ନୂଆଦିଲ୍ଲୀ, ୨୦।୯: କାହିଁକି ଆତ୍ମହତ୍ୟା କଲେ, ଏହା ପଛରେ କାରଣ କ’ଣ ? ଆତ୍ମହତ୍ୟା ପାଇଁ ତାଙ୍କୁ କିଏ ଉସୁକାଇଥିଲା ଏ ସବୁକିଛି ଏବେ ଅତି ସହଜରେ ଜାଣିହେବ । ଦିଲ୍ଲୀ ଏମ୍ସରେ ତିଆରି ହେଲା ବ୍ରେନ୍ ବାୟୋ ବ୍ୟାଙ୍କ । ଦିନକୁ ଦିନ ବିଶ୍ୱରେ ବଢ଼ିବାରେ ଲାଗିଛି ଆତ୍ୟହତ୍ୟା ମାମଲା । WHO ମଧ୍ୟ ଏନେଇ ଚିନ୍ତା ପ୍ରକାଶ କରିଛି । NCRBର ୨୦୨୧ ତଥ୍ୟରେ, ୧ ଲକ୍ଷ ୬୪ ହଜାର ୦୩୩ ଆତ୍ମହତ୍ୟା ମାମଲା ରେକର୍ଡ କରାଯାଇଥିଲା । ଯାହା ୨୦୨୦ ବର୍ଷ ତୁଳନାରେ ୭.୨% ଅଧିକ । ଆତ୍ମହତ୍ୟାର ଏହି ବଢ଼ୁଥିବା ମାମଲା ଖୁବ ଚିନ୍ତାଜନକ । ଏହି ଚିନ୍ତାକୁ ଦୃଷ୍ଟିରେ ରଖି, ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ବିଷୟରେ କ'ଣ ଏବଂ କାହିଁକି ଭାବନ୍ତି ସେ ବିଷୟରେ ଗବେଷଣା କରାଯାଉଛି । ଆତ୍ମହତ୍ୟା କେବଳ ଭାବପ୍ରବଣ କିମ୍ବା ଆର୍ଥିକ ଚାପର ଫଳାଫଳ ନୁହେଁ, ବରଂ ଏହା ପଛରେ ଅନେକ ଜୈବିକ ଏବଂ ମାନସିକ କାରଣ ରହିଛି । ଲୋକମାନେ ଏହି କାରଣଗୁଡ଼ିକ ବିଷୟରେ ଅବଗତ ନୁହଁନ୍ତି । କିଏ ମାନସିକ ନିର୍ଯ୍ୟାତନା ପାଇଁ ତ ଆଉ କିଏ ଡିପ୍ରେସନକୁ ଯାଇ ଆତ୍ମହତ୍ୟାର ବାଟ ବାଛୁଛି । ହେଲେ ଜଣେ କେଉଁ କାରଣ ପାଇଁ ଆତ୍ମହତ୍ୟା ଭଳି ପନ୍ଥା ବାଛିଛି ତାହା ପ୍ରାୟ ସମୟରେ ସସପେନ୍ସ ହୋଇ ରହିଯାଉଛି ।
ହେଲେ ଏବେ ସେ ସମସ୍ୟା ଦୂର ହେବ । ଜଣେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଅତି ସହଜରେ ଜାଣିହେବ । ଏହି ଦ୍ୱନ୍ଦ୍ୱକୁ ବୁଝିବା ପାଇଁ, ଦିଲ୍ଲୀରେ ଏକ ଅନନ୍ୟ ପଦକ୍ଷେପ ନିଆଯାଇଛି ଯାହାର ନାଁ ବ୍ରେନ ବାୟୋ ବ୍ୟାଙ୍କ ବୋଲି କୁହାଯାଉଛି । ଦିଲ୍ଲୀର AIIMS ଏହି ବ୍ୟାଙ୍କ ତିଆରି କରିଛି । ଏବେ ଆସନ୍ତୁ ଜାଣିବା ବ୍ରେନ ବାୟୋ ବ୍ୟାଙ୍କ କ'ଣ ?
