ନୂଆଦିଲ୍ଲୀ,୧୫/୧୦: ମୁଣ୍ଡ ଉପରେ ବିହାର ବିଧାନସଭା ନିର୍ବାଚନ । ଏହାରି ଭିତରେ ଏନ୍‌ଡିଏର ପ୍ରାୟ ଦଳ ସହିତ ଅସନ୍ତୋଷ ଥିବା ସାମ୍ନାକୁ ଆସୁଛି । ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ଉପେନ୍ଦ୍ର କୁଶୱାହା ମହୁଆ ବିଧାନସଭା ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ବିହାର ନିର୍ବାଚନ ପାଇଁ ଏନଡିଏର ଆସନ ବଣ୍ଟା ବ୍ୟବସ୍ଥାକୁ ନେଇ ରାଜନୈତିକ ଟଣାଓଟରା ତୀବ୍ର ହୋଇଛି । ପ୍ରାୟ ସମସ୍ତଙ୍କ ଦଳ ଓ ଏନଡିଏ ଭିତରେ କେଁ ଥିବା ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି । ସିଟ୍ ସେୟାରିଂ ଫର୍ମୁଲା ଫାଇନାଲ ହେବା ପରେ ବି ଦଳରେ କିଛି ଠିକ୍‌ ନାହିଁ । ଏନ୍‌ଡିଏରେ ଏବେ କିଛି ଠିକ୍ ଚାଲିନାହିଁ ବୋଲି କହିଛନ୍ତି ଆରଏଲଏମର ଉପେନ୍ଦ୍ର କୁଶୱାହା । ସ୍ୱରାଷ୍ଟ ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିବା ପୂର୍ବରୁ ଉପେନ୍ଦ୍ରଙ୍କ ଏହି ବାୟନକୁ ନେଇ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ​​​​​​​

ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଉପେନ୍ଦ୍ର କୁଶୱାହା ମହୁଆଙ୍କୁ ଶାନ୍ତ କରିବା ପାଇଁ ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି । କୁଶୱାହା କହିଛନ୍ତି, "ଏଥର ଏନ୍‌ଡ଼ିଏ ମେଣ୍ଟରେ କିଛି ଠିକ୍‌ଠାକ୍ ନାହିଁ। କିଛି ଆଲୋଚନା  ଅଛି । ତେଣୁ ଆଜି  ଦିଲ୍ଲୀ ଗସ୍ତ କରୁଛି । " ଉପେନ୍ଦ୍ରଙ୍କ ଏହି ବୟାନ ଏନ୍‌ଡ଼ିଏ ଭିତରେ ଆସନ ବଣ୍ଟନକୁ ନେଇ ଅସନ୍ତୋଷକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । କୁଶୱାହା ଆଜି (ବୁଧବାର) ପୂ୍ର୍ବାହ୍ନ ୧୨ ଟାରେ ଏକ ଜରୁରୀ ଦଳୀୟ ବୈଠକ ଡାକିଥିଲେ । ଏହା ପରେ ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ, ଅମିତ ଶାହ ତାଙ୍କୁ ଦିଲ୍ଲୀ ଡକାଇଛନ୍ତି, ତେଣୁ ବୈଠକ ସ୍ଥଗିତ ରଖୁଛି । ରାତିତମାମ ଏହି ହଲଚଲ ଭିତରେ ଆଜି ସକାଳୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଉପେନ୍ଦ୍ର କୁଶୱାହା । ଦିଲ୍ଲୀରୁ ଫେରିବା ପରେ ଦଳୀୟ ବୈଠକ କରିବେ । କୁହାଯାଉଛି କି କିଛି ବଡ଼ ଘୋଷଣା କରିପାରନ୍ତି ଉପେନ୍ଦ୍ର ।

​​​​​​​ବିହାର ବିଧାନସଭା ନିର୍ବାଚନ ପାଇଁ ରବିବାର ଏନ୍‌ଡ଼ିଏ  ତାର ଆସନ ଭାଗବଣ୍ଟା ବାବଦରେ ଘୋଷଣା କରିଥିଲା । ମେଣ୍ଟର ଦୁଇ ପ୍ରମୁଖ ଦଳ ବିଜେପି ଓ ଜେଡିୟୁ ସମାନ ୧୦୧ ଲେଖାଏ ଆସନରେ ଲଢିବେ । ଚିରାଗ ପାଶ୍ୱାନଙ୍କ ଦଳ ଏଲ୍‌ଜେପି (ରାମବିଳାସ) ୨୯ ଆସନରେ ପ୍ରାର୍ଥୀ ଦେବ । ଜିତନ ରାମ ମାଁଝୀଙ୍କ ହିନ୍ଦୁସ୍ତାନ ଆୱାନ ମୋର୍ଚ୍ଚା (ହାମ୍‌)କୁ ୬ ଓ ଉପେନ୍ଦ୍ର କୁଶୱାହଙ୍କ ଦଳ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍‌ଏଲ୍‌ଏମ୍)କୁ ୬ଟି ଆସନ ଦିଆଯାଇଛି । ରାଜ୍ୟ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମେଣ୍ଟରେ ବିଜେପି ଓ ଜେଡିୟୁ ସମାନ ଆସନରେ ଲଢ଼ିବେ ।