ନୂଆଦିଲ୍ଲୀ,୭।୯: ପହଲଗାମ୍ ନରସଂହାର ପରେ ଭାରତର ଏୟାର ଷ୍ଟ୍ରାଇକ୍ ‘ଅପରେସନ୍ ସିନ୍ଦୂର’ ପରେ ପାକିସ୍ତାନର ମୁରିଦକେ ସ୍ଥିତ ଲସ୍କର-ଇ-ତେଇବାର କୁଖ୍ୟାତ ହେଡକ୍ବାଟର ମରକଜ ତୋଏବା ସମ୍ପୂର୍ଣ୍ଣ ଭାବରେ ଭଗ୍ନାଂବଶେଷ ପାଲଟିଛି। ୭ ମଇ ରାତିରେ ଭାରତୀୟ ଏୟାରଫୋର୍ସ ଏହି ପରିସରକୁ ଟାର୍ଗେଟ କରିଥିଲା। ଏବେ ଷ୍ଟ୍ରାଇକରେ ଧ୍ବଂସ ହୋଇଥିବା ବିଲ୍ଡିଂକୁ ଲସ୍କର ନିଜେ ଜେସିବି ମେସିନ ଲଗାଇ ଭାଙ୍ଗି ଦେଛି। ଏବେ ସଂଗଠନର ନଜର ପୁନଃ ନିର୍ମାଣ ଉପରେ ରହିଛି ଓ ଏହାର ଯୋଜନା ଯେ. ଆଗାମୀ ବର୍ଷ ୫ ଫେବୃଆରୀ ପର୍ଯ୍ୟନ୍ତ ଏହି ସ୍ଥାନରେ ଏକ ନୂଆ ବିଲ୍ଡିଂ ତିଆରି ହୋଇଯିବ।
ପାକିସ୍ତାନ ସମୟ ଅନୁସାରେ, ୭ ମଇ ରାତି ୧୨ଟା ୩୫ ମିନିଟ୍ରେ ଭାରତୀୟ ଏୟାରଫୋର୍ସ ମୁରିଦକେ ସ୍ଥିତ ମରକଜ ତଏବା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହା ହେଉଛି ସେହି ସ୍ଥାନ ଯେଉଁଠି ୨୫ ବର୍ଷ ହେବ ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯାଉଥିଲା।ରହିବା ଓ ହତିଆର ରଖିବାର ମଧ୍ୟ ବ୍ୟବସ୍ଥା ଥିଲା। ଷ୍ଟ୍ରାଇକ୍ରେ ଲାଲ୍ ରଙ୍ଗର ଦୁଇ ମହଲା ବିଲ୍ଡିଂ ଓ ହଳଦିଆ ବିଲ୍ଡିଂ ଇମାରତ ‘ଉମ୍-ଉଲ-କୁରା’ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଏହି ବିଲ୍ଡିଂରେ ଲସ୍କରର ଟପ୍ କମାଣ୍ଡରଙ୍କ ଅଫିସ ଓ ଆତଙ୍କୀ ରହିବା ପାଇଁ ରୁମ୍ ଥିଲା।
ଭାରତର ଏୟାରଷ୍ଟ୍ରାଇକ୍ ପରେ ମରକଜର ତଇବାର ପ୍ରାୟ ୭୦ ପ୍ରତିଶତ ଅଂଶ ଥିଲା। ପାକିସ୍ତାନ ସରକାର ଘୋଷଣା କରିଥିଲେ କ୍ଷତିଗ୍ରସ୍ତ ବିଲ୍ଡିଂର ପୁନଃ ନିର୍ମାଣ ଲସ୍କର ନିଜ ଖର୍ଚ୍ଚରେ କରିବ। ଏହି କାରଣରୁ ୧୮ ଅଗଷ୍ଟରେ ଲସ୍କର ନିଜେ ଜେସିବି ଦ୍ବାରା ଭାଙ୍ଗିବା ଆରମ୍ଭ କରିଥିଲା। ଏହାର ଭିଡିଓ ଏବେ ଦେଖିବାକୁ ମିଳିଛି। ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି ଯେ, ୧.୦୯ ଏକରର ମରକଜ ଏବେ ସମ୍ପୂର୍ଣ୍ଣ ଭାବରେ ମାଟିରେ ମିଶି ସାରିଛି।