ପୃଥିବୀ ରାଇଜ ରାଜା ହେବାକୁ ଚୀନର ମନ ଉଚ୍ଛନ୍ନ । କରୋନା  ଭୂତାଣୁ ଛାଡ଼ି ସାରା ବିଶ୍ୱରେ ତାଣ୍ଡବ ଲୀଳା ରଚିଥିବା ବେଜିଂ ଏବେ ଆତଙ୍କବାଦର ନୂଆ କୌଶଳ ଆପଣାଇଛି । କୃଷି ଆତଙ୍କବାଦକୁ ଅସ୍ତ୍ର କରି  ବିଶ୍ୱ ଖାଦ୍ୟ ଶୃଙ୍ଖଳକୁ ଧ୍ୱଂସ କରିବାର ଷଡ଼ଯନ୍ତ୍ର ପଦାକୁ ଆସିଛି।

ଶସ୍ୟ ଶ୍ୟାମଳା କ୍ଷେତ ପାଲଟିଯିବ କି ଯୁଦ୍ଧକ୍ଷେତ୍ର? ଯେଉଁଠି  ଏବେ ସୁନା ଫଳୁଛି, ସେଇଠି ବିଷ ଉତ୍ପାଦନ ହେବ? ସାରା  ବିଶ୍ୱକୁ ଏବେ ଘାରିଛି ଏ ଚିନ୍ତା । କରୋନା ପରି ଭୂତାଣୁକୁ ଛାଡ଼ି  ସାରା ପୃଥିବୀରେ ତାଣ୍ଡବ ରଚିଥିବା ଡ୍ରାଗନ୍‌ ଚୀନ୍‌ ଏବେ ‘ସୁପର  ପାୱାର’ ପାଲଟିବାକୁ ନୂଆ ଯୁଦ୍ଧର ପରିକଳ୍ପନା କରିଛି । ହାତରେ  ନ ମାରି ଭାତରେ ମାରିବାକୁ ଆରମ୍ଭ କରିଛି ବଡ଼ ଷଡ଼ଯନ୍ତ୍ର । ଯୁଦ୍ଧ  ଜିତିବାକୁ ଖାଦ୍ୟକୁ କରିଛି ମାଧ୍ୟମ । ବିଶ୍ୱ ସମ୍ରାଟ ହେବାକୁ ଚାଇନା  ରଚିଛି ଚକ୍ରବ୍ୟୂହ । ଫସଲ ଉତ୍ପାଦନ କରୁଥିବା କ୍ଷେତରେ ଜୈବିକ  ଅସ୍ତ୍ର ଫଙ୍ଗସ୍‌ ପ୍ରୟୋଗ କରି ଫସଲକୁ ସଂପୂର୍ଣ୍ଣ ନଷ୍ଟ କରିଦେବ ।  କରୋନା ପରି ଏ ଚକ୍ରବ୍ୟୂହରେ ଗୋଟିଏ ପରେ ଗୋଟିଏ  ଦେଶ ଫସିବେ । ଖାଦ୍ୟ ସଂକଟ ଉପୁଜି ସାରା ବିଶ୍ୱରେ ଆସିବ  ହାହାକାର । ଡ୍ରାଗନର ଏ ଦୀର୍ଘମିଆଦି ଯୋଜନା କିନ୍ତୁ ପ୍ରଥମରୁ  ଝୁଣ୍ଟିଛି । ଚାଇନାର ଏ ‘କୃଷି ଆତଙ୍କବାଦ’କୁ ସମାଧି ଦେବାକୁ  ଆମେରିକା ପଣ କରିଛି । ଶତ୍ରୁଠୁ ଅଧିକ କପଟତା କରୁଥିବା  ଚୀନ୍‌ର ଏ ‘କୃଷି ଆତଙ୍କବାଦ’ ଦ୍ୱାରା ଆଗକୁ ଭାରତ ଯେ ବହୁଳ  କ୍ଷତିଗ୍ରସ୍ତ ନହେବ କିଏ କହିବ? 

