ନୂଆଦିଲ୍ଲୀ,୨୩/୦୪: ଏଥର ଗ୍ରୀଷ୍ମ ଋତୁ ବିମାନ କମ୍ପାନିଗୁଡ଼ିକ ପାଇଁ ଅତି ମାତ୍ରାରେ କଦର୍ଯ୍ୟ ହୋଇପାରେ । କାରଣ ହେଉଛି ଜେଟ୍ ଇନ୍ଧନର ଘୋର ଅଭାବ । ଯୁଦ୍ଧ ଯୋଗୁ ଯୋଗାଣ ଠପ୍ ହୋଇଯାଇଛି । ୟୁରୋପ ଏବଂ ଏସିଆ ମହାଦେଶର ଅଧିକାଂଶ ବିମାନ କମ୍ପାନି, ଯେଉଁମାନେ ଇନ୍ଧନ ଆମଦାନି ଉପରେ ନିର୍ଭର କରିଥାନ୍ତି,ସେମାନଙ୍କ ଅବସ୍ଥା ଶୋଚନୀୟ । ଉତ୍କଟ ଅଭାବ ସ୍ଥିତିର ସାମ୍ନା କରୁଛନ୍ତି ଏମାନେ । ଫଳରେ ହଜାର ହଜାର ବିମାନ ବାତିଲ କରିବାକୁ ବାଧ୍ୟ ହେଉଛନ୍ତି । ଇନ୍ଧନ ସଂକଟ ଯୋଗୁ ବିଶ୍ୱ ବିମାନ ଶିଳ୍ପ ଏକ ପ୍ରକାର ଚିତ୍ପଟାଙ୍ଗ ହୋଇଯାଇଛି ।

ଆମେରିକା ପାଇଁ ଜେଟ୍ ଇନ୍ଧନ ଶେଷ ହୋଇଯିବାର ଭୟ ନାହିଁ । କିନ୍ତୁ ବିଶ୍ୱ ବଜାରରେ ଦେଖାଦେଇଥିବା ଅଭାବ ଯୋଗୁ ଆମେରିକୀୟ ବିମାନ କମ୍ପାନିଗୁଡ଼ିକ ପାଇଁ ଇନ୍ଧନ ଦର ବଡ଼ ମାତ୍ରାରେ ବଢ଼ିଯାଇଛି । ସେମାନେ ଶସ୍ତା ବିମାନ ଭଡ଼ା ଏବଂ କମ୍ ଲାଭଦାୟକ ବିମାନ ରୁଟ୍ଗୁଡ଼ିକୁ କମାଉଛନ୍ତି । ଏହି ପଦକ୍ଷେପ ଦ୍ୱାରା ଆମେରିକୀୟଙ୍କ ପାଇଁ ଭଡ଼ା ବୃହତ୍ ମାତ୍ରାରେ ବୃଦ୍ଧି ପାଇବ । ଯଦିଓ ହୋର୍ମୁଜ ଜଳମାର୍ଗକୁ ଖୋଲିବା ପାଇଁ ଆମେରିକା ଏବଂ ଇରାନ ଏକ ଚୁକ୍ତିରେ ଉପନୀତ ହୁଅନ୍ତି ତଥାପି ଏଥର ଗ୍ରୀଷ୍ମ ଋତୁ ବିମାନ ଯାତ୍ରୀଙ୍କ ପାଇଁ ମହଙ୍ଗା ପାଲଟିବ । କାରଣ ତୈଳ ଏବଂ ଜେଟ୍ ଇନ୍ଧନ ଯୋଗାଣ ସ୍ୱାଭାବିକ ହେବା ପାଇଁ ମାସ ମାସ ସମୟ ଲାଗିବ । ଜୁଲାଇ ସୁଦ୍ଧା ପରିସ୍ଥିତି ସୁଧୁରିବା ଆଶା ନାହିଁ ବୋଲି କୁହନ୍ତି ଏନର୍ଜି କନ୍ସଲ୍ଟିଂ ସଂସ୍ଥା କେପ୍ଲରର ମୁଖ୍ୟ ବିଶ୍ଳେଷକ(ଆମେରିକା) ମାଟ୍ ସ୍ମିଥ୍ । ଆସନ୍ତା ୬ ସପ୍ତାହ ମଧ୍ୟରେ ଅନେକ ୟୁରୋପୀୟ ଦେଶଗୁଡ଼ିକ ଭୟଙ୍କର ଜେଟ୍ ଇନ୍ଧନ ସଂକଟର ସାମ୍ନା କରିବେ ବୋଲି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି(ଆଇଇଏ) ଏକ ବିବୃତିରେ ଉଲ୍ଲେଖ କରିଛି ।

