ନୂଆଦିଲ୍ଲୀ, ୦୧/୦୧ : ନୂଆବର୍ଷ ଅବସରରେ ଏୟାର ଇଣ୍ଡିଆର ବଡ଼ ଉପହାର। ଏବେ ଫ୍ଲାଇଟ୍‌ରେ ମିଳିବ ୱାଇ-ଫାଇ। ଏୟାର ଇଣ୍ଡିଆର ଘରୋଇ ଫ୍ଲାଇଟ୍‌ରେ ୱାଇ-ଫାଇ ଇଣ୍ଟରନେଟ୍ ମିଳିବ। ଏହି ସୁବିଧା ଦେବାରେ ଏୟାର ଇଣ୍ଡିଆ ହେଉଛି ପ୍ରଥମ ଭାରତୀୟ ଏୟାରଲାଇନ୍। 

ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାରବେସ୍ ଏ୩୫୦, ବୋଇଙ୍ଗ୍ ୭୮୭-୯ ଏବଂ ଏୟାରବେସ୍ ଏ୩୨୧ ନିୟୋ ବିମାନରେ ଯାତ୍ରୀମାନେ ୧୦ ହଜାର ପୁଟ ଉପରେ ଉଡାଣ ଭରିବା ସମୟରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ସୋସିଆଲ୍ ମିଡିଆ ଦେଖିପାରିବେ। ଇଣ୍ଟରନେଟ୍‌ରେ କାମ କରିପାରିବେ। ନିଜ ପ୍ରିୟଜନଙ୍କୁ ମେସେଜ୍ କରିପାରିବେ। ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ରୁଟ୍ ନ୍ୟୁୟର୍କ, ଲଣ୍ଡନ, ପ୍ୟାରିସ୍ ଏବଂ ସିଙ୍ଗାପୁରରେ ଏହି ସର୍ଭିସ୍ ପୂର୍ବରୁ ମିଳୁଥିଲା। ଏବେ ଘରୋଇ ରୁଟ୍‌ରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି। ଏହି ୱାଇ-ଫାଇ ସର୍ଭିସ୍ ଲାପଟପ୍, ଟାବଲେଟ୍, ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଓଏସ୍ ସ୍ମାର୍ଟଫୋନ୍‌ରେ ମାଗଣାରେ ମିଳିବ। ଏୟାର ଇଣ୍ଡିଆ ଖୁବ୍‌ଶୀଘ୍ର ଅନ୍ୟ ବିମାନରେ ଏହି ସେବା ଦେବ। ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। 

କିଭଳି ନେବେ ୱାଇ-ଫାଇ ସୁବିଧା-

ନିଜ ଡିଭାଇସ୍‌ରେ ୱାଇ-ଫାଇ ଆକ୍ଟିଭେଟ୍ କରନ୍ତୁ। ୱାଇ-ଫାଇ ସେଟିଙ୍ଗ୍‌କୁ ଯାଆନ୍ତୁ। ଏୟାର ଇଣ୍ଡିଆ ୱାଇ-ଫାଇ ନେଟୱାର୍କ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ପିଏନଆର ଏବଂ ନାମ ଦିଅନ୍ତୁ। ନିଃଶୁକ୍ଳରେ ଇଣ୍ଟରନେଟ୍ ଉପଭୋଗ କରନ୍ତୁ।