ନୂଆଦିଲ୍ଲୀ ୧୭/୦୬: ଏଲ୍‌ନିନୋ ପ୍ରଭାବରେ କୃଷି ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି । ଏଭଳି ସ୍ଥିତିରେ ପରିସ୍ଥିତିର ମୁକାବିଲା ପାଇଁ ଠୋସ୍ ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଖାଦ୍ୟ ଅଭାବ ସ୍ଥିତିକୁ ପ୍ରତିହତ କରିବା ପାଇଁ ବିଶାଳ ଶସ୍ୟ ଭଣ୍ଡାର ଛିଡ଼ା କରିଛନ୍ତି । ଜୁନ୍ ଆରମ୍ଭରେ ସରକାରୀ ପଣ୍ୟାଗାରଗୁଡ଼ିକରେ ଭାରତର ଚାଉଳ ଷ୍ଟକ୍ ୧୫% ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ଗହମ ଷ୍ଟକ୍ ୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଜୁନ୍ ୧ ସୁଦ୍ଧା ସରକାରୀ ପଣ୍ୟାଗାରଗୁଡ଼ିକରେ ମୋଟ ଚାଉଳ ଷ୍ଟକ୍ ରେକର୍ଡ ୬୮.୪୩ ନିୟୁତ ମେଟ୍ରିକ ଟନ୍ ରହିଛି । ସରକାରଙ୍କ ଜୁଲାଇ ୧ର ୧୩.୫ ନିୟୁତ ଟନ୍ ଲକ୍ଷ୍ୟ ତୁଳନାରେ ଏହା ଅନେକ ମାତ୍ରାରେ ଅଧିକ ।

ସେହିଭଳି ଗହମ ଷ୍ଟକ୍ ୫୩.୪୧ ନିୟୁତ ଟନ୍ ଛୁଇଁଛି, ଯାହାକି ସରକାରୀ ଲକ୍ଷ୍ୟର ଦୁଇଗୁଣା ଏବଂ ୨୦୨୧ରୁ ସର୍ବୋଚ୍ଚ ସ୍ତର । ଶସ୍ୟ ଭଣ୍ଡାରରେ ଏତେ ମାତ୍ରାରେ ବୃଦ୍ଧି ଦ୍ୱାରା ଭାରତର ଖାଦ୍ୟ ସୁରକ୍ଷା ସ୍ଥିତି ମଜଭୁତ ହେବ ଏବଂ ଘରୋଇ ଯୋଗାଣ ଓ ରପ୍ତାନି ମଧ୍ୟରେ ସମନ୍ୱୟ ରକ୍ଷାରେ ଏହା ସହାୟକ ହେବ । ଏଲ୍‌ନିନୋ ଯୋଗୁ ବର୍ଷା କମିବ ଏବଂ ଶସ୍ୟ ଉତ୍ପାଦନ ବ୍ୟାହତ ହେବା ଆଶଙ୍କା ମଧ୍ୟରେ ରେକର୍ଡ ଶସ୍ୟ ଭଣ୍ଡାର ବିଶ୍ୱର ସର୍ବବୃହତ୍ ଚାଉଳ ରପ୍ତାନିକାରୀ ଭାରତ ପାଇଁ ସହାୟକ ହେବ । ଆବଶ୍ୟକତାଠାରୁ ଅଧିକ ଚାଉଳ ଷ୍ଟକ ସରକାରଙ୍କ ପାଖରେ ରହିଛି ।

 

ଆହୁରି ପଢ଼ନ୍ତୁ...Weather Report: ରଜ ସରିଲା, ମାଟି ଶୁଖିଲା; ବର୍ଷା ନାହିଁ, ୪୪% ନିଅଣ୍ଟିଆ, ୨୦ରୁ ବଢ଼ିପାରେ, ନଚେତ୍ ନାକେଦମ କରିବ ଗୁଳୁଗୁଳି