ନୂଆଦିଲ୍ଲୀ ୦୬/୦୩: ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ବଢୁଥିବା ଚିନ୍ତା ଭିତରେ ଆଧୁନିକ ଯୁଦ୍ଧରେ ଏଆଇର ଭୂମିକା କେତେ ଦ୍ରୁତ ବଢୁଛି, ତାହା ପ୍ରଥମ ଥର ସ୍ପଷ୍ଟ ଦିଶୁଛି । ମଧ୍ୟପ୍ରାଚ୍ୟର ଏହି ମହାଯୁଦ୍ଧରେ ଆନ୍ଥ୍ରୋପିକ୍ ଓ ଓପନ୍ ଏଆଇ ପରୋକ୍ଷ ଭାବେ ସାମିଲ ହୋଇଛି । ଆମେରିକା ଏ ଥର ଆନ୍ଥ୍ରୋପିକ୍ର ‘କ୍ଲାଉଡ୍’ ଟୁଲ୍ର ଉପଯୋଗ କରିଛି। ଓପନ୍ ଏଆଇକୁ ବି ବ୍ୟବହାର କରାଯାଉଛି । କିନ୍ତୁ ପ୍ରଶ୍ନ ହେଉଛି ଏଆଇକୁ କେମିତି ଓ କାହିଁକି ଯୁଦ୍ଧରେ ପ୍ରୟୋଗ କରାଯାଉଛି?
ନିର୍ଣ୍ଣାୟକ ହେବ ମେସିନ୍ର ନିଷ୍ପତ୍ତି!
ସାମରିକ ବିଶେଷଜ୍ଞ ଏବେ ଖୋଲାଖୋଲି କହୁଛନ୍ତି, ଆଗାମୀ ଦିନରେ କେବଳ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଦ୍ୱାରା ନୁହେଁ, ବରଂ, ଡାଟା, ଆଲ୍ଗୋରିଦମ୍ ଓ ମେସିନ୍ ସାହାଯ୍ୟରେ ଯୁଦ୍ଧ ହେବ । ସେଥିପାଇଁ ବିଶ୍ୱରେ ଚର୍ଚ୍ଚା ହେଉଛି, ଭବିଷ୍ୟତରେ ଯୁଦ୍ଧର ସବୁଠୁ ବଡ଼ ନିଷ୍ପତ୍ତି ଅର୍ଥାତ୍ କାହାକୁ ହତ୍ୟା କରାଯିବ ଓ କାହାକୁ ଛଡ଼ାଯିବ, ତାହା ମଣିଷ ବଦଳରେ ଏଆଇ ସିଷ୍ଟମ୍ ନେବ । ଡ୍ରୋନ୍, ସାଟେଲାଇଟ୍, ଡାଟା... ଆଧୁନିକ ଯୁଦ୍ଧରେ ଭରପୂର ତଥ୍ୟ ଗତ କିଛି ବର୍ଷରେ ଯୁଦ୍ଧର ପ୍ରକୃତିରେ ଦ୍ରୁତ ପରିବର୍ତ୍ତନ ହୋଇଛି । ପୂର୍ବରୁ କୌଣସି ସାମରିକ ଯୁଦ୍ଧ ପୂର୍ବରୁ ଦୀର୍ଘ ଦିନ ଧରି ଗୁପ୍ତ ତଥ୍ୟ ଏକତ୍ର କରାଯାଉଥିଲା । ଡ୍ରୋନ୍ ଫୁଟେଜ୍କୁ ବିଶ୍ଳେଷକମାନେ ଯାଞ୍ଚ୍ କରୁଥିଲେ । ସାଟେଲାଇଟ୍ ଚିତ୍ରକୁ ଅଧ୍ୟୟନ କରାଯାଉଥିଲା । ତା’ପରେ ଭିନ୍ନ ଭିନ୍ନ ସ୍ତରରେ ବୈଠକ ପରେ ଆକ୍ରମଣ ନିଷ୍ପତ୍ତି ନିଆଯାଉଥିଲା । କିନ୍ତୁ ଆଜି ଯୁଦ୍ଧଭୂମିକୁ ଆସୁଥିବା ତଥ୍ୟ ଏତେ ଅଧିକ ହୋଇଛି ଯେ ତାହା ବୁଝିବା ମଣିଷ ପାଇଁ ଅସମ୍ଭବ ହୋଇଛି । ଗୋଟିଏ ଆଧୁନିକ ଡ୍ରୋନ୍ ମେସିନ୍ ହଜାର ହଜାର ଫଟୋ ଏବଂ ଘଣ୍ଟା ଘଣ୍ଟା ଧରି ଭିଡିଓ ରେକର୍ଡ କରୁଛି । ଭୂପୃଷ୍ଠର ଗତିବିଧିକୁ ସାଟେଲାଇଟ୍ ନିରନ୍ତର ରେକର୍ଡ କରୁଛି । ମୋବାଇଲ ଲୋକେସନ୍, କମ୍ୟୁନିକେସନ୍ ଡାଟା, ସର୍ଭିଲାନ୍ସ କ୍ୟାମେରା ଓ ଇଣ୍ଟରନେଟ୍ ଗତିବଧି ଭଳି ଉତ୍ସ ମଧ୍ୟ ଗୁଇନ୍ଦା ଏଜେନ୍ସିଙ୍କ ପାଇଁ ତଥ୍ୟର ବଡ଼ ଆଧାର ହୋଇଛି । ଏହି ତଥ୍ୟ ଏତେ ବିଶାଳ ଯେ ମଣିଷ ପକ୍ଷେ ସବୁ ଦେଖିବା ଅସମ୍ଭବ । ଏହି ସ୍ଥିତିରେ ଯୁଦ୍ଧରେ ଏଣ୍ଟ୍ରି କରିଛି ଏଆଇ ।
ଏଆଇକୁ ପ୍ରଥମେ ଯୁଦ୍ଧରେ ଉତାରିଛି ଆମେରିକା
ସର୍ବପ୍ରଥମେ ଆମେରିକା ଏ କ୍ଷେତ୍ରରେ ପ୍ରୟାସ କରିଥିଲା । ୨୦୧୭ରେ ଆମେରିକୀୟ ପ୍ରତିରକ୍ଷା ବିଭାଗ ‘ପ୍ରୋଜେକ୍ଟ ମାଭେନ୍’ ନାମକ ଏକ ପ୍ରୋଗ୍ରାମ୍ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା, ଡ୍ରୋନ୍ ଓ ସର୍ଭିଲାନ୍ସ କ୍ୟାମେରାର ଭିଡିଓଗୁଡ଼ିକୁ ଏଆଇ ସାହାଯ୍ୟରେ ବୁଝିବା । ଭିଡିଓରେ ଗାଡ଼ି, ଅସ୍ତ୍ରଶସ୍ତ୍ର କିମ୍ବା ସନ୍ଦିଗ୍ଧ ଗତିବିଧିକୁ ଚିହ୍ନଟ କରିବା ପାଇଁ ଏଆଇକୁ ତାଲିମ ଦିଆଗଲା । ଏହା ପୂର୍ବରୁ ଏ କାମ ମଣିଷକୁ କରିବାକୁ ପଡୁଥିଲା । ଅନେକ ସମୟରେ କିଛି ଘଣ୍ଟାର ଫୁଟେଜ୍ରୁ ଛୋଟ ଜିନିଷ ଖୋଜିବା ବହୁତ କଷ୍ଟକର ହେଉଥିଲା । ପ୍ରୋଜେକ୍ଟ ମାଭେନ୍ ପରେ ଏଆଇ ସିଷ୍ଟମ୍ ଏ କାମ ଦ୍ରୁତ ବେଗରେ କରିବାକୁ ଲାଗିଲେ । ଏଥିରୁ ଆମେରିକୀୟ ସେନା ବୁଝିପାରିଲା ଯେ ଭବିଷ୍ୟତ ଯୁଦ୍ଧରେ ତଥ୍ୟକୁ ବୁଝିବା ପାଇଁ ମେସିନ୍ର ସାହାଯ୍ୟ ଜରୁରି ।
ଗାଜା ଯୁଦ୍ଧ ଓ ଏଆଇ ଟାର୍ଗେଟ୍ ସିଷ୍ଟମ୍
କିନ୍ତୁ ଏଆଇର ଉପଯୋଗ କେବଳ ତଥ୍ୟକୁ ବୁଝିବା ମଧ୍ୟରେ ସୀମିତ ହୋଇ ରହିଲା ନାହିଁ । ଧୀରେ ଧୀରେ ଏହା ଟେକ୍ନୋଲୋଜି ଯୁଦ୍ଧରେ ଲକ୍ଷ୍ୟ ଚିହ୍ନଟ ପ୍ରକ୍ରିୟା ପର୍ଯ୍ୟନ୍ତ ପହଞ୍ଚିଗଲା । ଗାଜା ଯୁଦ୍ଧ ଏହାର ସବୁଠୁ ବିବାଦୀୟ ଉଦାହରଣ । ଇସ୍ରାଏଲ ସେନା ଗାଜାରେ ‘ଲାଭେଣ୍ଡର’ ଓ ‘ଗୋସ୍ପେଲ’ ଭଳି ଏଆଇ ସିଷ୍ଟମ୍ର ଉପଯୋଗ କଲା । ଲାଭେଣ୍ଡର ସିଷ୍ଟମ୍ ବିଶାଳ ତଥ୍ୟକୁ ବିଶ୍ଳେଷଣ କରି ଉଗ୍ରବାଦୀ ସଂଗଠନରେ ଜଡ଼ିତ ଲୋକଙ୍କୁ ଚିହ୍ନଟ କଲା । ଏଥିରେ ଫୋନ୍ ରେକର୍ଡ, ସୋସିଆଲ ନେଟ୍ୱର୍କ କନେକ୍ସନ୍ ଲୋକେସନ୍ ଡାଟା ଓ ସର୍ଭିଲାନ୍ସରୁ ମିଳିଥିବା ତଥ୍ୟକୁ ମିଶାଇ ଏକ ପ୍ରକାର ରିସ୍କ ସ୍କୋର୍ ପ୍ରସ୍ତୁତ କରାଯାଉଥିଲା । ଅନ୍ୟପକ୍ଷେ, ଗୋସପେଲ୍ ନାମକ ସିଷ୍ଟମ୍ ଅଟ୍ଟାଳିକା ଓ ଠିକଣାଗୁଡ଼ିକର ବିଶ୍ଳେଷଣ କରି ସାମରିକ ଗତିବିଧି ପାଇଁ ମହତ୍ୱପୂର୍ଣ୍ଣ ସ୍ଥାନ ବିଷୟରେ ପ୍ରସ୍ତାବ ଦେଉଥିଲା । ଏହି ଟେକ୍ନୋଲୋଜି ଜରିଆରେ ଲକ୍ଷ୍ୟ ଚିହ୍ନଟ ପ୍ରକ୍ରିୟା ଖୁବ୍ ଦ୍ରୁତ ହେଲା । ଏହା ପୂର୍ବରୁ ସୀମିତ ସଂଖ୍ୟାରେ ଲକ୍ଷ୍ୟ ଚିହ୍ନଟ ହେଉଥିଲା । କିନ୍ତୁ ଏବେ ସିଷ୍ଟମ୍ ଦ୍ରୁତ ବେଗରେ ନୂଆ ସମ୍ଭାବ୍ୟ ଲକ୍ଷ୍ୟ ଚିହ୍ନଟ କରୁଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବଢ଼ିବ ଏଆଇର ଭୂମିକା
