୍ରୀ ମାରିୟା କୋରିନା ମଚାଡୋ ନିଜ ନୋବେଲ ଶାନ୍ତି ପୁରସ୍କାର ଟ୍ରମ୍ପ୍ ଙ୍କୁ ଉପହାର ଦେବା ପରେ ବି ତାଙ୍କ ଭୋକ ମେଣ୍ଟିନି । ଗତ ୨୪ ଘଣ୍ଟାରେ ଟ୍ରମ୍ପ୍ ଙ୍କ ଏକାଧିକ ବୟାନକୁ ନେଇ ତାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଦ୍ୱନ୍ଦ୍ୱ ଦେଖାଦେଇଛି । ଆମେରିକାର ସହଯୋଗୀ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟ୍ରମ୍ପ୍ ନାଲି ଆଖି ଦେଖାଇ ସେମାନଙ୍କୁ ନିଜ କଥା ମାନିବାକୁ ବାଧ୍ୟ କରୁଛନ୍ତି । ସଦ୍ୟ ଘଟଣା କ୍ରମେ ଟ୍ରମ୍ପ୍ ଫ୍ରାନ୍ସ ଏବଂ ବ୍ରିଟେନକୁ ଖୋଲା ଖୋଲି ଧମକ ଦେଇଛନ୍ତି । ଡିଏଗୋ ଗାର୍ସିଆ ଦ୍ୱୀପକୁ ନେଇ ଟ୍ରମ୍ପ୍ ବ୍ରିଟେନ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ବ୍ରିଟେନ ଏହି ଦ୍ୱୀପକୁ ମରିସସ୍ କୁ ଦେବାକୁ ଯୋଜନା କରୁଛି। କିନ୍ତୁ ସେଠାରେ ଆମେରିକାର ବେଶ୍ ଗୁରୁତ୍ୱପୂର୍ଣ୍ଣ ସେନା ଘାଟି ରହିଛି । ବିନା କୌଣସି ଠୋସ୍ କାରଣରେ ଏହି ଦ୍ୱୀପକୁ ମରିସସ୍ କୁ ଦେଇଦେବା ନିଷ୍ପତ୍ତି ଭୁଲ୍ ଏବଂ ବୋକାମୀ ବୋଲି ଟ୍ରମ୍ପ୍ କହିଛନ୍ତି।
ଟ୍ରୁଥ ସୋସିଆଲରେ ଟ୍ରମ୍ପ୍ ଏକ ପୋଷ୍ଟ କରି କହିଛନ୍ତି, ‘ଆଶ୍ଚର୍ଯ୍ୟର କଥା ଯେ ଆମ ବଡ଼ ନାଟୋ ସହଯୋଗୀ ବ୍ରିଟେନ ଏବେ ଡିଏଗୋ ଗାର୍ସିଆ ଦ୍ୱୀପକୁ ମରିସସ୍କୁ ଦେବାକୁ ଯୋଜନା କରୁଛି । ବିନା କାରଣରରେ ବ୍ରିଟେନ ଏହି ନିଷ୍ପତ୍ତି ନେଇଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଚୀନ୍ ଏବଂ ରୁଷ୍ ଏହି ଦୁର୍ବଳତାକୁ ଭଲ ଭାବେ ମାପିନେଇଛନ୍ତି ।’
ଡିଏଗୋ ଗାର୍ସିଆ ପ୍ରଶାନ୍ତ ମହାସାଗରରେ ଥିବା ଚାଗୋସ୍ ଦ୍ୱୀପପୁଞ୍ଜର ଅଂଶ । ବ୍ରିଟେନ ୧୮୧୪ରେ ନେପୋଲିୟନଙ୍କୁ ହରାଇ ଚାଗୋସ୍ ଦ୍ୱୀପପୁଞ୍ଜକୁ କବ୍ଜା କରିଥିଲା । ୧୯୬୫ରେ ତାହାକୁ ମରିସସ୍ ରୁ ଅଲଗା କରି ‘ବ୍ରିଟିଶ୍ ଭାରତ ମହାସାଗର କ୍ଷେତ୍ର’ ବନାଇଥିଲା । ୧୯୬୮ରେ ମରିସସ୍ କୁ ସ୍ୱାଧୀନତା ମିଳିଥିଲା । ସେତେବେଳେ ସ୍ଥିର ହୋଇଥିଲା ଯେ ଏହି ଦ୍ୱୀପପୁଞ୍ଜର ଆବଶ୍ୟକତା ନ ରହିଲେ ତାହାକୁ ମରିସସ୍ କୁ ଫେରାଇ ଦିଆଯିବ । ପରେ ଡିଏଗୋ ଗାର୍ସିଆରେ ଆମେରିକା ଏବଂ ବ୍ରିଟେନ ମିଳିତ ସାମରିକ ଘାଟି ବନାଇଥିଲେ। ମରିସସ୍ ୫୦ ବର୍ଷ ଧରି ଏହି ଦ୍ୱୀପପୁଞ୍ଜରେ ନିଜ ଅଧିକାର ମାଗିଆସୁଛି।
ଅନ୍ୟପକ୍ଷରେ ଟ୍ରମ୍ପ୍ ନୋବେଲ ଶାନ୍ତି ପୁରସ୍କାର ନ ମିଳିବାକୁ ନେଇ ନରୱେ ଉପରେ ଅସନ୍ତୋଷ ଝାଡ଼ିଥିଲେ। ନରୱେ ତାଙ୍କୁ ନୋବେଲ ନ ଦେଇ ଠିକ୍ କରି ନ ଥିବା ଟ୍ରମ୍ପ୍ କହିଥିଲେ । ତେବେ ସରକାର ନୁହଁନ୍ତି ବରଂ ନୋବେଲ କମିଟି ହିଁ ନୋବେଲ ବିଜେତାଙ୍କୁ ବାଛିଥାଏ ବୋଲି ନରୱେ କହିଛି । ନରୱେ ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପ୍ ଲେଖିଥିବା ଚିଠି ଲିକ୍ ହେବା ପରେ ଏଥିରେ ଲେଖାଥିବା ସବୁ କଥା ପ୍ରଘଟ ହୋଇଥିଲା । ଏଥିସହ ଟ୍ରମ୍ପ୍ ଗ୍ରୀନଲାଣ୍ଡ, କାନାଡା, ଭେନେଜୁଏଲାକୁ ଆମେରିକା ମାନଚିତ୍ରରେ ଦେଖାଇ ବିବାଦ ବଢ଼ାଇଛନ୍ତି।
ଏହି ଖବରଟିକୁ ପଢନ୍ତୁୃ- ମୋତେ ନୋବେଲ ପୁରସ୍କାରର ଚିନ୍ତା ନାହିଁ , ନରୱେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟର୍ଣ୍ଣ