ଭୁବନେଶ୍ୱର, ୧୭/୦୬ : ସରି... ଆପ୍ପା । ସରି ଆମ୍ମା । ମୁଁ ଆଉ ଯନ୍ତ୍ରଣା ସହିପାରୁନି । ମତେ ମାଫ୍ କରିଦେବ । ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହେଁ । ଏଭଳି କିଛି କୋହଭରା ସୁଇସାଇଡ୍ ନୋଟ ଲେଖି ଏମ୍ସର ଜଣେ ପିଜି ଛାତ୍ରୀ ଝୁଲିପଡ଼ିଛନ୍ତି । ତାଙ୍କ ନାଁ ଦିବ୍ୟା ଭି. (୨୬ ବର୍ଷ) । ଘର କର୍ଣ୍ଣାଟକ କୋଲାର ଜିଲ୍ଲାରେ । ସେ ପିଜି ତୃତୀୟ ବର୍ଷର ଛାତ୍ରୀ ଥିଲେ । ଏମ୍ସରେ ଏକାଡେମିକ ଜୁନିଅର ରେସିଡେଣ୍ଟ (ଫାର୍ମାକୋଲୋଜି) ଡାକ୍ତରୀ କରୁଥିଲେ । କସମୋପଲିସ ଆପାର୍ଟମେଣ୍ଟର ଭଡ଼ା ଘରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ସୂଚନା ମୁତବକ, ଦିବ୍ୟାଙ୍କ ସହ ଅନ୍ୟ ଜଣେ ରୁମ୍ମେଟ୍ ଉକ୍ତ ଫ୍ଲାଟ୍ରେ ରହୁଥିଲେ । ସେ ମଧ୍ୟ ଏମ୍ସର ପିଜି ଛାତ୍ରୀ । ମଙ୍ଗଳବାର ସକାଳ ସାଢ଼େ ୯ଟାରେ ରୁମ୍ମେଟ୍ ଜଣକ ଫ୍ଲାଟ୍ରୁ ବାହାରି ହସ୍ପିଟାଲକୁ ଯାଇଥିଲେ । ସେତେବେଳେ ଦିବ୍ୟା ଚୁପ୍ଚାପ୍ ରୁମ୍ରେ ବସିଥିଲେ । ସେ ମଧ୍ୟାହ୍ନ ୧ଟାରେ ରୁମ୍କୁ ଫେରିବା ବେଳକୁ ଭିତର ପଟୁ ବନ୍ଦ ଥିବା ଦେଖିଥିଲେ । ଅନେକଥର ଡାକିବା ସତ୍ତ୍ଵେ ଦିବ୍ୟା କବାଟ ନ ଖୋଲିବାରୁ ତାଙ୍କର ସନ୍ଦେହ ଉପୁଜିଥିଲା । ରୁମ୍ମେଟ୍ ଜଣକ ସଙ୍ଗେ ସଙ୍ଗେ ଡୁପ୍ଲିକେଟ୍ ଚାବିରେ କବାଟ ଖୋଲିଥିଲେ । ଦିବ୍ୟା ଏକ ବେଡ୍ସିଟ୍ରେ ବେକକୁ ଗୁଡ଼ାଇ ଫ୍ୟାନ୍ରେ ଝୁଲିପଡ଼ିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଓହ୍ଲାଇ ଏମସ୍କୁ ପଠାଇଥିଲା । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଉକ୍ତ ଫ୍ଲାଟ୍ରେ ତନାଘନା କରି ଫେରିଛି ।
ରୁମ୍ରୁ ଏକ ଡାଏରୀରେ ହାତଲେଖା ସୁଇସାଇଡ୍ ନୋଟ୍କୁ ପୁଲିସ ଜବତ କରିଛି । ସୁଇସାଇଡ୍ ନୋଟ୍ଟି ଦିବ୍ୟାଙ୍କ ହାତଲେଖା କି ନୁହେଁ, ତାହା ଜାଣିବାକୁ ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ।ସେହିପରି ଦିବ୍ୟାଙ୍କ ସହପାଠୀ ଓ ସହକର୍ମୀଙ୍କୁ ପଚରାଉଚରା ବେଳେ ଦିବ୍ୟାଙ୍କ ରୋଗ ଓ ଯନ୍ତ୍ରଣାର ଇତିହାସ ଜାଣିବାକୁ ପାଇଛି ପୁଲିସ । ଗତ ଏପ୍ରିଲ ୨୪ ତାରିଖରେ ଏହି ରୋଗ ଯୋଗୁ ସେ ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ଧରି ଯନ୍ତ୍ରଣା ଅସହ୍ୟ ହୋଇଥିବା ତାଙ୍କ ରୁମ୍ମେଟ୍ ପୁଲିସକୁ ଜଣାଇଛନ୍ତି ।
ଆହୁରି ପଢନ୍ତୁ- Social issues : ୯୫ ବର୍ଷୀୟା ମା’କୁ ଜଙ୍ଗଲରେ ଫିଙ୍ଗିଦେଲେ, ୨ ଦିନ ପରେ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କଲା ପୁଲିସ
ହାଇଟେକ୍ ଆମେରିକାରେ ୩୦୦ ବର୍ଷ ପଛରେ ଅଟକିଥିବା ଦୁନିଆ; ଆଧୁନିକତା ରୁ ବହୁ ଦୂରରେ ଜୀବନ କାଟନ୍ତି ଏମିଶ ସମ୍ପ୍ରଦାୟ