ଭୁବନେଶ୍ବର, ୧୭/୦୬: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ଭାବେ ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରେ ୧୬୭୮ଟି ଭୁଲ୍ ଏବଂ ତଥ୍ୟ ବିକୃତି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏଭଳି କରି ଶିକ୍ଷା ବିଭାଗ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ବୋଲି ବିରୋଧୀ ଦଳମାନେ କହିଛନ୍ତି । ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି । ଏନ୍ଇପି-୨୦୨୦ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ ଅଭୂତପୂର୍ବ ଓ ଲଜ୍ଜାଜନକ ତ୍ରୁଟି ହୋଇଛି । ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏପରି କୁହାଯାଇଛି ।
ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ:
ସାମ୍ବାଦିକ ସମ୍ମିଳନୀରେ ଦଳ ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଏହା ଜାତୀୟ ଲଜ୍ଜା । ଓଡ଼ିଆ ଭାଷା, ସଂସ୍କୃତି ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ ହୋଇଛି । ଯାହାକି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନଷ୍ଟ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ଏହା କେବଳ ଛୋଟ କିମ୍ବା ପରୀକ୍ଷାମୂଳକ ତ୍ରୁଟି ନୁହେଁ, ଏହା ପିଲାଙ୍କୁ ସେମାନଙ୍କ ଇତିହାସ, ଭୂଗୋଳ, ସଂସ୍କୃତି ଓ ପରିଚୟ ବିଷୟରେ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଭ୍ରାନ୍ତି ସୃଷ୍ଟି କରିବ । ଗଣଶିକ୍ଷା ବିଭାଗ ନିଜର ତ୍ରୁଟି ଲୁଚାଇବାକୁ ଯାଇ ତୁରନ୍ତ ସଂଶୋଧନ ତାଲିକା ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ଦାୟିତ୍ୱହୀନତାର ପରିଚୟ ପ୍ରଦାନ କରୁଛି । ତେଣୁ ସବୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହର କରାଯାଉ । ପ୍ରସ୍ତୁତି, ପ୍ରୁଫ୍ ରିଡିଂରେ ହୋଇଥିବା ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ହେଉ । ଆଗାମୀ ଶିକ୍ଷା ବର୍ଷ ପୂର୍ବରୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶ କରିବାକୁ ବିଜେଡି ଦାବି କରିଛି ।
ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଉପହାସ:
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଏହି ପ୍ରଶାସନିକ ବିଫଳତା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଉପହାସ ଏବଂ ଓଡ଼ିଶାର ସମୃଦ୍ଧ ଇତିହାସ, ଭୂଗୋଳ ତଥା ସଂସ୍କୃତି ପ୍ରତି ଏକ ଅପମାନ । ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବା ପରିବର୍ତ୍ତେ ତରବରିଆ ସଂଶୋଧନ ପୁସ୍ତିକା ଜାରି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ବିଷୟକୁ ଚୁପ୍ଚାପ୍ ଚାପିଦେବାକୁ ଚେଷ୍ଟା କରୁଛି । ଏଣୁ ତୁରନ୍ତ ରାଜ୍ୟସାରା ବିତରଣ କରାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକକୁ ସମ୍ପୂର୍ଣ୍ଣ ଭାବେ ଫେରାଇ ନିଆଯାଉ । ଏହି ଚିଠାଗୁଡ଼ିକୁ ମଞ୍ଜୁର କରିଥିବା ଅଧିକାରୀମାନଙ୍କୁ ଦଣ୍ଡିତ କରିବା ସହ ଏସ୍ସିଇଆର୍ଟି ସମୀକ୍ଷା ବୋର୍ଡର କାମର ତଦନ୍ତ ହେଉ ବୋଲି ଭକ୍ତ ଦାବି କରିଛନ୍ତି । ଏଭଳି ନ ହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ।
ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଭାପତି ସଂଘମିତ୍ରା ଜେନା ମଧ୍ୟ ଏ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ପାଠ୍ୟ ପୁସ୍ତକ ପ୍ରସ୍ତୁତି ପାଇଁ ବିଶେଷଜ୍ଞ, ଶିକ୍ଷାବିତ୍, ସମ୍ପାଦକ ମଣ୍ଡଳୀ ଓ ସମୀକ୍ଷକ ମଣ୍ଡଳୀ ନିୟୋଜିତ ହୁଅନ୍ତି । ଏହା ନିମନ୍ତେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ବ୍ୟୟ ହୁଏ । ଏହା ସତ୍ତ୍ବେ ତ୍ରୁଟିପୂର୍ଣ୍ଣ ପୁସ୍ତକ ପିଲାଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଚିନ୍ତାଜନକ । ତେଣୁ ପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ଜଡ଼ିତ ପ୍ରତ୍ୟେକ ଅଧିକାରୀ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ସେ କହିଛନ୍ତି ।
ସଂଶୋଧନ ହୋଇ ପାଠପଢ଼ା ହେବ:
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଛି । ସେଥିରେ ନିଶ୍ଚିତ ଭାବେ ତ୍ରୁଟି ରହିଛି । ଏ ବାବଦରେ ବିଭାଗ ଅବଗତ ରହିଛି । ଏଥିରେ ସଂଶୋଧନ ହୋଇ ପିଲାଙ୍କୁ ପାଠପଢ଼ା ଯିବ ଏ ବିଷୟରେ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଯାହାବି ତ୍ରୁଟି ରହିଛି, ତାକୁ ସଂଶୋଧନ କରାଯିବ । ଯେଉଁଠି ତ୍ରୁଟି ରହିଛି, ଶିକ୍ଷକଙ୍କ ନଜରକୁ ଅଣାଯାଇଛି । ଶିକ୍ଷକମାନେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ପାଠ ପଢ଼ାଇବେ ବୋଲି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି ।
ଅଧିକ ପଢନ୍ତୁ- Textbook printing errors : ତରତର ହୋଇ ଛାପିଦେଲେ ୨ କୋଟି ୯୮ ଲକ୍ଷ ପାଠ୍ୟପୁସ୍ତକ, ପିଲାଙ୍କ ବହିରେ ହଜାରେ ଭୁଲ୍