ନୂଆଦିଲ୍ଲୀ ୧୯/୧୧: ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସମର୍ଥିତ କମ୍ପାନି ଆଡ୍‌ଭର୍ବ ଟେକ୍ନୋଲୋଜିସ୍‌ ଲିଃ. ୨୦୨୫ରେ ପ୍ରଥମ ମାନବ ରୋବୋ ଉନ୍ମୋଚନ କରିବ । ବ୍ଲୁମ୍‌ବର୍ମ ଏହି ରିପୋର୍ଟ ଦେଇଛି । ଏଲନ ମସ୍କଙ୍କ ଟେସ୍‌ଲା, ବୋଷ୍ଟନ୍‌ ଡାଇନାମିକ୍ସ, ଏଜିଲିଟି ରୋବୋଟିକ୍ସ, ଫିଗର୍‌ ଏଆଇ ସମେତ ଅନେକ କମ୍ପାନି ସମୟ ବଞ୍ଚାଇବା ଲାଗି ଏ ପ୍ରକାର ରୋବୋ ପ୍ରସ୍ତୁତ କରୁଥିବାବେଳେ ଅମ୍ବାନି ସମର୍ଥିତ ଏହି କମ୍ପାନି ସେମାନଙ୍କ ସହ ସାମିଲ ହୋଇଛି । ନୋଇଡ଼ା ସ୍ଥିତ ଆଡ୍‌ଭର୍ବର ମାନବ ରୋବୋ ଫ୍ୟାଶନ୍‌, ରିଟେଲ ଓ ଶକ୍ତି କ୍ଷେତ୍ରରେ କାମ କରିବେ ବୋଲି କମ୍ପାନିର ସିଇଓ ସଙ୍ଗୀତ କୁମାର କହିଛନ୍ତି । 

ତେବେ, ନିର୍ଦ୍ଦିଷ୍ଟ କାମ ଅନୁସାରେ ସେମାନଙ୍କ ମୂଲ୍ୟ ବିଷୟରେ କମ୍ପାନି ଉଲ୍ଲେଖ କରିନାହିଁ । ଆଡ୍‌ଭର୍ବ ସମେତ ଅମ୍ବାନି ହନୁମାନ ଏଆଇ ନିର୍ମାଣରେ ମଧ୍ୟ ପାଣ୍ଠି ପ୍ରଦାନ କରିଛନ୍ତି, ଯାହା ଚଳିତ ବର୍ଷ ଭାରତଜିପିଟି ଦ୍ୱାରା ଲଞ୍ଚ୍‌ ହୋଇଥିଲା । ଇତିମଧ୍ୟରେ ଏଲନ ମସ୍କ ଏକ କାର୍ଯ୍ୟକ୍ରମରେ ନୂଆ ରୋବୋଟାକ୍ସି ଓ ଟେସ୍‌ଲା ଅପ୍ଟିମସ୍‌ର ଉନ୍ମୋଚନ କରିଥିଲେ । ଏ ଅବସରରେ ବଜାରକୁ ଖୁବ୍‌ଶୀଘ୍ର ମାନବ ରୋବୋ ଆଣିବା ବିଷୟରେ ସେ କହିଥିଲେ ।