ଇତିମଧ୍ୟରେ ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷର ସ୍ଥିତି ଏହି ବିବାଦକୁ ଆହୁରି ବଢ଼ାଇଛି । ସଦ୍ୟ ରିପୋର୍ଟ ଅନୁସାରେ, ଆମେରିକୀୟ ସାମରିକ ଅପରେସନ୍ରେ ଏଆଇ ଆଧାରିତ ତଥ୍ୟ ବିଶ୍ଳେଷଣ ପଦ୍ଧତିର ଉପଯୋଗ ଦ୍ରୁତ ବଢୁଛି । ଏହା ସାହାଯ୍ୟରେ ସାଟେଲାଇଟ୍ ଡାଟା, ଡ୍ରୋନ୍ ଭିଡିଓ ଓ ଗୁଇନ୍ଦା ତଥ୍ୟକୁ ମିଶାଇ ସମ୍ଭାବ୍ୟ ସାମରିକ ଲକ୍ଷ୍ୟର ବିଶ୍ଳେଷଣ କରାଯାଉଛି । ଏଆଇ ଯୋଗୁ ଯୁଦ୍ଧରେ ନିର୍ଣ୍ଣୟ ପ୍ରକ୍ରିୟା ଖୁବ୍ ଦ୍ରୁତ ହୋଇଛି । ପୂର୍ବରୁ ଯେଉଁ ନିଷ୍ପତ୍ତିରେ ଅନେକ ଘଣ୍ଟା ବା ଦିନ ଲାଗୁଥିଲା, ଏବେ ତାହା କିଛି ମିନିଟ୍ରେ ନିଆଯାଉଛି । ସେଥିପାଇଁ ଅନେକ ସାମରିକ ବିଶେଷଜ୍ଞ ଏହାକୁ ମେସିନ୍ ସ୍ପିଡ୍ ୱାର୍ଫେୟର୍ ଅର୍ଥାତ୍ ମେସିନ୍ ଗତିରେ ହେଉଥିବା ଯୁଦ୍ଧ କହୁଛନ୍ତି । ଏଆଇର ପ୍ରଭାବ କେବଳ ବିଶ୍ଳେଷଣ ଓ ଲକ୍ଷ୍ୟ ଚିହ୍ନଟ ମଧ୍ୟରେ ସୀମିତ ନାହିଁ । ଡ୍ରୋନ୍ ଟେକ୍ନୋଲୋଜି କେତେ ଦ୍ରୁତ ବଦଳୁଛି, ୟୁକ୍ରେନ୍ ଯୁଦ୍ଧ ତାହା ବି ଦେଖାଇଛି । ଯୁଦ୍ଧରେ ଉଭୟ ୟୁକ୍ରେନ-ରୁଷ୍ ବ୍ୟାପକ ଡ୍ରୋନ୍ ପ୍ରୟୋଗ କରିଛନ୍ତି । ଗତ କିଛି ବର୍ଷ ହେଲା ଏଭଳି ଏଆଇ ଆଧାରିତ ସିଷ୍ଟମ୍ ପ୍ରସ୍ତୁତ କରାଯାଉଛି, ଯାହା ଲକ୍ଷ୍ୟ ଚିହ୍ନଟରେ ଡ୍ରୋନ୍କୁ ସାହାଯ୍ୟ କରିପାରୁଛନ୍ତି । ରେଡିଓ ସଙ୍କେତ ଜାମ୍ ହୋଇଗଲେ ଏବଂ ଅପରେଟର୍ ସହ ଡ୍ରୋନ୍ର ସମ୍ପର୍କ ଛିନ୍ନ ହୋଇଗଲେ, ଏଆଇ କ୍ୟାମେରାରୁ ମିଳିଥିବା ତଥ୍ୟର ବିଶ୍ଳେଷଣ କରି ଲକ୍ଷ୍ୟ ଚିହ୍ନଟ ହୋଇପାରୁଛି । ଏହି ଟେକ୍ନୋଲୋଜି ଏବେ ପୂର୍ଣ୍ଣ ସ୍ୱୟଂଚାଳିତ ହୋଇନାହିଁ, କିନ୍ତୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଭବିଷ୍ୟତ ଯୁଦ୍ଧଭୂମିରେ ମେସିନ୍ର ଭୂମିକା ଖୁବ୍ ବଢ଼ିବ ।
ଏଆଇ ଭୁଲ କଲେ ଦାୟୀ କିଏ?
