ଝାଡ଼ଖଣ୍ଡ, ୨୪।୨: ଋଣରେ ପାଠପଢ଼ା, ଋଣରେ ଚିକିତ୍ସା ଆଉ ଋଣରେ ଏୟାର ଆମ୍ୱୁଲାନ୍ସ ଭଡ଼ା, ଋଣରେ ହିଁ ଶେଷ ହେଲା ସବୁକିଛି ! ରାଞ୍ଚି ବିମାନ ଦୁର୍ଘଟଣା ଉଜାଡ଼ିଦେଲା ଅନେକ ପରିବାର । ଏହି ହୃଦୟବିଦାରକ କାହାଣୀଟି କେବଳ ଏକ ବିମାନ ଦୁର୍ଘଟଣାର ନୁହେଁ, ବରଂ ଅନେକ ସ୍ୱପ୍ନ, ସଂଘର୍ଷ ଏବଂ ଋଣ ବୋଝ ତଳେ ଚାପି ହୋଇ ରହିଥିବା ପରିବାରଗୁଡ଼ିକର କରୁଣ ଗାଥା । ସେହି ଅଭିଶପ୍ତ ୨୩ ମିନିଟ୍ । ସନ୍ଧ୍ୟା ୭ଟା ୧୧ ମିନିଟ୍ । ବିମାନଟି ରାଞ୍ଚିରୁ ଉଡ଼ାଣ ଭରିଥିଲା । କିନ୍ତୁ ଖରାପ ପାଗ ଓ କମ୍ ଭିଜିବିଲିଟି ଯୋଗୁଁ ମାତ୍ର ୨୩ ମିନିଟ୍ ପରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସିମରିଆର ଘଞ୍ଚ ଜଙ୍ଗଲରେ ପ୍ଲେନ୍ଟି କ୍ରାସ୍ ହୋଇଗଲା । ଝାଡ଼ଖଣ୍ଡର ଚତରା ଜିଲ୍ଲା ଅନ୍ତର୍ଗତ ସିମରିଆ ଜଙ୍ଗଲରେ ଯେତେବେଳେ ସେହି ଏୟାର ଆମ୍ବୁଲାନ୍ସଟି ଖସିପଡ଼ିଲା, ସେତେବେଳେ କେବଳ ୭ଟି ଜୀବନ ଯାଇନଥିଲା, ବରଂ ଉଜୁଡ଼ି ଯାଇଥିଲା ଅନେକ ପରିବାରର ଶେଷ ସମ୍ବଳ ।
ଏହା ବି ପଢ଼ନ୍ତୁ... ଏୟାରଆମ୍ବୁଲାନ୍ସ କ୍ରାସ୍ରେ ସମସ୍ତ ୭ ଯାତ୍ରୀ ମୃତ, ପାଇଲଟ୍ ATC କୁ ରୁଟ୍ ବଦଳାଇବାକୁ କହିଥିଲେ ହେଲେ...