ବ୍ରେନ ବାୟୋ ବ୍ୟାଙ୍କ ଏକ ପ୍ରକାରର ବ୍ୟାଙ୍କ ଯାହା ଏକ ବୈଜ୍ଞାନିକ ପ୍ରଣାଳୀ ଯେଉଁଠାରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମସ୍ତିଷ୍କ ନମୁନାକୁ ସୁରକ୍ଷିତ ରଖାଯିବ । ଏହି ନମୁନାଗୁଡ଼ିକୁ ସଂରକ୍ଷଣ କରି, ଡାକ୍ତରମାନେ ସେଗୁଡ଼ିକୁ ପରୀକ୍ଷା କରିବେ ଏବଂ ଆତ୍ମହତ୍ୟା କରୁଥିବା ଲୋକଙ୍କ ମନରେ କ’ଣ ଚିନ୍ତାଧାରା ଆସେ ତାହା ଜାଣିବା ପାଇଁ ସେଗୁଡ଼ିକୁ ଅଧ୍ୟୟନ କରିବେ । ଏହି ବ୍ୟାଙ୍କରେ ମସ୍ତିଷ୍କର ତିନୋଟି ଅଂଶ ଯେପରିକି PFC, ହିପୋକ୍ୟାମ୍ପସ, ଆମିଗଡାଲାରୁ ନମୁନା ରହିବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ମସ୍ତିଷ୍କର ଏହି ଅଂଶଗୁଡ଼ିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ । ଏହା ଆତ୍ମହତ୍ୟା ପ୍ରବୃତ୍ତି ପଛରେ କେଉଁ ଜୈବିକ ଏବଂ ମାନସିକ କାରଣ କାମ କରେ ତାହା ପ୍ରକାଶ କରିବ । ଜୈବିକ କାରଣ ଅର୍ଥ ମସ୍ତିଷ୍କରେ ସନ୍ତୁଳନ ବିଗିଡ଼ିବା ।
ଏମ୍ସର ଫରେନ୍ସିକ ବିଭାଗର ଡାକ୍ତର ଚିତ୍ତରଞ୍ଜନ ମେହେରାଙ୍କ ଅନୁସାରେ, ଯଦି ଆମେ ଆତ୍ମହତ୍ୟା ମାମଲା ବିଷୟରେ କଥା ହେବା, ତେବେ ଭାରତରେ ପ୍ରତିବର୍ଷ ପାଖାପାଖି ୧ ଲକ୍ଷ ୭୦ହଜାର ଲୋକ ଆତ୍ମହତ୍ୟା କରନ୍ତି । ଏହି କ୍ଷେତ୍ରରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ବୟସ ୨୦ରୁ ୪୦ ବର୍ଷ । ଯଦି ଏହି ବୟସର ଲୋକମାନେ ଆତ୍ମହତ୍ୟା କରନ୍ତି, ତେବେ ଏହାର କାରଣ ମାନସିକ ଚାପ, ଚାକିରି ସମସ୍ୟା, ସମ୍ପର୍କରେ ତିକ୍ତତା ଏବଂ ଆର୍ଥିକ ସଙ୍କଟ ବୋଲି ବିବେଚନା କରାଯାଏ । କିନ୍ତୁ ବାସ୍ତବରେ, ମସ୍ତିଷ୍କରେ ଅନେକ ରାସାୟନିକ ଏବଂ ଜୈବିକ ପରିବର୍ତ୍ତନ ଘଟେ, ଯାହା ଜଣେ ବ୍ୟକ୍ତିଙ୍କୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ କରେ । ଏହି ଚାପକୁ ବୁଝିବା ପାଇଁ, ବ୍ରେନ ବାୟୋ ବ୍ୟାଙ୍କର ଗବେଷଣା ଆବଶ୍ୟକ । ଏଥିରେ ଆତ୍ମହତ୍ୟା କରିଥିବା ଲୋକଙ୍କ ମସ୍ତିଷ୍କ ନମୁନା ରଖାଯିବ । ଆଗାମୀ ୫ ବର୍ଷ ପାଇଁ ଅଧ୍ୟୟନ କରାଯିବ ।ଏହି ବ୍ରେନ ବାୟୋ ବ୍ୟାଙ୍କର ସହାୟତାରେ ଆତ୍ମହତ୍ୟାର କାରଣଗୁଡ଼ିକୁ ସଠିକ ଭାବରେ ଚିହ୍ନଟ କରାଯାଇପାରିବ । ଠିକ ସମୟରେ ଚିକିତ୍ସା ଏବଂ ପରାମର୍ଶ ଯୋଗାଇ ଦିଆଯାଇପାରିବ । ଔଷଧ ଏବଂ ଚିକିତ୍ସାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ । ଭବିଷ୍ୟତରେ ଅନେକ ଜୀବନ ରକ୍ଷା କରାଯାଇପାରିବ । ମୋଟ ଉପରେ କହିବାକୁ ଗେଲ ଏବେ ମୃତ ମଣିଷର ମସ୍ତିଷ୍କ କହିବ ଆତ୍ୟହତ୍ୟାର କାରଣ ।