ମୁମ୍ବାଇ,୧୦/୧୦: ଅର୍ଜୁନ ବରେନ ସିଂହଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଖୋ ଗୟେ ହମ୍ କହାଁ’ର ଖୁବଶୀଘ୍ର ଆସିବ ସ୍ବିକେଲ । ଯେଉଁଥିରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ଅଲାୟା ଏଫ୍ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଫିଲ୍ମରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଖୋ ଗୟେ ହମ୍ କହାଁ ପାର୍ଟ ୧ରେ ଅନନ୍ୟା, ସିଦ୍ଧାନ୍ତଙ୍କ ସହ ଆଦର୍ଶ ଗୌରବ ନଜର ଆସିଥିଲେ । ସିକ୍ୱେଲରେ ମଧ୍ୟ ଏ ତିନି ଜଣଙ୍କୁ ପୁଣି ଥରେ ଦେଖିବାକୁ ମିଳିବ । ତେବେ ନିର୍ମାତା ଖୁବ୍ଶୀଘ୍ର ଏ ନେଇ ଔପଚାରିକ ଘୋଷଣା କରିବେ । ‘ଖୋ ଗୟେ ହମ୍ କହାଁ’ ଗତ ବର୍ଷ ଡିସେମ୍ବର ୨୬ ତାରିଖରେ ଓଟିଟିରେ ମୁକ୍ତିଲାଭ କରିଥିଲା ।
ମୁମ୍ବାଇରେ ତିନିଜଣ ସାଙ୍ଗ ନିଜ ନିଜ ଜୀବନରେ କେମିତି ଛନ୍ଦି ହୋଇଥିଲେ, ଫିଲ୍ମରେ ଦେଖିବାକୁ ମିଳିଥିଲା । ଅର୍ଜୁନ ବରେନ ସିଂହ, ଜୋୟା ଅଖତର, ରୀମା କଗ୍ତି ଓ ୟଶ ସହାୟ ଏହାର କାହାଣୀ ଲେଖିଥିଲେ । ଇମାଦ ଅଲି ଭୂମିକାରେ ନଜର ଆସିଥିଲେ ସିଦ୍ଧାନ୍ତ ଚତୁର୍ବେଦୀ । ଆହାନା ସିଂହ ଭୂମିକା ନିର୍ବାହ କରିଥିଲେ ଅନନ୍ୟା । କଲକି କୋଚିନ୍ ମଧ୍ୟ ନଜର ଆସିଥିଲେ । ମଲାଇକା ଅରୋରା ଓ ଫରହାନ ଅଖତରଙ୍କ ଝଲକ୍ ବି ଦେଖିବାକୁ ମିଳିଥିଲା । ଫିଲ୍ମର ସିକ୍ୱେଲ ପ୍ରସ୍ତୁତ ହେଉଥିବାବେଳେ ଅଲାୟାଙ୍କୁ ନେଇ ଦର୍ଶକଙ୍କର ଖୁବ୍ ଆଶା ରହିଛି । ଏହା ପୂର୍ବରୁ ଅଲାୟା ‘ଶ୍ରୀକାନ୍ତ’, ଆକ୍ସନ୍ ଏଣ୍ଟର୍ଟେନର୍ ‘ବଡ଼େ ମିଆଁ ଛୋଟେ ମିଆଁ’ରେ ନଜର ଆସିଥିଲେ । କାର୍ତ୍ତିକ ଆର୍ୟନ ଷ୍ଟାରର୍ ‘ଫ୍ରେଡି’ରେ ତାଙ୍କ ଭୂମିକାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।