ନୂଆଦିଲ୍ଲୀ,୨୭/୫ :  ଈଦ୍-ଉଲ୍-ଜୁହା (ବକ୍ରିଦ୍) ପୂର୍ବରୁ ସାରା ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଫଳରେ କୌଣସି ଅପ୍ରୀତିକର ଘଟଣା ରୋକାଯାଇପାରିବ । ଦିଲ୍ଲୀର ହୌଜ୍ କାଜି ଛକଠାରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ  ବି ନଜର ରଖାଯାଇଛି । ସମଗ୍ର ସହରକୁ ହାଇ ଆଲର୍ଟରେ ରଖାଯାଇଛି । ସେହିଭଳି ପଶ୍ଚିମବଙ୍ଗରେ ଏଥର କିଛି ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ମୁର୍ଶିଦାବାଦରେ, ଇଦ୍ ନମାଜକୁ ରେଡ୍ ରୋଡ଼ ବଦଳରେ ବ୍ରିଗେଡ୍ ଗ୍ରାଉଣ୍ଡକୁ ସ୍ଥାନାନ୍ତର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଜେୟୁପି ପ୍ରମୁଖ ହୁମାୟୁ କବୀର ପ୍ରଶ୍ନ ଉଠାଇଛନ୍ତି କି ଯଦି ଉଭୟ ସ୍ଥାନ କେନ୍ଦ୍ର ସରକାରଙ୍କ ଅଧୀନରେ ତେବେ ରେଡ୍ ରୋଡରେ ଅନୁମତି କାହିଁକି ମନା କରାଗଲା ।

ଉତ୍ତର ପ୍ରଦେଶରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିରୀକ୍ଷଣ ପାଇଁ ଡ୍ରୋନ୍ ଏବଂ ସିସି ଟିଭି କ୍ୟାମେରା ବ୍ୟବହାର କରାଯାଉଛି । ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ସ୍ୱତନ୍ତ୍ର ଭିଡ଼ ପରିଚାଳନା ଯୋଜନା କାର୍ଯ୍ୟକାରୀ କରାଯାଇଛି । ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାସ୍ତାରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ ନାହିଁ ଏବଂ ଆବଶ୍ୟକ ହେଲେ ପାଳିରେ ନମାଜ ପଢାଯାଉ । ଲକ୍ଷ୍ନୌ , ବାରଣାସୀ, ସମ୍ଭଲ ଏବଂ ଆଗ୍ରା ଭଳି ସହରରେ, ଅଞ୍ଚଳକୁ ଜୋନ୍ ଏବଂ ସେକ୍ଟରରେ ବିଭକ୍ତ କରି ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି।

ଏହା ସହିତ ଗୁଜରାଟରେ ପୋଲିସ ହାଇ ଆଲର୍ଟରେ ଅଛି । ରାଜ୍ୟ ଡିଜିପି କେ.ଏଲ.ଏନ. ରାଓ ସମସ୍ତ ଜିଲ୍ଲାରେ ଆଇନ ଶୃଙ୍ଖଳା ସମୀକ୍ଷା କରିଛନ୍ତି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରେ ଗୁଜବ ରୋକିବା ପାଇଁ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି।