ହାଇଦ୍ରାବାଦ: ପୁଷ୍ପାରାଜ୍‌ଙ୍କୁ ଝଟ୍‌କା । ପୁଷ୍ପା-୨ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମିଳିପାରିଲା ନାହିଁ ଆଶ୍ବସ୍ତି । କୋର୍ଟ ତାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସନ୍ଧ୍ୟା ଥିଏଟରରେ ଦଳାଚକଟା ଏବଂ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଆଜି (ଶୁକ୍ରବାର) ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରବାଦ ପୋଲିସ ଗିରଫ କରି ନାମପାଲ୍ଲୀ କୋର୍ଟରେ ହାଜର କରାଇଥିଲା । ଦଳଚକଟା ମାମଲାରେ ଅଲ୍ଲୁ ଅର୍ଜୁନ, ତାଙ୍କର ସୁରକ୍ଷା କର୍ମୀ ଏବଂ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଏବଂ ୧୧୮ (୧) ଅଧୀନରେ ମାମଲା ରୁଜୁ କରିଛି ହାଇଦ୍ରାବାଦ ପୋଲିସ ।  ଅଭିନେତାଙ୍କ ପୂର୍ବରୁ ଥିଏଟରର ମାଲିକ ଏବଂ ଦୁଇ କର୍ମଚାରୀ ଗିରଫ ହୋଇସାରିଛନ୍ତି ।

ସୂଚନାଯୋଗ୍ୟ, ଡିସେମ୍ବର ୪ରେ ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଥିଲା । ଏହା ଦେଖିବାକୁ ଲୋକଙ୍କର ପ୍ରବଳ ଗହଳି ଲାଗିଥିଲା । କିନ୍ତୁ ହଠାତ ଅଲ୍ଲୁ ଅର୍ଜୁନ ଥିଏଟରରେ ପ୍ରବେଶ କରିବାରୁ ଭିଡ଼ ଅନିୟନ୍ତ୍ରିତ ହୋଇପଡ଼ିଥିଲା । ଏହି ସମୟରେ ଜଣେ ୩୯ ବର୍ଷୀୟା ମହିଳା ରେବତୀ  ଏବଂ ତାଙ୍କର ପୁଅ ଅଣନିଶ୍ବାସୀ ହୋଇପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ରେବତୀ ମୃତ୍ୟୁବରଣ କରିଥିଲେ । ତାଙ୍କ ପୁଅ ଏବେ ଚିକିତ୍ସାଧୀନ ଅଛନ୍ତି ।  ପୋଲିସର କହିବା ଅନୁଯାୟୀ, ଥିଏଟରରେ ଯିବା ଆସିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇନଥିଲା । ଏପରିକି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ ପ୍ରିମିୟରରେ ଯୋଗ ଦେବେ ବୋଲି ଆଗୁଆ ସୂଚନା ଦିଆଯାଇ ନଥିଲା । ମୃତ ମହିଳାଙ୍କ ସ୍ବାମୀ ମାଗୁଡମପାଲ୍ଲି ଭାଷ୍କରଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଥିଲା ।

ସେପଟେ ପୁଷ୍ପା-୨ ଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବା ପରେ ରାଜନୀତି ଜୋର ଧରିଛି । ତେଲଙ୍ଗାନାର କଂଗ୍ରେସ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ବିଜେପି ଏବଂ ବିଆରଏସ୍‌ । ଏହାରି ମଧ୍ୟରେ ତେଲଙ୍ଗାନା  ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ ମାମଲାରେ ଆଇନ୍‌ ତା ବାଟାରେ ଯିବ । ଏହି ମାମଲାରେ କେହି ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।