‘ବିଶ୍ୱ ସମ୍ରାଟ’ ପାଇଁ ନୂଆ ଅସ୍ତ୍ର 

ମାଟିରେ ଦାୟ ନା ମଣିଷରେ । ମାଟି ମଣିଷର ନୁହେଁ, ମଣିଷ  ମାଟିର । ବଳ ବୟସ ଗଡ଼ି ନିଃଶ୍ୱାସ ଟିକକ ଚାଲିଯିବା ପରେ  ମାଟି ହିଁ ମଣିଷକୁ କୋଳେଇ ନିଏ । ମାଆ ଗର୍ଭ ପରି ।  ଏବେ ଏ ମାଟି ମାଆକୁ ଦଖଲ କରିବାକୁ ବେଜିଂର ଦୁର୍ବାର  ଇଚ୍ଛା । ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଲଢ଼ୁଥିଲା  ବେଳେ ନୂଆ ପ୍ରକାରର ଆତଙ୍କବାଦକୁ ଜନ୍ମ ଦେଇଛି ଚୀନ୍‌ ।  ଅଶାନ୍ତି, ରକ୍ତପାତ ଓ ଜବରଦଖଲ ପାଇଁ ସମୟ ଅନୁସାରେ  ନିଜ ରଣକୌଶଳ ବଦଳାନ୍ତି ଆତଙ୍କବାଦୀ ସଂଗଠନ ।  ପୃଥିବୀର ମୁକୁଟବିହୀନ ରାଜା ହେବାକୁ ‘କୃଷି ଆତଙ୍କବାଦ’  ଭଳି ଜୈବିକ ଅସ୍ତ୍ର ପ୍ରସ୍ତୁତ କରିଛି ଚୀନ୍‌ । ଏ ଆତଙ୍କବାଦ  ଜରିଆରେ ଅଚିରେ ବିଶ୍ୱକୁ ନିଜ ମୁଠାକୁ ଆଣିପାରିବ ବୋଲି  ବେଜିଂର ପ୍ରଚଣ୍ଡ ବିଶ୍ୱାସ ।

ଜୟ ଯବାନ, ଜୟ କିଷାନ । ଦେଶର ସାମାଜିକ  ତଥା ଅର୍ଥନୈତିକ ବିକାଶର ଚାବିକାଠି ହେଉଛି କୃଷି ।  ଜୀବନଧାରଣର ମୁଖ୍ୟ ଆବଶ୍ୟକତା ପୂରଣ କରନ୍ତି ଆମ  ଅନ୍ନଦାତା । ଚାଷ ଆଉ ଚାଷୀଙ୍କ ବିନା ଦୁନିଆର ପରିକଳ୍ପନା  ବି କରି ହେବନି । ନିଜ ଶକ୍ତିର ଅହଂକାରରେ ଅନ୍ୟକୁ ନୀଚା  ଦେଖାଇବାକୁ ଡ୍ରାଗନ୍‌ କିଛି ବି କରିବାକୁ ପ୍ରସ୍ତୁତ । କୋଭିଡ୍‌  ଭୂତାଣୁରେ ଲକ୍ଷ ଲକ୍ଷ ଲୋକଙ୍କୁ ମାରିଥିବା ଚୀନ୍‌ ଏବେ  ଲୋକଙ୍କୁ ଭୋକରେ ମାରିବାକୁ ଗୋଟି ଚଳାଇଛି । ହେଲେ  ଆମେରିକା ହାତରେ ଧରାପଡ଼ିଛି ଏ ଚାଲ୍‌ । 

କୃଷି ଆତଙ୍କବାଦର ଷଡ଼ଯନ୍ତ୍ର  ଅଭିଯୋଗରେ ଦୁଇ ଜଣ ଚୀନ୍‌  ନାଗରିକଙ୍କୁ ଗିରଫ କରିଛି  ଆମେରିକୀୟ ତଦନ୍ତକାରୀ ସଂସ୍ଥା  (ଏଫ୍‌ବିଆଇ)। ଉଭୟ ଅଭିଯୁକ୍ତ  ଚୀନ୍‌ରୁ ଆମେରିକାକୁ ବିପଦଜନକ  ଫଙ୍ଗସ୍‌ ଚୋରା ଚାଲାଣ କରୁଥିଲେ । ଏହା ପଛରେ ବଡ଼  ଷଡ଼ଯନ୍ତ୍ରର ପ୍ରମାଣ ପାଇଛି ଏଫ୍‌ବିଆଇ । ଏହି ପ୍ରକାରର  ଫଙ୍ଗସ୍‌ ଜମିର ଫସଲରେ ରୋଗ ସୃଷ୍ଟି କରିବେ । ଚାଷଜମିକୁ  ମରୁଭୂମିରେ ପରିଣତ କରିଦେବେ । ଯେ କୌଣସି ଦେଶର  ଆର୍ଥିକ ସ୍ଥିତିକୁ ମାଟିରେ ମିଶାଇବାକୁ ଏହି ବିପଦପୂର୍ଣ୍ଣ  ଫଙ୍ଗସ୍‌କୁ ଜୈବିକ ଅସ୍ତ୍ର ଭାବରେ ବ୍ୟବହାର କରିହେବ । ମିଶିଗାନ୍‌ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ଦୁଇ ଚାଇନା  ନାଗରିକ ଏଠାର ପରୀକ୍ଷାଗାରରେ ବ୍ୟବହାର କରିବାକୁ ଏହି  ଫଙ୍ଗସ୍‌ ଆଣିଥିବା ମାନିଛନ୍ତି । ପଚରା ଉଚରା ବେଳେ ଦୁହେଁ  କହିଛନ୍ତି ଷଡ଼ଯନ୍ତ୍ରର କାହାଣୀ । ଏ ଫଙ୍ଗସ୍‌ ଆମେରିକାରେ  ଖାଦ୍ୟ ସଂକଟର ବୀଜ ବୁଣିଥାନ୍ତା ।  

