ଚନ୍ଦନେଶ୍ଵର,୧୦/୬ (ଆ.ପ୍ର): ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ପରେ ତାଳସାରୀ ବେଳାଭୂମି ନିକଟରେ ହେବ ବାୟୁ ସେନା ବିଭାଗର କ୍ଷେପଣାସ୍ତ୍ର ଘାଟି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବାୟୁସେନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ୭ କୋଟି ଟଙ୍କା ବ୍ୟୟରେ ଜଗନ୍ନାଥପୁର ବିଦ୍ୟୁତ ବିଭାଗର ଷ୍ଟ୍ରକଚର ପାଖରୁ ତାଳସାରୀ ପର୍ଯ୍ୟନ୍ତ ମାଟିତଳେ ବିଦ୍ୟୁତ ତାର ବିଛାକାର୍ଯ୍ୟ ଆରମ୍ଭ ହୋଇ ଯାଇଛି ।
ଖାଲି ସେତିକି ନୁହେଁ, ଜଗନ୍ନାଥପୁର ଷ୍ଟ୍ରକଚରରୁ ପ୍ରସିଦ୍ଧ ଚନ୍ଦନେଶ୍ଵର ଶୈବପୀଠ ପର୍ଯ୍ୟନ୍ତ ମଧ୍ୟ ମାଟିତଳେ ଅଲଗା କେବୁଲତାର ବିଛାଯିବ । ସେଠାରୁ ତାଳସାରୀ ପାନ୍ଥ ନିବାସ ପର୍ଯ୍ୟନ୍ତ ସ୍ୱତନ୍ତ୍ର କେବୁଲରେ ବିଦ୍ୟୁତ ଯୋଗାଣ ପାଇଁ ଟାଟା ପାୱାର ପକ୍ଷରୁ ୨କୋଟି ୨୦ଲକ୍ଷ ବ୍ୟୟ ହେବ । ଏହାଛଡା କାନ୍ଧିଭଉଁରୀରେ ଓପିଟିସିଏଲ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ସ୍ପ୍ରେ କଚର କାର୍ଯ୍ୟ ଚାଲୁ ରହିଥିବା କଥା ଚନ୍ଦନେଶ୍ଵର ସେକ୍ସନର ପରିଚାଳକ ଦୀପ୍ତିକାନ୍ତ ନାୟକ ସୂଚନା ଦେଇଛନ୍ତି ।
ବିବରଣୀରୁ ପ୍ରକାଶ, ପ୍ରାୟ ୩୦ବର୍ଷ ପୂର୍ବରୁ ତାଳସାରୀ ବେଳାଭୂମି ନିକଟରେ ବାୟୁ ସେନା ବିଭାଗ ପକ୍ଷରୁ ରକେଟ ପରୀକ୍ଷା କରା ଯାଇଥିଲା । ସେଠାରେ ବାୟୁ ସେନା ବିଭାଗର ୧୦ ଏକରରୁ ଉର୍ଦ୍ଧ ଜାଗା ମଧ୍ୟ ରହିଛି । ଏଠାରେ କ୍ଷେପଣାସ୍ତ୍ର ଘାଟି ହେବା କଥା ଲୋକଙ୍କ ମନରୁ ଲିଭି ଯାଇଥିବା ବେଳେ ଏବେ ପୁଣି ସରକାର ପଦକ୍ଷେପ ନେଉଥିବା ଶୁଣିବାକୁ ମିଳିଛି । କାରଣ ବାୟୁସେବା ବିଭାଗର ସ୍ଵତନ୍ତ୍ର ଖର୍ଚ୍ଚରେ ବହୁ ଅର୍ଥ ବ୍ୟୟକରି ବିଦ୍ୟୁତ ନେବା ଲୋକଙ୍କ ଆଶଙ୍କାକୁ ବଢାଇ ଦେଇଛି । ଜଗନ୍ନାଥପୁର ଷ୍ଟ୍ରକଚରରୁ ବାଡସରିଷା, ବରବରିଆ ହେଇ ତାଳସାରୀରେ ବିଦ୍ୟୁତ ପହଞ୍ଜିବ । ଏଥିପାଇଁ ମାଟିତଳେ କେବୁଲ ତାର ବିଛା ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି ।
ସେହିଭଳି ଜଗନ୍ନାଥପୁର ଷ୍ଟ୍ରକଚରରୁ ଆଉ ଏକ ମାଟିତଳ କେବୁଲ ଚନ୍ଦନେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି । ଏହାହେଲେ ଏହି ସବୁ ସ୍ଥାନରେ ଆଉ ବିଜୁଳି କାଟ ସମସ୍ୟା ରହିବ ନାହିଁ । ଭୋଗରାଇରେ ପ୍ରଥମ କରି ମାଟିତଳେ କେବୁଲ ବିଛା କାର୍ଯ୍ୟ ଏଠାରେ ଆରମ୍ଭ ହୋଇଛି । ଅପରପକ୍ଷରେ କାନ୍ତିଭଉଁରୀ ଡାକବଙ୍ଗଳା ଠାରେ ଓପିସିଏଲ ପକ୍ଷରୁ ଏକ ଷ୍ଟ୍ରକଚର କାର୍ଯ୍ୟ ହେଉଛି । ସେଠାରେ ୪ଟି ୧୧ କେଭିର ଫିଡର ହୋଇ ନାରାୟଣ ମହାରି ପଡିଆ, କାନ୍ଥିଭଉଁରୀ, ଟୁକୁରୀହାଙ୍ଗିରା, ଶ୍ରଦ୍ଧାପୁର ଆଦି ପଂଚୟତକୁ ବିଦ୍ୟୁତ ଯୋଗାଣ ହେବ ଯାହା ଫଳରେ ଲୋକଙ୍କ ସମସ୍ୟାରେ ସୁଧାର ଆସିବ ।