ବୟଃସନ୍ଧି ପରେ ୪୦ ପରବର୍ତ୍ତୀ ଜୀବନର ବି ଗୋଟିଏ ନାଁ ରହିବା ଦରକାର, ବିଶେଷକରି ଝିଅମାନଙ୍କ ଜୀବନରେ । କହିବା ପଛର କାରଣ ହେଉଛି, ୪୦ ଟପିସାରିଥିବା ଝିଅମାନଙ୍କୁ କେଉଁଭଳି ନାମରେ ସମ୍ବୋଧନ କରାଯିବ ସେଥିନେଇ ବେଶ୍ ଦ୍ୱିଧା ଥାଏ । ଯଦିଓ ପୁଅମାନଙ୍କ କ୍ଷେତ୍ରରେ ବୟସର ନାମକରଣ ନେଇ ବିଶେଷ ଦ୍ୱିଧା କି ଦ୍ୱନ୍ଦ୍ୱ ନଥାଏ । ୪୦ ଛୁଇଁଲା ପରେ ପ୍ରୌଢ଼ା ନୁହେଁ, ପୁଣି ନିଜକୁ ଯୁବତୀ ବୋଲି କହିବାକୁ ଓ ଭାବିବାକୁ ମନ ମାନିନଥାଏ । ସମାଜ ବି ସୀମାରେଖା ଟାଣିଦେଇଛି ନା! ୪୦ ଟପିସାରିଥିବା ଝିଅମାନଙ୍କ ପାଇଁ ଭଳିକି ଭଳି ଶବ୍ଦ ଆପେଆପେ ପାଟିରୁ ବାହାରିଆସେ । ଏହି ଝିଅମାନଙ୍କ ମଧ୍ୟରୁ ଅନେକେ ହୁଏତ ୧୫/୨୦ ବର୍ଷ ଧରି ଘରସଂସାର କରିଆସୁଥିବେ । ଗୋଟିଏ ବା ଦୁଇଟି ସନ୍ତାନର ମା’ ହୋଇସାରିଲା ପରେ ବି ମନ ଭିତରର କିଶୋରୀଟି କେଉଁଠି ନା କେଉଁଠି ରହିଯାଇଥାଏ । ସେହି ମନ ଭିତରର କିଶୋରୀଟିକୁ ଅବଦମନ କରିବାର କ୍ଳାନ୍ତିକର ଚେଷ୍ଟା ଅହରହ ଚାଲିଥାଏ । କାରଣ ଆଖପାଖର ପରିବେଶ ଓ ପାରିପାର୍ଶ୍ଵିକ ପରିସ୍ଥିତି ପାଖରେ ଯୁବତୀସୁଲଭ ଆଚରଣ ନିହାତି ହାସ୍ୟାସ୍ପଦ ମନେହୁଏ । ଆଉ କାହାକୁ ମନେହେଉ ଅବା ନହେଉ । ୪୦ ଟପିସାରିଥିବା ଅନେକ ଝିଅଙ୍କୁ ଏମିତି ମନେହୁଏ । ଏ ବୟସରେ ଏତେ କ’ଣ ପଛକୁ ଫେରି ଦେଖିବାର ଇଚ୍ଛା ଯେ?
ଯାହା ପାଇବାର ଥିଲା, ଆଉ ଯାହା ମିଳିନି- ମନଟା ସେହି ହିସାବ କରିବାକୁ ବସିଯାଏ ମନ ନଚାହିଁବା ସତ୍ତ୍ଵେ । କେତେ ବା ଆଉ ବ୍ୟସ୍ତ ରହିହୁଏ, ସଂସାର, ରୋଷେଇ କିମ୍ବା ଅଫିସ୍ ନେଇ? ଦିନ ଶେଷରେ ନପାଇବାର ଅନ୍ତର୍ବେଦନାଗୁଡ଼ିକ ସତେଯେମିତି ମନକୁ ଆକ୍ତାମାକ୍ତା କରୁଥାଏ । ୪୦ ଟପିଲା ପରେ କ’ଣ ଇଚ୍ଛାଗୁଡ଼ିକୁ ମାରିଦେବାକୁ ହେବ ଝିଅମାନଙ୍କୁ । କାହିଁକି ଦିନ ଶେଷରେ ମନେହୁଏ କେହି ତ ପାଖରେ ଥାଉ, କେହି ତ ଶୁଣୁମନର ସବୁକଥା, କୌଣସି ପ୍ରତିକ୍ରିୟା ନଦେଇ । ନିଜ ଘରସଂସାର, କର୍ମମୟ ଜୀବନ ସବୁକିଛି ବୁଝୁବୁଝୁ ବେଳେବେଳେ ଲାଗେ ବନ୍ଧୁହୀନ ହୋଇଯାଉଛି କି ଜୀବନ! କାରଣ ସମସ୍ତେ ଯିଏ ଯାହା ଜୀବନରେ ବ୍ୟସ୍ତ । ମନ କଥା ଶୁଣିବାକୁ ଏବେ କାହା ପାଖରେ ସମୟ ଅଛି ଯେ! ଏମିତି ଅଭିମାନ ଟିକିଏ ଟିକିଏ କରି ଗ୍ରାସ କରିନିଏ ୪୦ ଟପିସାରିଥିବା ଅନେକ ଝିଅଙ୍କ ମନକୁ । ଏକଥା କୁହନ୍ତି ଆମ ଦେଶର ଅନେକ ମନୋବିତ୍ । ହଁ, ଆଉ ଗୋଟିଏ କଥା । ୪୦ ପାର କରିଥିବା ବେଶ୍ କିଛି ଝିଅ ଗୋଟିଏ କଠିନ ମାନସିକ ରୋଗ ଭୋଗନ୍ତି । ଜାଣନ୍ତି କ’ଣ? ନଷ୍ଟାଲ୍ଜିଆ ବା ସ୍ମୃତିମେଦୁରତା । କାରଣ, ଅକାରଣରେ କେବଳ ପୁରୁଣା ଦିନର କଥାସବୁ ମନେପଡ଼େ । ପୁରୁଣା କ୍ଷତଗୁଡ଼ିକ ବି ତାଜା ହୋଇଉଠେ ବେଳେବେଳେ । ପୁଣି ମନେପଡ଼ିଯାଏ ପଛରେ ଛାଡ଼ି ଆସିଥିବା ଶୈଶବ, ତାରୁଣ୍ୟର ଚଞ୍ଚଳ ମନ, ସ୍କୁଲ, କଲେଜ୍, ୟୁନିଭର୍ସିଟିର ସୁନେଲି ଦିନଗୁଡି଼କ । ଭଲପାଇବା, ବନ୍ଧୁତ୍ୱ, ରାଗ, ଅଭିମାନ ଆଉ ଅସରନ୍ତି ଗପର ପେଡ଼ି । ଫାଙ୍କା ସମୟରେ ଅତୀତର ଏହି ସ୍ମୃତିଗୁଡି଼କ ଅଚାନକ ମନକୁ କବ୍ଜା କରିନିଏ । ଏକ ଅଜଣା କୋହ କଣ୍ଠରୁଦ୍ଧ କରିଦେଲା ଭଳି ଲାଗେ । କିନ୍ତୁ ଆଖିରୁ ଲୁହ ବାହାରି ପାରେନି । ହେ! କିଏ ଦେଖିବ । ପଚାରିଦେବ କାନ୍ଦୁଛ କାହିଁକି? ଉତ୍ତର ଦେବାକୁ ଶବ୍ଦ ମିଳୁନଥିବ । ହଁ, ଚିକିତ୍ସା ବିଜ୍ଞାନର ପରିଭାଷାରେ ଏସବୁ ସ୍ୱାଭାବିକ, ହରମୋନ୍ର ଖେଳ । ହେଲେ ବୁଝୁଛି କିଏ ଯେ?
ଦିନ ଶେଷରେ ଦର୍ପଣ ଆଗରେ ଛିଡ଼ା ହେଲେ ଆଖି ତଳର କଳା ଦାଗ, ଶୁଷ୍କ ତ୍ୱଚା, ବୟସ ରେଖା, କେତୋଟି ପକ୍ୱ କେଶ ଆହୁରି ଅଧିକ ଆଖିରେ ପଡ଼େ । ନିଜ ଆଖିରେ ନିଜକୁ ହିଁ ଅଚିହ୍ନା ମନେହୁଏ । ଖୁବ୍ ଇଚ୍ଛା ହୁଏ କିଛି ବର୍ଷ ତଳର ସେହି ଚେହେରା ପୁଣି ଥରେ ଫେରିଆସନ୍ତା କି! ହେଲେ ନା । ଅବାସ୍ତବ ଜାଣି ସୁଦ୍ଧା ଅନ୍ତଦ୍ୱର୍ନ୍ଦ୍ୱରେ ଗୋଳେଇ ଘାଣ୍ଟି ହେଉଥାଏ ମନ । ବିଷଣ୍ଣତା ଲୁଚାଇବା ପାଇଁ ନୂଆ ସାଜସଜ୍ଜାର ଆଶ୍ରୟ ନେବାକୁ ମନ ଛଟପଟ କରେ । ଜୀବନର ଅର୍ଦ୍ଧେକ ପାର୍ କରିସାରିବା ପରେ ମନ କହେ ଆଉ ନୁହେଁ, ବହୁତ ହୋଇଗଲା ସମସ୍ତଙ୍କ କଥା ଶୁଣିବା । କିନ୍ତୁ କିଏ ଅଛନ୍ତି ଯେ ଯାହା ପାଖରେ ମନକଥା ଅନର୍ଗଳ କହିହେବ- ନିଃସଙ୍କୋଚରେ, ନିଦ୍ୱର୍ନ୍ଦ୍ୱରେ । ଯିଏ ଅଧିକାରବୋଧ ସାବ୍ୟସ୍ତ କରୁନଥିବ, ବରଂ ଚୁପ୍ଚାପ୍ ଶୁଣୁଥିବ ଅବ୍ୟକ୍ତ ରହିଯାଇଥିବା ଶବ୍ଦଗୁଚ୍ଛ । ୪୦ ଟପିଲା ପରେ ପୁଣିଥରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଇଚ୍ଛା କରନ୍ତି କିଛି ଝିଅ । କିନ୍ତୁ ନା । ଏ ଇଚ୍ଛା ବି ସମାଧି ନିଏ ନିଃଶବ୍ଦରେ । କିଏ କ’ଣ କହିବ, କିଏ କ’ଣ ଭାବିବ ବୋଲି ବର୍ଷ ବର୍ଷ ଧରି ରହିଆସିଥିବା ସମାଜିକ ଭୟ ସେହି ଇଚ୍ଛାକୁ ମାରିଦିଏ ।
୪୦ ଅତିକ୍ରମ କରିସାରିଥିବା ଆଉ କିଛି ଝିଅ ଏକାକୀତ୍ୱ ଭୋଗୁଥିଲେ ବି ବେଳେବେଳେ ନିଜେ ଖୁବ୍ ଏକା ରହିବାକୁ ଇଚ୍ଛା କରନ୍ତି । ନିଜ ଭଳି, ନିଜ ପାଇଁ ବଞ୍ଚିବାର ଇଚ୍ଛା ସେମାନଙ୍କ ମନକୁ ଅସ୍ତବ୍ୟସ୍ତ କରିଦିଏ । ପରମୁହୂର୍ତ୍ତରେ ସନ୍ତାନ ପାଇଁ ମନ ବିକଳ ହୁଏ । କାରଣ ମା’ମାନେ ଖୁବ୍ ଭୟ ପାଆନ୍ତି ମୃତ୍ୟୁକୁ । ଶତ ଶତ ଅଭିମାନ ସତ୍ତ୍ଵେ ସେମାନେ ବଞ୍ଚିରହିବାକୁ ଚାହାଁନ୍ତି ସନ୍ତାନମାନଙ୍କ ପାଇଁ । ଅନ୍ତତଃ, ଯେତେଦିନ ସନ୍ତାନମାନଙ୍କ ଜୀବନରେ ସେମାନଙ୍କର ପ୍ରୟୋଜନ ଅଛି ସେତିକି ଦିନ । ଚିତ୍କାର କରି କାନ୍ଦିବାକୁ ଇଚ୍ଛା ହୁଏ । କିନ୍ତୁ ସେହି କାନ୍ଦ ଯେମିତି ଅନ୍ୟ କେହି ଶୁଣି ନପାରନ୍ତି, ସେମିତି ଜାଗା ଖୋଜୁ ଖୋଜୁ ମନେହୁଏ ଜୀବନ ପାର ହୋଇଯିବ । ସାରା ଦିନ ଅନର୍ଗଳ କଥା ହେଉଥିବା ଝିଅମାନେ ସମୟ ସହିତ ଚୁପ୍ ହୋଇଯିବା ଆପେ ଆପେ ଶିଖିଯାଆନ୍ତି । ପରିସ୍ଥିତି ସହିତ ସାଲିସ୍ କରି ବଞ୍ଚିବାର କଳା ଆଦରି ନିଅନ୍ତି । ସାମାନ୍ୟ କଥାରେ ଆଖିରୁ ଲୁହ ଝରାଉଥିବା ଝିଅମାନଙ୍କ ନିଃଶବ୍ଦ କାନ୍ଦ ଅତି ପାଖର କେହି ନହେଲେ, ବିଶେଷ କେହି ଅନୁଭବ କରିପାରନ୍ତି ନାହିଁ । ୪୦ ଟପିସାରିଥିବା ଅନେକ ଝିଅ ଜୀବନକୁ ବାଲାନ୍ସ କରୁ କରୁ ନିଜ କଥା ଭୁଲିଯାଆନ୍ତି । ଭୁଲିଯାଆନ୍ତି କ’ଣ କଲେ ନିଜକୁ ଭଲ ଲାଗିବ, ଭୁଲିଯାଆନ୍ତି ମନ ପ୍ରକୃତରେ କ’ଣ ଚାହେଁ । ହଁ, ଶରୀର ଓ ମନରେ ପରିବର୍ତ୍ତନ ଆଣନ୍ତି ଦୁଷ୍ଟ ହରମୋନ୍ । ୪୦ ଟପିସାରିଥିବା ଝିଅମାନେ ଯତ୍ନ ଚାହାଁନ୍ତି । ଯେତେ ଶରୀରର ନୁହେଁ, ସେତେ ଅଧିକ ମନର । ସେମାନେ ଚାହାଁନ୍ତି କେହି ସେମାନଙ୍କ ମନର ଯତ୍ନ ନିଅନ୍ତୁ...