ଭୁବନେଶ୍ୱର,୨୬/୧୧: ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି ଆସନ୍ତା ୨୭ ତାରିଖରୁ । ଏଥିପାଇଁ ତିନି ଦଳ ସଜବାଜ ହେଲେଣି । ତଗଡ଼ା ପ୍ରଦର୍ଶନ ଦେଖାଇବାକୁ ଚାଲିଛି ରଣନୀତି ତିଆରି । ବିଧାନସଭା ଅଧିବେଶନ ପାଇଁ ବୁଧବାର ଉଭୟ ଶାସକ ଓ ପ୍ରତିପକ୍ଷ ଦଳର ପୃଥକ ପୃଥକ ବୈଠକ ବସି ରଣନୀତି ନିର୍ଦ୍ଧାରଣ ହେବ । ଏହାପୂର୍ବରୁ ପୂର୍ବାହ୍ନରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ବିଧାନସଭା ପରିସର ଓ ଏହାର ଚୌହଦୀ ଝଲସିଲାଣି । ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରାଯାଇଛି ।
ସୂଚନା ଅନୁସାରେ, ଶାସକ ବିଜେପି ବିଧାୟକ ଦଳର ବୈଠକ ଆଜି ଅର୍ଥାତ ବୁଧବାର ସନ୍ଧ୍ୟା ୬ଟାରେ ବିଧାନସଭା ପରିସରରେ ଅନୁଷ୍ଠିତ ହେବ । ବିରୋଧୀ ଦଳ ଆଣୁଥିବା ବିଭିନ୍ନ ଅଭିଯୋଗ, ପ୍ରସଙ୍ଗକୁ କିଭଳି ମୁକାବିଲା କରାଯିବ, ବୈଠକରେ ସେ ନେଇ ଦଳ ରଣନୀତି ନିର୍ଦ୍ଧାରଣ କରିବ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ, ମନ୍ତ୍ରିମଣ୍ଡଳର ସମସ୍ତ ସଭ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହିବେ । ସେହିପରି ସନ୍ଧ୍ୟା ୫ଟାରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ବସିବ ଶଙ୍ଖ ଭବନରେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳ ଶୀତ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବ । କେଉଁ ସବୁ ପ୍ରସଙ୍ଗକୁ ବିଧାନସଭାରେ ଉପସ୍ଥାପନ କରାଯିବ, ତାହା ବୈଠକରେ ସ୍ଥିର କରାଯିବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବୁଧବାର ସନ୍ଧ୍ୟାରେ ବିଧାନସଭା ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ବିଧାନସଭାର ଏହି ଅଧିବେଶନ ନଭେମ୍ବର ୨୭ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଏଥିରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ରହିଛି । ଓଡ଼ିଶା ବିଧାନସଭା ଇତିହାସରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରଥମ ହେବ । ଏହା ବିଧାନସଭା ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଧାନସଭା ଓ ଏହାର ଚୌହଦୀ ସଜେଇ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତାଘାଟ ସଜେଇ ହୋଇଛି । ବିଧାନସଭା ଭିତରେ ବି ରଙ୍ଗୀନ ଆଲୋକମାଳା ଶୋଭା ପାଉଛି । ଏହି ଅଧିବେଶନର ଦ୍ୱିତୀୟ ଦିନରେ (୨୮ ନଭେମ୍ବର) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ଡିସେମ୍ବର ୮ ତାରିଖରେ ଅତିରିକ୍ତ ବଜେଟ ନେଇ ବ୍ୟୟମଞ୍ଜୁରୀ ବିଲ୍ ଆଗମନ ହେବ ।