ଭାତରେ ମାରିବାକୁ ଷଡ଼ଯନ୍ତ୍ର 

ଆମେରିକୀୟ କୃଷି ବିଜ୍ଞାନୀଙ୍କ ଯୁକ୍ତି, ଏହି ଫଙ୍ଗସ୍‌ ହେଡ୍‌ ବ୍ଲାଇଟ୍‌  କିମ୍ବା ସ୍କାବ ନାମକ ରୋଗ ସୃଷ୍ଟି କରେ । ଏହା ଶସ୍ୟର ଗୁଣବତ୍ତା  ନଷ୍ଟ କରିଦେବ । ଫସଲର ଉତ୍ପାଦନ କ୍ଷମତା ହ୍ରାସ ମଧ୍ୟ କରିବ ।  ଏହା ଗହମ ଓ ଧାନ ଫସଲକୁ ବହୁଳ ଭାବେ କ୍ଷତି ପହଞ୍ଚାଇଥାଏ ।  ଅମଳ କମିବା ସହ ସଂକ୍ରମିତ ଶସ୍ୟ ହାଲୁକା ଏବଂ ଭଙ୍ଗୁର  ହୋଇଥାଏ । ବିଚରା ଚାଷୀ ଏହାଦ୍ୱାରା କ୍ଷତି ସହିବା ସହ ଖାଦ୍ୟ  ସଂକଟର ଧାରା ଆରମ୍ଭ ହୁଏ । ବିଗ୍‌ ବ୍ରଦର୍‌ ଆମେରିକାକୁ ତଳକୁ  ଠେଲି ଶୀର୍ଷସ୍ଥାନ ଦଖଲ କରିବାକୁ ଭାତରେ ମାରିବାକୁ ଚୀନର  ଗୋଳିଆ ଗୋପନ ଇଚ୍ଛା ଧରାପଡ଼ିଛି । ବିଶ୍ୱ ସମୁଦାୟ ଆଗରେ  ଚୀନ୍‌ ଏବେ ଖଳନାୟକ । 