ଏଆଇ ଯୁଦ୍ଧକୁ ନେଇ ସବୁଠୁ ବଡ଼ ଚିନ୍ତା ହେଉଛି ମେସିନ୍ ସର୍ବଦା ପୂର୍ଣ୍ଣ ଭରସାଯୋଗ୍ୟ ନୁହେଁ । ଏଆଇ ସିଷ୍ଟମ୍ ତଥ୍ୟରୁ ଶିଖନ୍ତି ଏବଂ ସେହି ତଥ୍ୟ ସେମାନଙ୍କ ସୀମା ସ୍ଥିର କରନ୍ତି। ତଥ୍ୟ ଅଧୁରା ହେଲେ କିମ୍ବା ସେଥିରେ ଭୁଲ ସୂଚନା ଥିଲେ, ଏଆଇ ବି ଭୁଲ ନିଷ୍କର୍ଷ ବାହାର କରିପାରେ । ଟେକ୍ନୋଲୋଜି ଦୁନିଆରେ ଏହାକୁ ‘ଏଆଇ ହାଲୁସିନେସନ୍’ ଭଳି ସମସ୍ୟା ସହ ଯୋଡ଼ାଯାଏ । ଯୁଦ୍ଧ ମାମଲାରେ ଏଭଳି ଭୁଲ ଅତ୍ୟନ୍ତ ଗମ୍ଭୀର ପରିଣାମ ଆଣିପାରେ । କାରଣ ଏହାର ସିଧା ପ୍ରଭାବ ଲୋକଙ୍କ ଜୀବନ ଉପରେ ପଡ଼ିପାରେ । ସେଥିପାଇଁ ଅନେକ ବୈଜ୍ଞାନିକ ଓ ମାନବାଧିକାର ସଂଗଠନ ଦାବି କରୁଛନ୍ତି, ଏଆଇକୁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅସ୍ତ୍ର ପ୍ରଣାଳୀରେ ରୂପାନ୍ତର କରିବା ପୂର୍ବରୁ ପ୍ରଥମେ ଅନ୍ତର୍ଜାତୀୟ ନିୟମ ନିର୍ଦ୍ଧାରଣ କରାଯିବା ଉଚିତ୍ ।
ବିଶ୍ୱରେ ଏଆଇ ଯୁଦ୍ଧର ଦୌଡ଼
ଅନ୍ୟପକ୍ଷେ, ସାମରିକ ରଣନୀତିକାରଙ୍କ ତର୍କ ଭିନ୍ନ । ସେମାନେ କହୁଛନ୍ତି, ଆଧୁନିକ ଯୁଦ୍ଧରେ ସୂଚନା ଏତେ ଅଧିକ ଯେ ଏଆଇ ବିନା ତାକୁ ବୁଝିବା ଅସମ୍ଭବ । ଏଆଇ ବିନା ଯୁଦ୍ଧରେ ନିର୍ଣ୍ଣୟ ନେବାର ପ୍ରକ୍ରିୟା ଖୁବ୍ ଧିମା ହୋଇଯିବ ଏବଂ ଏହା ଦ୍ୱାରା ସାମରିକ ବିପଦ ବଢ଼ିବ । ଏଆଇ ମଣିଷର ସ୍ଥାନ ନେବା ପାଇଁ ନୁହେଁ, ବରଂ ମଣିଷକୁ ସାହାଯ୍ୟ କରିବାକୁ ଆସିଛି । କିନ୍ତୁ ଆଲୋଚକ ପଚାରୁଛନ୍ତି, ଏଆଇ ଯଦି କେବଳ ସାହାଯ୍ୟ କରୁଛି, ତେବେ ବିଶ୍ୱର ସେନା ସ୍ୱୟଂଚାଳିତ ଅସ୍ତ୍ର ପ୍ରଣାଳୀରେ ଏତେ ନିବେଶ କାହିଁକି କରୁଛନ୍ତି? ସେଥିପାଇଁ ଅନେକ ବିଶେଷଜ୍ଞ ଏବେ ଏକ ନୂଆ ବୈଶ୍ୱିକ ଦୌଡ଼ ବିଷୟରେ ଚର୍ଚ୍ଚା କରୁଛନ୍ତି । ତାହା ହେଉଛି ‘ଏଆଇ ଆର୍ମସ୍ ରେସ୍’ । ଆମେରିକା, ଚୀନ୍, ରୁଷ୍, ଇସ୍ରାଏଲ ଓ ଅନେକ ଅନ୍ୟ ଦେଶ ସାମରିକ ଏଆଇ ଟେକ୍ନୋଲୋଜିରେ ଦ୍ରୁତ ନିବେଶ କରୁଛନ୍ତି । ଡ୍ରୋନ୍ ସ୍ୱାର୍ମ, ଅଟୋନମସ୍ ଟ୍ୟାଙ୍କ୍, ଏଆଇ ସଂଚାଳିତ ସର୍ଭିଲାନ୍ସ ସିଷ୍ଟମ୍ ଓ ମେସିନ୍ ଆଧାରିତ ଯୁଦ୍ଧ ରଣନୀତି ଭଳି କ୍ଷେତ୍ର ଦ୍ରୁତ ବିକଶିତ ହେଉଛି । ଏହି ଦୌଡ଼ ଯଦି ଏମିତି ଜାରି ରହେ, ତେବେ ଆଗାମୀ ଦିନରେ ଯୁଦ୍ଧର ଚେହେରା ସମ୍ପୂର୍ଣ୍ଣ ବଦଳିଯିବ ।
ମୃତ୍ୟୁ ନିଷ୍ପତ୍ତି ନେବ ମେସିନ୍!
ଅତୀତରେ ଅନେକ ଟେକ୍ନୋଲୋଜି ଯୁଦ୍ଧର ସ୍ୱରୂପ ବଦଳାଇଛି । ବାରୁଦ ମଧ୍ୟକାଳୀନ ଯୁଦ୍ଧକୁ ବଦଳାଇଥିଲା । ପରମାଣୁ ଅସ୍ତ୍ର ବିଶ୍ୱକୁ ଶକ୍ତି ସନ୍ତୁଳନର ନୂଆ ଯୁଗରେ ପହଞ୍ଚାଇଲା । ଡ୍ରୋନ୍ ଦୂରରୁ ଯୁଦ୍ଧ ସମ୍ଭବ କଲା । ବୋଧହୁଏ ଏଆଇ ପ୍ରଥମ ଏଭଳି ଟେକ୍ନୋଲୋଜି ଯାହା ଯୁଦ୍ଧର ନିଷ୍ପତ୍ତି ନେବାର ପ୍ରକ୍ରିୟାକୁ ବଦଳାଇ ଦେଇପାରେ । ମେସିନ୍ ଯଦି ତଥ୍ୟ ଆଧାରରେ ଲକ୍ଷ୍ୟରେ ପହଞ୍ଚିବେ ଏବଂ ମଣିଷ କେବଳ ଅନ୍ତିମ ମଞ୍ଜୁରି ଦେବା ମଧ୍ୟରେ ସୀମିତ ରହିବ, ତେବେ ଯୁଦ୍ଧରେ ମଣିଷର ଭୂମିକା ଧୀରେ ଧୀରେ କମିଯିବ ।
ଅଧିକ ପଢ଼ନ୍ତୁ :- ରାଡାରରୁ ଗାଏବ ବାୟୁସେନାର Su-30MKI ଫାଇଟର ଜେଟ୍ , ସର୍ଚ୍ଚ ଅପରେସନ ଆରମ୍ଭ