ସମସ୍ୟା କେତେ ବଡ଼

ଶ୍ରମ ପଛକୁ ଏୟାର୍ଲାଇନ୍ସଗୁଡ଼ିକ ସବୁଠୁ ଅଧିକ ଖର୍ଚ୍ଚ କରିଥାନ୍ତି ଇନ୍ଧନ ଉପରେ । ଆମେରିକାର ୪ ବୃହତ୍ ଏୟାର୍ଲାଇନ୍ସ ଯଥା ୟୁନାଇଟେଡ୍, ଆମେରିକାନ, ଡେଲ୍ଟା ଏବଂ ସାଉଥ୍ୱେଷ୍ଟ ଗତବର୍ଷ ପ୍ରତ୍ୟେକ ଦିନକୁ ହାରାହାରି ୧୦ କୋଟି ଡଲାର ଇନ୍ଧନରେ ଖର୍ଚ୍ଚ କରିଛନ୍ତି । ଯୁଦ୍ଧ ଆରମ୍ଭ ହେବା ପରେ ଏ ଖର୍ଚ୍ଚ ବଡ଼ ମାତ୍ରାରେ ବୃଦ୍ଧି ପାଇଛି । ସମାନ ଭାବେ ବିଶ୍ୱର ଅନ୍ୟ ପ୍ରାନ୍ତରେ ବି ବିମାନ କମ୍ପାନିଗୁଡ଼ିକ ଏହିଭଳି ସ୍ଥିତି ଦେଇ ଗତି କରୁଛନ୍ତି । ଆମେରିକା ବିଶ୍ୱର ସର୍ବବୃହତ୍ ତୈଳ ଉତ୍ପାଦନକାରୀ ଏବଂ ଜେଟ୍ ଇନ୍ଧନର ଅନ୍ୟତମ ଅଗ୍ରଣୀ ରପ୍ତାନିକାରୀ ହୋଇଥିବାରୁ ଆମେରିକୀୟ ଏୟାର୍ଲାଇନ୍ସଗୁଡ଼ିକ ପାଇଁ ପରିସ୍ଥିତି ସେତେଟା ଚିନ୍ତାଜନକ ହୋଇ ନ ପାରେ । କିନ୍ତୁ ବିଶ୍ୱର ଅନ୍ୟ ଏୟାର୍‌ଲାଇନ୍ସଗୁଡ଼ିକର ଅବସ୍ଥା ଶୋଚନୀୟ । କୁଏତ୍ ଏବଂ ବାହରେନ ଜେଟ୍ ଇନ୍ଧନର ଅନ୍ୟତମ ଅଗ୍ରଣୀ ରପ୍ତାନିକାରୀ ।

ଅଧିକ ପଢ଼ନ୍ତୁ :-  Ethanol : ଏଟିଏଫ୍‌ରେ ମିଶିବ ଇଥାନଲ, ଅଶୋଧିତ ତୈଳ ଆମଦାନି ଉପରୁ କମିବ ନିର୍ଭରତା

ହୋର୍ମୁଜ ବାଟ ବନ୍ଦ ଥିବାରୁ ସେଠାରୁ ଯୋଗାଣ ବନ୍ଦ ହୋଇଯାଇଛି । ଏହି ବାଟ ଦେଇ ବିଶ୍ୱର ୨୦% ଜେଟ୍ ଇନ୍ଧନ ଆସିଥାଏ । ବର୍ତ୍ତମାନ ତାହା ଠପ୍ ହୋଇଯାଇଥିବାରୁ କମ୍ପାନିଗୁଡ଼ିକ ଭୟଙ୍କର ଇନ୍ଧନ ସମସ୍ୟା ଘେରରେ । ଏସୀୟ ରାଷ୍ଟ୍ରଗୁଡ଼ିକ ଏବେ ଜେଟ୍ ଇନ୍ଧନ ରପ୍ତାନି କମାଉଛନ୍ତି । ଏହା ଆମେରିକୀୟ ଜେଟ୍ ଇନ୍ଧନ ଦର ଉପରେ ଚାପ ପକାଇପାରେ ବୋଲି କୁହନ୍ତି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘର ନିର୍ଦ୍ଦେଶକ ୱିଲି ୱାଲ୍ସ । ଯଦିଓ ଶୀଘ୍ର ହୋର୍ମୁଜ ଖୋଲିଯିବ, ତଥାପି ଯୁଦ୍ଧ ଦ୍ୱାରା ଉପୁଯିଥିବା ଯୋଗାଣ ସମସ୍ୟା ସ୍ୱାଭାବିକ ହେବା ପାଇଁ ଅନେକ ସମୟ ଲାଗିବ ।