ଭୁବନେଶ୍ୱର, ୧୭।୬: ମୌସୁମୀ ଋତୁରେ ନିରାପଦ ଟ୍ରେନ୍ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଜୋରଦାର ପ୍ରସ୍ତୁତି ଚଳାଇଛି ପୂର୍ବତଟ ରେଲୱେ । ଜୋନର ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଘାଟି ସେକ୍ସନରେ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ପଥର ଖସିବା, ମୃତ୍ତିକା କ୍ଷୟ ଏବଂ ପ୍ରତିକୂଳ ପାଣିପାଗ ପରିସ୍ଥିତିର ଆଶଙ୍କା ଥିବା ଘାଟି ଅଞ୍ଚଳରେ ଏହି କାର୍ଯ୍ୟ ଜାରି ରହିଛି । ଭିତ୍ତିଭୂମି ସୁରକ୍ଷା ଏବଂ ପରିଚାଳନାଗତ ବିଶ୍ୱସନୀୟତା ବୃଦ୍ଧି କରିବା ପାଇଁ ପ୍ରାଥମିକତା ଭିତ୍ତିରେ ରକ୍ ଫଲ୍ ବ୍ୟାରିୟର୍ସ, ରକ୍ ବୋଲ୍ଟିଂ, ୱାୟାର୍ ମେସ୍ ନେଟିଂ, ଜିଓମ୍ୟାଟ୍ ଲେଇଙ୍ଗ୍ ଏବଂ ସୁଡ଼ଙ୍ଗ ସୁଦୃଢ଼ୀକରଣ କାର୍ଯ୍ୟକାରୀ କରାଯାଉଛି । ପୂର୍ବତଟ ରେଲୱେ ପକ୍ଷରୁ କୋଟ୍ଟାଭାଲାସା-କିରଣ୍ଡୁଲ, କୋରାପୁଟ-ରାୟଗଡ଼ା ଏବଂ ରାୟଗଡ଼ା-ବିଜୟନଗରମ୍ ରେଳପଥର ସମ୍ବେଦନଶୀଳ କଟିଂ (ପାହାଡ଼ କଟା ଅଞ୍ଚଳ) ଓ ଟନେଲ୍ଗୁଡ଼ିକରେ ସୁରକ୍ଷା ଓ ସୁଦୃଢ଼ୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । କେକେ-୧ ସେକ୍ସନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରାଯାଇଛି ।

ସର୍ବମୋଟ୍ ୯୧୦ ମିଟରର ରକ୍ ଫଲ୍ ବ୍ୟାରିୟର୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହା ସହିତ, ୨୯,୭୭୬ ବର୍ଗ ମିଟରର ୱାୟାର୍ ମେସ୍ ନେଟିଂ ଏବଂ ୨୨,୧୯୭ ମିଟରର ରକ୍ ବାଲ୍ଟିଂ କାର୍ଯ୍ୟ ମଧ୍ୟ ସରିଛି । ଏଥିପାଇଁ ୩୪୬ଟି ଗାତ ଖନନ ଏବଂ ୪୦ଟି ଗାତର ଗ୍ରାଉଟିଂ ସାମିଲ ରହିଛି । ଏହାବ୍ୟତୀତ, ଅତିରିକ୍ତ ଢାଲ ସୁରକ୍ଷା ପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୩୦୦ ବର୍ଗ ମିଟରର ରୋମ୍ବୋଇଡାଲ୍ ମେସ୍ଏବଂ ୭୩୦ ବର୍ଗ ମିଟରର ମୋନୋ ଓରିଏଣ୍ଟେଡ୍ ମେସ୍ ବିଛାଯାଇଛି । କେକେ-୨ ସେକ୍ସନରେ ଧାର୍ଯ୍ୟ କରାଯାଇଥିବା ସମ୍ପୂର୍ଣ୍ଣ ୧୨୦ ମିଟରର ରକ୍ ଫଲ୍ ବ୍ୟାରିୟର୍ କାର୍ଯ୍ୟ ଶେଷ ହୋଇଛି । ଏହାବ୍ୟତୀତ ୪,୨୦୦ ବର୍ଗ ମିଟରର ୱାୟାର୍ ମେସ୍ ନେଟିଂ କାର୍ଯ୍ୟ କରାଯାଇଛି । କୋରାପୁଟରାୟଗଡ଼ା (କେଆର୍) ସେକ୍ସନରେ ମଧ୍ୟ ସୁରକ୍ଷା କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି । ଏପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ୩୦୦ ମିଟରର ରକ୍ ଫଲ୍ ବ୍ୟାରିୟର୍ କାର୍ଯ୍ୟ ଏବଂ ୧,୬୦୦ ମିଟରର ରକ୍ ବୋଲ୍ଟିଂ କାର୍ଯ୍ୟ ସମାପ୍ତ ହୋଇଛି । ଏଥିସହ ୧୦,୦୦୦ ବର୍ଗ ମିଟରର ୱାୟାର୍ ମେସ୍ ନେଟିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଢିଲା ପଥର ଖସିବାର ବିପଦକୁ ହ୍ରାସ କରିବା, ଢାଲର ସ୍ଥିରତା ବଢ଼ାଇବା ଏବଂ ଚ୍ୟାଲେଞ୍ଜପୂର୍ଣ୍ଣ ଘାଟି ଅଞ୍ଚଳ ଦେଇ ବିନା ବାଧାରେ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଏହି ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି ।

ସେହିପରି ରାୟଗଡ଼ା-ବିଜୟନଗରମ୍ (ଆର୍ଭି) ସେକ୍ସନରେ, ଲାଞ୍ଜିଗଡ଼ ରୋଡ୍ ଏବଂ ରାୟଗଡ଼ା ମଧ୍ୟରେ ଥିବା ସମ୍ବେଦନଶୀଳ କଟିଂ ଗୁଡ଼ିକରେ ସୁରକ୍ଷା କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ ଚାଲିଛି । ଏହାକୁ ୩୦ ଜୁନ୍ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କୋରାପୁଟ-ରାୟଗଡ଼ା ସେକ୍ସନ ଅଧୀନରେ ଥିବା ସୁଡ଼ଙ୍ଗଗୁଡ଼ିକର ସୁରକ୍ଷା ବୃଦ୍ଧି ପାଇଁ ତିନୋଟି ସୁଡ଼ଙ୍ଗର ସୁଦୃଢ଼ୀକରଣ ଟେଣ୍ଡର ଆଲର୍ଟ କରାଯାଇଛି । ଟ୍ରାଫିକ୍ ଏବଂ ପାୱାର୍ ବ୍ଲକ୍ ଆବଶ୍ୟକତା ଚୂଡ଼ାନ୍ତ ହୋଇଛି । ଡିଭିଜନ୍ ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରୁଛି । ଏହାବ୍ୟତୀତ ସ୍ଥାୟୀ ଦୀର୍ଘକାଳୀନ ପ୍ରତିକାର ବ୍ୟବସ୍ଥା ଚିହ୍ନଟ କରିବା ଏବଂ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ, କେକେ ଏବଂ କେଆର ସେକ୍ସନର ଅନ୍ୟାନ୍ୟ ସମ୍ବେଦନଶୀଳ କଟିଂ ଗୁଡ଼ିକରେ ଜିଓଲୋଜିକାଲ ସର୍ଭେ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ... Rainless monsoon : ରାଜଧାନୀକୁ ଆସିଛି ବର୍ଷା ବିହୀନ ମୌସୁମୀ, ବାଦଲ ଜଗୁଛି ଅଦୃଶ୍ୟ ବଳୟ, ୫୦ ଡିଗ୍ରୀ ଭଳି ଗରମରେ ଲୋକେ ଛଟପଟ