ପୁରୀ,୦୯/୧୦: କେଉଁ ଦିନ ଦେବେ ପୟା ଶ୍ରାଦ୍ଧ । ପାଞ୍ଜିରେ ପ୍ରକାଶିତ  ତାରିଖ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।  ମୁକ୍ତିମଣ୍ଡପ ସ୍ୱୀକୃତ ପଞ୍ଜିକା ରାଧାରମଣ  ପ୍ରେସ୍‌ ପଞ୍ଜିକାରେ ଅକ୍ଟୋବର ୨୦ରେ  ପୟା ଶ୍ରାଦ୍ଧ ନେଇ ଉଲ୍ଲେଖ ଥିବା ବେଳେ  ଅନ୍ୟ ପଞ୍ଜିକାରେ ୨୧ ତାରିଖରେ ପୟା  ଶ୍ରାଦ୍ଧ ନେଇ ଉଲ୍ଲେଖ ରହିଛି ।

ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର  କହିଛନ୍ତି, ୨୧ ତାରିଖ ପୟା ଶ୍ରାଦ୍ଧ  ପାଇଁ ପାଳନୀୟ । ୨୦ ତାରିଖ ନୁହେଁ ।  ୨୦ ତାରିଖ ଅପରାହ୍ଣ ୩ଟା ୪୫  ପରଠାରୁ ୨୧ ତାରିଖ ଅପରାହ୍ଣ ୫ଟା  ୫୪ ପର୍ଯ୍ୟନ୍ତ ଅମାବାସ୍ୟା ଓ ପୟା ଶ୍ରାଦ୍ଧ  ରହିଛି । ୨୧ ତାରିଖ ଅପରାହ୍ଣ ୫ଟା  ୧୮ରେ ସୂର୍ଯ୍ୟାସ୍ତ । ତେଣୁ ଏହି ଦିନ  ପୟା ଶ୍ରାଦ୍ଧ କରଣୀୟ । ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ  ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇପାରନ୍ତି  ନାହାନ୍ତି, ସେମାନେ ଦିନରେ ମହାଳୟା  ଶ୍ରାଦ୍ଧ ଦେବା ପରେ ରାତିରେ ଦୀପ ଦାନ କରିଥାନ୍ତି । ୨୦ ତାରିଖରେ ଦିନ ତମାମ  ଚତୁର୍ଦ୍ଦଶୀ ରହୁଥିବାରୁ ସେଦିନ ପୟା  ଶ୍ରାଦ୍ଧ କରିବା ଉଚିତ୍‌ ନୁହେଁ ବୋଲି  କହିଛନ୍ତି ଶ୍ରୀ ମିଶ୍ର । ସେପଟେ ୨୧  ତାରିଖ ଶ୍ରୀମନ୍ଦିରରେ ଅମାବାସ୍ୟା ଓ  ସାଗର ବିଜେ ନୀତି ରହିଛି ।