ଭଞ୍ଜନଗର,୨୪/୧୧: ସ୍ଥାନୀୟ କବିସମ୍ରାଟ ଷ୍ଟାଡିୟମରେ ସର୍ବଭାରତୀୟ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ସଭାପତି ବିଷ୍ଣପ୍ରସାଦ ପ୍ରଧାନ, ବ୍ଳକ ଅଧ୍ୟକ୍ଷ ନରିସଭା ନାଇକ, ଧୀରେଶ ମହାନ୍ତି, ଗିରିଜା ଶଙ୍କର ଭୂୟାଁ, ଭୋଳି ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ। ଉଦଘାଟନୀ ମ୍ୟାଚରେ ଆୟୋଜକ ଭଞ୍ଜନଗର ଫୁଟବଲ ଏକାଡେମୀକୁ ୨ - ୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବିହାରର ବକ୍ସର ଫୁଟବଲ କ୍ଳବ୍।
ଉଦଘାଟନୀ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଗୋଲ୍ ଶୁନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧର ୩୭ ମିନିଟ୍ ରେ ବକ୍ସର ତରଫରୁ ଖେଳୁଥିବା ନାଇଜେରିଆର ପାକୋଏକ୍ସ୍ ପ୍ରଥମ ଗୋଲ୍ ସ୍କୋର କରିଥିଲେ। ତେବେ ଏହାର ମାତ୍ର ୩ ମିନିଟ ବ୍ୟବଧାନରେ ଭଞ୍ଜନଗର ଫୁଟବଲ ଏକାଡେମୀର ଖେଳାଳି ଅନ୍ତର୍ଯ୍ୟାମୀ ନାୟକ ସୁନ୍ଦର ଗୋଲ୍ ସ୍କୋର କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ। ମ୍ୟାଚର ୪୨ ମିନିଟରେ ମାତ୍ର ୨ ମିନିଟ ବ୍ୟବଧାନରେ ବକ୍ସର ଟିମ୍ ର ଖେଳାଳି ନାଇଜେରିଆରର ମେଲୋ ଦ୍ବିତୀୟ ଗୋଲ୍ ସ୍କୋର କରି ଦଳକୁ ୨-୧ ରେ ଅଗ୍ରଣୀ ରଖି ବିଜୟ ଦେଇଥିଲେ। ଅପରପକ୍ଷରେ ଭଞ୍ଜନଗର ଟିମ୍ ମ୍ୟାଚର ଉଭୟ ପ୍ରଥମାର୍ଦ୍ଧ ଓ ଦ୍ବିତୀୟାର୍ଦ୍ଧର ପ୍ରଥମରୁ ହିଁ ଦୁଇଟି ସୁଯୋଗ ହାତଛଡ଼ା କରି ବିଜୟକୁ ହାତ ଛଡ଼ା କରିଥିଲେ। ବକ୍ସର ଟିମର ଖେଳାଳି ପାକୋଏକ୍ସ୍ ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।