ଝାରସୁଗୁଡ଼ା,୧୮/୦୧: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ମୁମ୍ବାଇ-ଝାରସୁଗୁଡ଼ା ସେକ୍ଟରରେ ଚଳିତ ୱିଣ୍ଟର ସିଡ୍ୟୁଲରେ ଆସନ୍ତା ମାର୍ଚ୍ଚ ପହିଲାରୁ ମୁମ୍ବାଇ ଏବଂ ଝାରସୁଗୁଡ଼ା ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସ  ପକ୍ଷରୁ ବିମାନସେବା ଆରମ୍ଭ ହେବ । ସମର୍‌ ସିଡ୍ୟୁଲରେ ବିମାନସେବାରେ  ସାମାନ୍ୟ ପରିବର୍ତ୍ତନ ଘଟି ମୁମ୍ବାଇରୁ ଝାରସୁଗୁଡ଼ା ଦେଇ ଦିଲ୍ଲୀ ଏବଂ  ଦିଲ୍ଲୀରୁ ଝାରସୁଗୁଡ଼ା ଦେଇ ମୁମ୍ବାଇକୁ  ଇଣ୍ଡିଗୋର ବିମାନ ଚଳାଚଳ କରିବ  ବୋଲି ସ୍ୱୀକୃତି ମିଳିଥିବା ଝାରସୁଗୁଡ଼ା  ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର  ନିର୍ଦ୍ଦେଶକ ସନ୍ଦୀପ ତିୱାରି ସୂଚନା ପ୍ରଦାନ କରିଛନ୍ତି । 

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଗୋର ଏୟାରବସ୍‌-୩୨୦  ଏୟାରକ୍ରାଫ୍ଟରେ ସର୍ବାଧିକ ୨୩୨ ଜଣ ଯାତ୍ରୀ ଯାତ୍ରା କରି ପାରିବେ। ଏହି ବିମାନ  ମୁମ୍ବାଇରୁ ଝାରସୁଗୁଡ଼ାରେ ଅପରାହ୍ନ ଗୋଟାଏରେ ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ  ମୁମ୍ବାଇ ଅଭିମୁଖେ ଅପରାହ୍ନ ୨ଟାରେ ଉଡ଼ାଣ ଭରିବ । ସପ୍ତାହର ୭ ଦିନ ଯାକ  ବିମାନ ଚଳାଚଳ କରିବ । ମାତ୍ର ସମର ସିଡ୍ୟୁଲରେ କିଛିଟା ପରିବର୍ତ୍ତନ ହେବ। ଇଣ୍ଡିଗୋର ବିମାନ ଦିଲ୍ଲୀରୁ ଅପରାହ୍ନ ୨ଟା ୧୦ ମିନିଟରେ ଝାରସୁଗୁଡ଼ାରେ  ପହଞ୍ଚିବ ଏବଂ ୨ଟା ୪୦ ମିନିଟରେ ଉକ୍ତ ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। 

ସେହିପରି ମୁମ୍ବାଇରୁ ବାହାରି ଝାରସୁଗୁଡ଼ା ଠାରେ ସଂଧ୍ୟା ୭ଟା ୧୦  ମିନିଟରେ ବିମାନ ପହଞ୍ଚିବା ସହ ୭ଟା ୪୦ ମିନିଟରେ ତାହା ଦିଲ୍ଲୀ ଅଭିମୁଖେ  ଯାତ୍ରା କରିବ । ସପ୍ତାହର ସାତ ଦିନ ଯାକ ବିମାନ ଚଳାଚଳ କରିବ । ଏବେ  ଏୟାରବସ୍‌ ଏ-୩୨୦ ଚଳାଚଳ ଲାଗି ପ୍ରସ୍ତାବ ରହିଛି । ମାତ୍ର ଏହି ରୁଟରେ  ଏ-୩୨୧ ଏୟାରକ୍ରାଫ୍ଟ ବିମାନ ଚଳାଚଳ କରିପାରେ ବୋଲି ନିର୍ଦ୍ଦେଶକ  କହିଛନ୍ତି । ଏ-୩୨୦ରେ ସର୍ବାଧିକ ୧୮୬ ଜଣ ଯାତ୍ରୀ ଏବଂ ଏ-୩୨୧ରେ  ସର୍ବାଧିକ ୨୨୦ ଜଣ ଯାତ୍ରୀ ଯାତ୍ରା କରିବାର ସୁବିଧା ରହିଥିବା ପ୍ରକାଶ ।