ଭୁବନେଶ୍ୱର,୧୧/୧୧: ରିୟଲ ଇଷ୍ଟେଟ ପ୍ରୋଜେକ୍ଟ କ୍ଲୋଜର ବା ପ୍ରକଳ୍ପ ଶେଷ କରିବା ବେଳେ ଏଣିକି ବିଲ୍ଡର ସଂସ୍ଥାର ମନମାନି ଚଳିବ ନାହିଁ । ଏ ନେଇ ବିଭିନ୍ନ ଅଭିଯୋଗ ମିଳିବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓଡ଼ିଶା  ରିୟଲ ଇଷ୍ଟେଟ ଉନ୍ନତିକରଣ କର୍ତ୍ତୃପକ୍ଷ  (ଓରେରା) । ଏସମ୍ପର୍କିତ ବିଭିନ୍ନ ନିୟମରେ ହୋଇଛି ସଂଶୋଧନ । ଏହା ଦ୍ୱାରା ଘର କ୍ରେତା ସଂଘକୁ ଅଧିକ କ୍ଷମତା ମିଳିଛି । 

ନିକଟରେ ରେରା ପ୍ରୋଜେକ୍ଟ କ୍ଲୋଜର  ସମ୍ପର୍କିତ ଏକ ଏକ ଫର୍ମ ଆଣିଛି । ଏଥିରେ ଆସୋସଏସନ ଅଫ୍‌ ଆଲଟି ବା ଘର  କ୍ରେତାଙ୍କ ସଂଘକୁ ଅଧିକ କ୍ଷମତା ମିଳିଛି ।  ପ୍ରୋଜେକ୍ଟ କ୍ଲୋଜର କରିବା କ୍ଷେତ୍ରରେ  ବିଲ୍ଡର ଏହି ଫର୍ମ ବ୍ୟବହାର କରିବେ । ତେବେ ନୂଆ ସଂଶୋଧନରେ ବିଭିନ୍ନ  ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । 

ବିଲ୍ଡର ସବୁ ଦସ୍ତାବିଜ ଦେଇଥିବା ଘର କ୍ରେତା ସଂଘ ଏକ ସତ୍ୟପାଠ ଦେବ । ଏହା ମଧ୍ୟରେ ପ୍ରକଳ୍ପଟି ଅକ୍ୟୁପାନ୍ସି  ପ୍ରମାଣପତ୍ର ନିଶ୍ଚିତ ପକ୍ଷେ ପାଇଥିବା  ଜରୁରୀ । ସେହିଭଳି ଘର କେତ୍ରାଙ୍କ  ସଂଘର ପଞ୍ଜୀକରଣ, ଏ ସମ୍ପର୍କିତ  ଦସ୍ତାବିଜ ହସ୍ତାନ୍ତର କରିବାକୁ ହେବ । ଘର  କ୍ରେତା ଯେଉଁ କର୍ପସ ପାଣ୍ଠି ଦେଇଥିଲେ  ତାହା ସେମାନଙ୍କ ପାଖକୁ ହସ୍ତାନ୍ତର  କରାଯାଇଛି ବୋଲି ବିଲ୍ଡର ସତ୍ୟପାଠ  ଦେବେ । 

ସେହିଭଳି ସଂଘକୁ କମନ  ଏରିଆ ସ୍ଥାନାନ୍ତର ସମ୍ପର୍କିତ ପ୍ରମାଣପତ୍ର  ମଧ୍ୟ ଦେବାକୁ ପଡିବ । ପୂର୍ବରୁ ଘର କ୍ରେତା  ଦେଇଥିବା ଅର୍ଥ ପ୍ରୋଜେକ୍ଟ ବ୍ୟାଙ୍କ ଖାତାରେ  ୫ ବର୍ଷ ରହିବା ନେଇ ରେରା କହିଥିଲେ ।  ଏହାକୁ କ୍ରେଡାଇ ଭଳି ସଂଘ ଗୁଡ଼ିକ  ବିରୋଧ କରିବା ପରେ ଏହି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସଂଶୋଧିତ  ନିୟମ ମୁତାବକ, ପ୍ରକଳ୍ପ ଖର୍ଚ୍ଚର ୧%  ଏହି ଆକାଉଣ୍ଟରେ ରହିବ । ଏହି ଅର୍ଥକୁ  ୫ ବର୍ଷ ମଧ୍ୟରେ ପ୍ରକଳ୍ପରେ କୌଣସି  ସମସ୍ୟା ରହିଲେ ବିନିଯୋଗ କରାଯିବ ।  ବାକି ଅର୍ଥକୁ ବିଲ୍ଡର ନେଇ ପାରିବେ ।   

ଏହି ପରିପ୍ରେକ୍ଷୀରେ ରିୟଲ ଇଷ୍ଟେଟ  କର୍ମୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି,  ରେରା ଆଣିଥିବା ଏହି ସଂଶୋଧନ ଦ୍ୱାରା  ଘରକ୍ରେତା ସଂଘ ଅଧିକ ଶସକ୍ତ ହେବେ ।  ପ୍ରୋଜେକ୍ଟ କ୍ଲୋଜର କ୍ଷେତ୍ରରେ ପୂର୍ବରୁ  ବିଲ୍ଡରଙ୍କ ବହୁତ ମନମାନି ରହିଥିଲା ।  ବର୍ତ୍ତମାନର ନୁଆ ନିୟମ ଯୋଗୁ ସେମାନଙ୍କ  ମନମୁଖି କାର୍ଯ୍ୟ ଉପରେ ଲଗାମ ଲାଗିବ । 

ଉଲ୍ଲେଖଯୋଗ୍ୟ, ପ୍ଲାନ ମଞ୍ଜୁରୀ  କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ ପ୍ରୋଜେକ୍ଟ କ୍ଲୋଜର  ହେଉଛି ଓକ୍ୟୁପାନ୍ସି ପ୍ରମାଣପତ୍ର । ତେବେ  କୌଣସି ପ୍ରକଳ୍ପ ଦୀର୍ଘ ସମୟ ଧରି  ଚାଲୁଥିବାରୁ ଏହା ଅଟକି ଗଲା ଚାଲିଛି  ସେ ଦିଗରେ ଘର କ୍ରେତାଙ୍କ ସ୍ୱାର୍ଥ ରକ୍ଷା  ଲାଗି ରେରା ବିଲ୍ଡରଙ୍କ ଲାଗି ଏକ ନିୟମ  ଆଣିଛନ୍ତି । ବିଲ୍ଡର ପ୍ରତି ୩ ମାସରେ ପ୍ରକଳ୍ପ  ସମ୍ପର୍କିତ ଅଗ୍ରଗତି ରିପୋର୍ଟ (କ୍ୟୁପିଆର୍‌)  ପ୍ରଦାନ କରିଥାନ୍ତି । ପ୍ରୋଜେକ୍ଟ କ୍ଲୋଜର  ରିପୋର୍ଟ ଦେବା ପରେ ବିଲ୍ଡରଙ୍କୁ ଏହି  କ୍ୟୁପିଆର୍‌ ଦେବାରୁ ଆଶ୍ୱସ୍ତି ମିଳିଥାଏ । 

ତେବେ ଓରେରାର ଏହି ନିୟମକୁ  ନେଇ କ୍ରେଡାଇ ଅସନ୍ତୋଷ ପ୍ରକଟ  କରିଛି । ସିକ୍ୟୁରିଟି ଦେୟ ୫ ବର୍ଷ ଯାଏ  ବ୍ୟାଙ୍କ ଖାତାରେ ରହିବା ଯୋଗୁ ରିୟଲ  ଇଷ୍ଟେଟ କମ୍ପାନିଗୁଡିକ କ୍ଷତିଗ୍ରସ୍ତ ହେବେ ।  ଉଲ୍ଲେଖଯୋଗ୍ୟ ପୂର୍ବରୁ ବିଲ୍ଡର ଘର କିଣିବା  ବେଳେ ଓକ୍ୟୁପାନ୍ସି ପ୍ରମାଣପତ୍ର ଦେଉନ  ଥିଲେ । ଫଳରେ ଘର କିଣୁଥିବା ଲୋକମାନେ  ଏହା ଦ୍ୱାରା ଠକାମୀର ଶିକାର ହେଉଥିଲେ ।  ସେହିଭଳି ଘର ହସ୍ତାନ୍ତର ପରେ ମଧ୍ୟ  ଏହାର ମରାମତି କରୁ ନ ଥିଲେ ବିଲ୍ଡର ।