ଯାଜପୁର, ୧୯/୦୭ : ଆବାସିକ ବିଦ୍ୟାଳୟରେ ଅସହ୍ୟ ହେଲା ସିନିୟରଙ୍କ ନିର୍ଯାତନା। ଭୟରେ ପାଚେରୀ ଡେଇଁ ପଳାଉଥିବା ବେଳେ ୩ ନାବାଳକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଯାଜପୁର ଜିଲ୍ଲା କୋରେଇ ବ୍ଲକ ତାଳଗଡ଼ିଆ ସ୍ଥିତ ଆଶ୍ରମ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଛାତ୍ରମାନଙ୍କୁ ପଚରାଉଚରା କରିବା ପରେ ଜିଲ୍ଲା ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି।
ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଆଶ୍ରମ ଆବାସିକ ବିଦ୍ୟାଳୟର ୩ ଜଣ ନାବାଳକ ଛାତ୍ର ପାଚେରୀ ଡେଇଁ ଚାଲିଚାଲି ଯାଉଥିବା ସମୟରେ ବଳଦିଆ ଛକ ନିକଟରେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ କୋରେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ୩ ଛାତ୍ରଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେମାନଙ୍କୁ ପଚରାଉଚରା କରିବାରୁ ସିନିୟର୍ ଛାତ୍ରମାନେ ତାଙ୍କୁ ମାଡ଼ ମାରୁଥିବାରୁ ସେମାନେ ସ୍କୁଲରୁ ଚାଲି ଆସିଥିବା କହିଥିଲେ। ପରେ ପୁଲିସ ବିଦ୍ୟାଳୟ କତ୍ତୃପକ୍ଷ ଓ ପିଲାମାନଙ୍କ ଅଭିଭାବକମାନଙ୍କୁ ଥାନାକୁ ଡ଼ାକି ପଚରାଉଚରା କରି ଘଟଣାର ତନାଘନା ଆରମ୍ଭ କରିଛି। ୩ ଛାତ୍ରଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ଏବେ ସେମାନେ ବାଳାଶ୍ରମରେ ଅଛନ୍ତି। ଅନ୍ୟପଟେ ପିଲାମାନଙ୍କୁ ବିଦ୍ୟାଳୟରେ ମାଡ଼ ମରାଯିବା କଥା ଅଭିଭାବକମାନେ ସ୍ବୀକାର କରିବା ସହ ଏସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ଅବଗତ କରାଯାଇଥିବା କହିଛନ୍ତି। ଏହି ଘଟଣାକୁ ଗୁରୁତ୍ଵ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।