ନୂଆଦିଲ୍ଲୀ/ଭୁବନେଶ୍ୱର, ୨୯।୪: ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବିମାନରେ ବଡ଼ଧରଣର ବିଭ୍ରାଟ ଦେଖାଦେଇଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର IX-1057 ବିମାନଟି ମଧ୍ୟ ଆକାଶରେ ଥିବାବେଳେ ହଠାତ୍ ସମସ୍ୟା ଦେଖାଦେବାରୁ ଏହାକୁ ରାଜସ୍ଥାନର ଜୟପୁର ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଛି ।

ଇନ୍ଧନ ଅଭାବ ନା ଯାନ୍ତ୍ରିକ ତ୍ରୁଟି ?

ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିମାନରେ ଇନ୍ଧନ ବା ଫ୍ୟୁଲ୍‌ର କମି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ବିମାନରେ କୌଣସି ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହାଫଳରେ ପାଇଲଟ୍ ବିମାନଟିକୁ ସୁରକ୍ଷିତ ଭାବେ ଜୟପୁରରେ ଓହ୍ଲାଇଥିଲେ ।

ବିମାନ ଭିତରେ ବନ୍ଦୀ ରହିଲେ ଯାତ୍ରୀ:

ଅବତରଣ ପରେ ବିମାନ ବନ୍ଦରରେ ଏକ ଅଜବ ସ୍ଥିତି ଦେଖିବାକୁ ମିଳିଥିଲା । ସୁରକ୍ଷା ଦୃଷ୍ଟିକୋଣରୁ କିମ୍ବା ଅନ୍ୟ କୌଣସି କାରଣରୁ ଯାତ୍ରୀମାନଙ୍କୁ ବିମାନରୁ ବାହାରକୁ ଆସିବାକୁ ଅନୁମତି ଦିଆଯାଇ ନଥିଲା । ଦୀର୍ଘ ସମୟ ଧରି ଯାତ୍ରୀମାନେ ବିମାନ ଭିତରେ ହିଁ ବସି ରହିଥିଲେ, ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଭୟର ବାତାବରଣ ଦେଖାଦେଇଥିଲା ।

ପାଣିପାଗ ସାଜିଲା ବାଧକ: ଅସ୍ତବ୍ୟସ୍ତ ହେଲା ବିମାନ ସେବା

ସୂଚନାଯୋଗ୍ୟ ଯେ, ଗତ ସୋମବାର ରାତିରୁ ଖରାପ ପାଣିପାଗ ଓ ପ୍ରବଳ ଧୂଳିଝଡ଼ ଯୋଗୁଁ ଜୟପୁର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋ-ଭିଜିବିଲିଟି ଯୋଗୁଁ ଅନେକ ବିମାନ ଅବତରଣ କରିନପାରି ଆକାଶରେ ଘଣ୍ଟା ଘଣ୍ଟା ଧରି ଚକ୍କର କାଟିଥିଲେ । ଆବୁଧାବିରୁ ଆସୁଥିବା ଏହି ବିମାନଟି ପ୍ରାୟ ୮ ଥର ଆକାଶରେ ଚକ୍କର କାଟିବା ପରେ ସଫଳ ଅବତରଣ କରିଥିଲା । ମୁମ୍ବାଇରୁ ଜୟପୁର ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ (IX-1219) ଏବଂ ଅହମ୍ମଦାବାଦରୁ ଆସୁଥିବା ଇଣ୍ଡିଗୋ (6E-7131) ବିମାନକୁ ଜୟପୁରରେ ଓହ୍ଲାଇବାକୁ ଅନୁମତି ନମିଳିବାରୁ ସେଗୁଡ଼ିକୁ ଦିଲ୍ଲୀକୁ ଡାଇଭର୍ଟ କରି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଅଭିମୁଖେ ଆସୁଥିବା ଯାତ୍ରୀମାନଙ୍କ ପରବର୍ତ୍ତୀ ଯାତ୍ରା ନେଇ ଏୟାରଲାଇନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଆହୁରି ପଢ଼ନ୍ତୁ... ​​​​​​​ପୋଲିଂ ବୁଥ୍ ଇଭିଏମ୍‌ରେ ‘ପଦ୍ମ ଚିହ୍ନ’ ଉପରେ ଲାଗିଲା ଟେପ୍,ପୁଣି ଥରେ ଭୋଟିଂ ପାଇଁ ବିଜେପିର ଦାବି