ଏକ ସାଇନ୍ସ ଜର୍ଣ୍ଣାଲ ଅନୁଯାୟୀ ୧୯୮୦ ଦଶକରେ ଆମେରିକାରେ  ‘ଫ୍ୟୁଜେରିୟମ ହେଡ ବ୍ଲାଷ୍ଟ’ ଶସ୍ୟ ସଂକ୍ରମଣ ମହାମାରୀ ସ୍ତର  ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ବିହନ ଅମଳ, ମୂଲ୍ୟ ଓ ଗୁଣବତ୍ତା  ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ରୋଗକୁ ସେ  ସମୟରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା । ଏହି ଫଙ୍ଗସ୍‌  ଦ୍ୱାରା ଯେ କେବଳ ଫସଲ ନଷ୍ଟ  ହୁଏନି । ପଶୁପକ୍ଷୀ ଓ ସାଧାରଣ  ଲୋକ ମଧ୍ୟ ଏଥିରେ ବହୁଳ ପ୍ରଭାବିତ  ହୁଅନ୍ତି । ଫସଲକୁ ଏ ରୋଗପୋକ  ସଂକ୍ରମଣ ପରେ ବିଷାକ୍ତ ପଦାର୍ଥ  ଉତ୍ପନ୍ନ ହୁଏ । ଏହି ସଂକ୍ରମିତ ଶସ୍ୟ  ଖାଉଥିବା ଲୋକ ଓ ପଶୁପକ୍ଷୀ ରୋଗାକ୍ରାନ୍ତ ହୁଅନ୍ତି । ଯକୃତକୁ କ୍ଷତି  ପହଞ୍ଚେ । ପ୍ରଜନନ ସମସ୍ୟା ସୃଷ୍ଟି ହୁଏ । ପ୍ରାଣୀ ସମ୍ପଦକୁ ମାଡ଼ି  ଆସେ ଅକାଳ ମଡ଼କ । କୃଷି ପ୍ରଣାଳୀକୁ ରୋଗାକ୍ରାନ୍ତ କରିବା ସହ  ଅନ୍ୟ ଜୈବିକ ଉପାଦାନକୁ କ୍ଷତି ପହଞ୍ଚାଇବା କୃଷି ଆତଙ୍କବାଦର  ମୂଳ ଉଦ୍ଦେଶ୍ୟ । ଏହାଦ୍ୱାରା ଖାଦ୍ୟ ପ୍ରକିୟାକରଣ ଖର୍ଚ୍ଚର ଗ୍ରାଫ୍‌  ଉପରମୁହାଁ ହେବ । ବାଣିଜ୍ୟିକ ସଂପର୍କରେ ମଧ୍ୟ ଲାଗିବ  ତାଲା । ଚାଷଜମିରୁ ଅସ୍ଥିରତା ଓ ଭୟର ବାତାବରଣ ଦେଶର  ଖାଦ୍ୟ ଶୃଙ୍ଖଳରେ ବିଭ୍ରାଟ ଆଣିବ । ଦେଶର ଅର୍ଥନୀତିକୁ ଧ୍ୱସ୍ତ  କରିବା ସହ ସାମାଜିକ ଅଶାନ୍ତି ଛିଡ଼ା କରାଇବ । ବଡ଼ କଥା ଏପରି  ଅପରାଧ କରିଥିବା ବ୍ୟକ୍ତି ଧରାପଡ଼ିବାର ସମ୍ଭାବନା ଖୁବ୍‌ କମ୍‌ ।  ଅଳ୍ପ ଖର୍ଚ୍ଚରେ ଏକ ବଡ଼ ଉଦ୍ଦେଶ୍ୟ ସାଧନ ଅଚିରେ ହୋଇଯାଏ ।  ତେଣୁ ବେଜିଂ କୃଷି ଆତଙ୍କବାଦରେ ଫଙ୍ଗସ୍‌କୁ  ଏକ ବଡ଼ ଅସ୍ତ୍ର ଭାବରେ ବ୍ୟବହାର କରିବାର  ଗୁପ୍ତ ଯୋଜନା ପ୍ରସ୍ତୁତ କରିଛି ।  

ବିଶ୍ୱଯୁଦ୍ଧରେ ବ୍ୟବହାର  କରିଥିଲା ଜର୍ମାନୀ 

କୃଷି ଆତଙ୍କବାଦର ଇତିହାସ କେତେ ପୁରୁଣା?  ହଁ...ବିଶ୍ୱ ପାଇଁ ଏହା ଆଦୌ ନୂଆ ନୁହେଁ ।  ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଏ ଅସ୍ତ୍ରକୁ ଶତ୍ରୁପକ୍ଷ ବିରୋଧରେ ବ୍ୟବହାର କରିଥିଲା ।  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନର ଆଳୁ  ଫସଲକୁ ଟାର୍ଗେଟ କରିଥିଲା । ଆଳୁ ଫସଲକୁ ନଷ୍ଟ କରିବାକୁ ସ୍ୱତନ୍ତ୍ର ପୋକ ବିମାନ ଜରିଆରେ  ଛାଡ଼ିଥିଲା । କ୍ଷେତରେ ତାଣ୍ଡବ ରଚିଥିଲା  ଜର୍ମାନୀର ଏ କୌଶଳ । ଜାପାନ ମଧ୍ୟ ଆମେରିକା ଓ ସୋଭିଏତ୍‌ ଋଷର ଗହମ କ୍ଷେତରେ ଧ୍ୱଂସଲୀଳା  ରଚିବାକୁ ଯୋଜନା କରିଥିଲା । ଆମେରିକା ମୁହଁତୋଡ଼ ଜବାବ  ଦେବାକୁ ଯାଇ ଜାପାନରେ ଫସଲହାନୀର ବିଧ୍ୱସ୍ତ ଆଣିବାକୁ  ଚେତାବନୀ ଦେଇଥିଲା । 

