ନୂଆଦିଲ୍ଲୀ ୧୭/୦୬: ଏଆଇର ପ୍ରସାର ଫଳରେ ଦେଶରେ ଆଇଟି, ଆଇନ, ଅନୁବାଦ, ଡିଜାଇନ ଏବଂ ଲାଇବ୍ରେରୀ ବିଜ୍ଞାନ ଭଳି କ୍ଷେତ୍ରଗୁଡ଼ିକ ଲାଗି ରିସ୍କ ବଢ଼ିଗଲାଣି । ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ଉକ୍ତ ପ୍ରୋଗ୍ରାମଗୁଡ଼ିକୁ ଶେଷ କରିଦେଲାଣି କିମ୍ବା ସଂକୁଚିତ କରିଛି, ଯେଉଁଥିପାଇଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରତିବର୍ଷ ଡିଗ୍ରୀ ହାସଲ କରିଥାନ୍ତି । ଅନୁବାଦ କ୍ଷେତ୍ରରେ ୮୮% ରିସ୍କ ରହିଛି । ବିସିଏ ଏବଂ ଏମ୍‌ସିଏ କ୍ଷେତ୍ରରେ ୮୨%, ଗ୍ରାଫିକ୍ସ(ଡିପ୍ଲୋମା) କ୍ଷେତ୍ରରେ ୭୯%, ଏଲ୍‌ଏଲ୍‌ବି/ବିଏ-ଏଲ୍‌ଏଲ୍‌ବି କ୍ଷେତ୍ରରେ ୭୦%, ବି.କମ୍/ଏମ୍.କମ୍ କ୍ଷେତ୍ରରେ ୬୧% ଏବଂ ଲାଇବ୍ରେରୀ ବିଜ୍ଞାନ କ୍ଷେତ୍ରରେ ୫୫% ରିସ୍କ ରହିଛି ।

ମାନବ ସମ୍ବଳ ସଂସ୍ଥା ଟିମ୍‌ଲିଜର୍‌ କହିବାନୁସାରେ, ୪୦% କମ୍ପାନି ହାଇବ୍ରିଡ୍ ଦକ୍ଷତା ବା ଡିଗ୍ରୀ ସହ ଏଆଇ ଟୁଲ୍ ଉପରେ ଜ୍ଞାନକୁ ଅନିବାର୍ଯ୍ୟ କରିଦେଲେଣି । ଆଇଟି ଶିଳ୍ପସଂଘ ନାସ୍‌କମ୍‌କ ୨୦୨୪ ରିପୋର୍ଟ ଅନୁସାରେ, ଦେଶରେ ୮୨% ବିସିଏ ଏବଂ ଏମ୍‌ସିଏ ସ୍ନାତକଙ୍କ ପାଖରେ ଏଆଇ ଟୁଲ୍‌ର ଔପୋଚାରିକ ତାଲିମ ନାହିଁ । ବିଶ୍ୱ ଅର୍ଥନୈତିକ ଫୋରମ୍‌ର ରିପୋର୍ଟ ଅନୁସାରେ, ଚାକିରି ସେଇମାନଙ୍କ ପାଖରେ ରହିବ, ଯେଉଁମାନେ ଏଆଇ ଟୁଲ୍‌ର ବ୍ୟବହାର କରି ଉତ୍ପାଦକତା ୪୦% ପର୍ଯ୍ୟନ୍ତ ବଢ଼ାଇପାରିବେ ।

ଆଇବିଏମ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ବିଜ୍‌ନେସ୍ ଭ୍ୟାଲ୍ୟୁର ରିପୋର୍ଟ ଅନୁସାରେ, ଏଆଇ ଲୋକଙ୍କ ସ୍ଥାନ ନେବ ନାହିଁ ବରଂ ଯେଉଁ ଲୋକେ ଏଆଇର ଉପଯୋଗ କରୁନାହାନ୍ତି ସେମାନଙ୍କ ସ୍ଥାନ ଏଆଇ ନେଇଯିବ । ଯେଉଁମାନେ ଏଆଇ ଟୁଲ୍‌ଗୁଡ଼ିକୁ ନେଇ ବିଜ୍ଞ ସେମାନଙ୍କ ଚାକିରି ସୁରକ୍ଷିତ । ‘ଫ୍ୟୁଚର ଅଫ୍ ଜବ୍ସ ରିପୋର୍ଟ-୨୦୨୫’ ଅନୁସାରେ, ୨୦୩୦ ସୁଦ୍ଧା ଏଆଇ ଯୋଗୁ ୨୨% ନିଯୁକ୍ତି ପ୍ରଭାବିତ ହୋଇପାରେ ।

 

ଆହୁରି ପଢ଼ନ୍ତୁ...Grain Storage: ଏଲ୍‌ନିନୋ ଆଶଙ୍କାରେ ବିଶାଳ ଶସ୍ୟ ଭଣ୍ଡାର ଛିଡ଼ା କଲା ଭାରତ, ରେକର୍ଡ ସ୍ତରରେ ଚାଉଳ ଷ୍ଟକ୍

ଅନ୍ୟପକ୍ଷରେ, ଚୀନ୍ ୨୦୨୧ ଏବଂ ୨୦୨୫ ମଧ୍ୟରେ ନିଜର ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୨,୨୦୦ରୁ ଅଧିକ ଅଣ୍ଡର୍‌ଗ୍ରାଜୁଏଟ୍ କୋର୍ସଗୁଡ଼ିକୁ ସମାପ୍ତ କରିଦେଇଛି । ଏହା ୧୦,୨୦୦ ନୂଆ ଏଆଇ କୋର୍ସ ଆରମ୍ଭ କରିଛି । ବିଶେଷଜ୍ଞଙ୍କ କହିବାନୁସାରେ, ପାରମ୍ପରିକ ଡିଗ୍ରୀ ସମ୍ପୂର୍ଣ୍ଣ ଭାବେ ବେକାର ହେବ ନାହିଁ କିନ୍ତୁ ଏଗୁଡ଼ିକର ମହତ୍ୱ କମୁଛି । ପାଠପଢ଼ା ଶୈଳୀ ଏବଂ କଣ୍ଟେଣ୍ଟ ନ ବଦଳିଲେ ଉକ୍ତ ଡିଗ୍ରୀର କୌଣସି ମୂଲ୍ୟ ରହିବ ନାହିଁ । ନିଜକୁ ଅପ୍‌ଗ୍ରେଡ୍ କରିବାକୁ ହେବ । ଯେଉଁ ଛାତ୍ରଛାତ୍ରୀମାନେ ଦ୍ୱିତୀୟ କିମ୍ବା ତୃତୀୟ ବର୍ଷରେ ଅଛନ୍ତି, ସେମାନେ ଲାଇଭ୍ ପ୍ରୋଜେକ୍ଟରେ କାମ ଆରମ୍ଭ କରିବା ଉଚିତ । ଏଆଇ ଟୁଲ୍ସର ପ୍ରଫେସନାଲ ଲାଇସେନ୍ସ ନିଅନ୍ତୁ ଏବଂ ଏହା ଉପରେ ୬ ମାସ ରାତି ଦିନ କାର୍ଯ୍ୟ କରି ସଫ୍ଟୱେର୍ କିମ୍ବା ୱେବ୍‌ସାଇଟ୍ ବନାନ୍ତୁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।