ରାଞ୍ଚି ସଦର ହସ୍ପିଟାଲରେ କାର୍ଯ୍ୟରତ ଥିଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡାକ୍ତର ବିକାଶ କୁମାର ଗୁପ୍ତା । ତାଙ୍କ ବାପା ବଜରଙ୍ଗୀ ପ୍ରସାଦ ଜଣେ ସରଳ ମଣିଷ । ମନରେ ଥିବା କୋହକୁ ପ୍ରକାଶ କରି ସେ କହନ୍ତି, "ମୁଁ ମୋର ସବୁ ଜମିବାଡ଼ି ବିକି ଦେଇଥିଲି, ଋଣ କରିଥିଲି... କେବଳ ଗୋଟିଏ ସ୍ୱପ୍ନ ଥିଲା ଯେ, ମୋ ପୁଅ ଡାକ୍ତର ହେବ ।" ଓଡ଼ିଶାର କଟକରୁ ଏମବିବିଏସ ପଢ଼ିଥିବା ବିକାଶଙ୍କ ପାଇଁ ଟଙ୍କା ଯୋଗାଡ଼ କରିବା ବହୁତ କଷ୍ଟକର ଥିଲା । ଲୋକେ କହୁଥିଲେ, "ଏତେ ଋଣ କରନି, ସୁଝିବ କେମିତି ?" ବାପା କହୁଥିଲେ, "ପୁଅ ଥରେ ପାଠ ପଢ଼ି ସାରୁ, ସବୁ ଋଣ ସୁଝିଦେବ ।" କିନ୍ତୁ ଆଜି ସେ ପୁଅ ନାହିଁ କି ଋଣ ସୁଝିବାର ଆଶା ନାହିଁ ।
ବିମାନର ଆଉ ଜଣେ ଯାତ୍ରୀ ସଞ୍ଜୟ କୁମାର । ସଞ୍ଜୟ ଗୋଟେ ଛୋଟିଆ ହୋଟେଲର ମାଲିକ ଥିଲେ । ଗତ ସପ୍ତାହରେ ହୋଟେଲରେ ନିଆଁ ଲାଗି ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ । ସଞ୍ଚିତ ଅର୍ଥ ସବୁ ଚିକିତ୍ସାରେ ଶେଷ ହୋଇଗଲା । ଶେଷରେ ଡାକ୍ତର କହିଲେ ଦିଲ୍ଲୀ ନେବାକୁ । ସଡ଼କ ପଥରେ ନେବା ବିପଦଜନକ ଥିବାରୁ ଏୟାର ଆମ୍ବୁଲାନ୍ସ ହିଁ ଥିଲା ଏକମାତ୍ର ଭରସା । ଏୟାର ଆମ୍ବୁଲାନ୍ସ ପାଇଁ ଦରକାର ଥିଲା ପ୍ରାୟ ୮ ଲକ୍ଷ ଟଙ୍କା । ସଞ୍ଜୟଙ୍କ ଭାଇ ଅଜୟ କହନ୍ତି, "ଆମେ ଆତ୍ମୀୟ ସ୍ୱଜନଙ୍କଠାରୁ ଋଣ ଆଣିଲୁ, କିଏ ଭରସାରେ ଦେଲା ତ କିଏ ସୁଧରେ । ଭାବିଥିଲୁ ଜୀବନ ବଞ୍ଚିଗଲେ ସବୁ ସୁଝିଦେବୁ ।" କିନ୍ତୁ ବିମାନ ଦୁର୍ଘଟଣାରେ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା । ଏହି ଯାତ୍ରାରେ ସଞ୍ଜୟଙ୍କ ସହ ଥିଲେ ତାଙ୍କ ୧୭ ବର୍ଷର ଭଣଜା ଧ୍ରୁବ, ଯିଏ ନିଜ ପାଠପଢ଼ା ଛାଡ଼ି ମାମୁଁଙ୍କ ସେବାରେ ଲାଗିଥିଲେ । ସେ ଥିଲେ ପରିବାରର ଏକମାତ୍ର ପୁଅ । ସଞ୍ଜୟଙ୍କ ସହ ସେ ବି ପ୍ରାଣ ହରାଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପାଇଲଟ୍, କୋ-ପାଇଲଟ୍, ମେଡିକାଲ ଟିମ୍ ଏବଂ ରୋଗୀଙ୍କ ସମେତ ସମସ୍ତ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଜଙ୍ଗଲ ଭିତରେ ୪ କିଲୋମିଟର ପାଦରେ ଚାଲି ଚାଲି ଯାଇ ଶବଗୁଡ଼ିକୁ କାନ୍ଧରେ ବୋହି ଆଣିଥିଲେ ରେସକ୍ୟୁ ଟିମ୍ । ଜଙ୍ଗଲରେ ବିଛାଡ଼ି ହୋଇ ପଡ଼ିଥିବା ସେହି ବିମାନର ଭଙ୍ଗା ଅଂଶ କେବଳ ଏକ ଦୁର୍ଘଟଣାର ପ୍ରମାଣ ନଥିଲା, ବରଂ ସେଗୁଡ଼ିକ ଥିଲା ସେହି ଋଣ ଏବଂ ସ୍ୱପ୍ନର କାହାଣୀ, ଯାହା ସବୁଦିନ ପାଇଁ ମାଟିରେ ମିଶିଗଲା ।