୨୦୧୬ରେ ବାଲାଂଦେଶରୁ ବିଷାକ୍ତ ପଙ୍ଗପାଳ ଭାରତମୁହାଁ  ହୋଇଥିଲେ । ସମ୍ଭାବ୍ୟ ବିପଦକୁ ଆଖିରେ ରଖି ପଶ୍ଚିମବଙ୍ଗର ୩ଟି  ଜିଲ୍ଲାରେ ୩ ବର୍ଷ ପାଇଁ ଗହମ ଚାଷକୁ ନିଷେଧ କରାଯାଇଥିଲା ।  କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହାକୁ ଅତି ସତର୍କତାର  ସହ ନିୟନ୍ତ୍ରଣ କରିଥିଲେ । 

ଭାରତ ପ୍ରତି ବିପଦ 

ଭାରତ ଭୂ-ଖଣ୍ଡ ଉପରେ ଚୀନ୍‌ର ସବୁବେଳେ ଆଖି । ବିନା  ଲଢ଼େଇରେ ଯୁଦ୍ଧ ଜୟ, ଏହା ଚାଇନାର ଅତି ପ୍ରିୟ ଫର୍ମୁଲା ।  ଭାରତକୁ ବୁଢ଼ିଆଣୀ ଜାଲରେ ପକାଇବାକୁ ଚାଇନାର ଉଦ୍ୟମରେ  ପୂର୍ଣ୍ଣଚ୍ଛେଦ ନାହିଁ । ଅପରେସନ ସିନ୍ଦୂର ପରେ ପାକିସ୍ତାନ ରକ୍ତ  ଚାଉଳ ଚୋବାଉଛି । ଚୀନ୍‌ ମଧ୍ୟ ଇତସ୍ତତଃ । ସୀମାନ୍ତରେ  ଥିବା ଏ ଦୁଇ ଦେଶ ପଟୁ ଭାରତ ପ୍ରତି ବିପଦ ଥିଲା ବେଳେ  ଆଗକୁ ଯେ ଭାରତ କୃଷି ଆତଙ୍କବାଦର ଶିକାର ନ ହେବ କିଏ  କହିବ? ଭାରତର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ଆମ  ଦେଶର ମୋଟ ଘରୋଇ ଉତ୍ପାଦରେ କୃଷିକ୍ଷେତ୍ରର ଅବଦାନ ୧୭  ପ୍ରତିଶତ । ଦେଶ ଜନସଂଖ୍ୟାର ପ୍ରାୟ ୫୫% କୃଷି ଓ ଆନୁଷଙ୍ଗିକ  କାର୍ଯ୍ୟକଳାପରେ ନିୟୋଜିତ । ପଞ୍ଜାବ, ରାଜସ୍ଥାନ, ହିମାଚଳ  ପ୍ରଦେଶ ଭଳି ପ୍ରମୁଖ କୃଷିପ୍ରଧାନ ରାଜ୍ୟର ସୀମାରେ ଶତ୍ରୁଦେଶ  ପାକିସ୍ତାନ ଏବଂ ଚୀନ୍‌ । ତେଣୁ ଆଜି ନ ହେଲେ କାଲି କୃଷି- ଆତଙ୍କବାଦର ବିପଦ ରହିଛି ବୋଲି କୃଷିବିଜ୍ଞାନୀଙ୍କ ଅନୁମାନ ।  ଶତ୍ରୁଙ୍କ ଏ ଉଦ୍ୟମ ପଣ୍ଡ କରିବାକୁ ଭାରତକୁ ଏବେଠାରୁ ସତର୍କ  ରହିବାର ଆବଶ୍ୟକତା ଅଛି । 

ଆତଙ୍କ, ଅଶାନ୍ତି, ଈର୍ଷା ଆଉ ହିଂସାର ବିଷ ପାଇଁ ଡ୍ରାଗନ୍‌ କାହିଁକି  ଏତେ ବ୍ୟଗ୍ର? ବିଶ୍ୱ ବିନାଶର ମଞ୍ଜି କାହିଁକି? କରୋନା ଅନେକ  କିଛି ଶିଖାଇଲା । ଅନୁତାପ କରୁନି ବେଜିଂ । ରାଇଜ ରଜା ହେବା,  ମିଛ ହଟଚମଟ ଓ ଦପଦପ ଦେଖାଇବାକୁ ସାମ, ଦାମ, ଦଣ୍ଡ,  ଭେଦର ଷଡ଼ଯନ୍ତ୍ର ଆଉ କେତେଦିନ? ପୃଥିବୀର ଭବିଷ୍ୟତ  ଶାନ୍ତିରେ ନା ହାହାକାରରେ?