ନୂଆଦିଲ୍ଲୀ, ୧୮।୨: ଯୁବପିଢ଼ିଙ୍କ ମଧ୍ୟରେ ଚାକିରିକୁ ନେଇ ଏକ ନୂଆ ଟ୍ରେଣ୍ଡ ଦେଖାଦେଇଛି । "ଜେନ-ଜି"ମାନେ କେବଳ ଗୋଟିଏ ଚାକିରିରେ ସୀମିତ ନାହାନ୍ତି; ସେମାନେ ନିଜ ନିଜ ହବି ଅନୁସରଣ କରିବା ଏବଂ ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ବିକଳ୍ପ ବାଛୁଛନ୍ତି । ହାରିସ୍ ପୋଲ ସର୍ଭେ ଅନୁଯାୟୀ, ଆମେରିକାର ୫୭ ପ୍ରତିଶତ ଯୁବକ ଯୁବତୀ ଫ୍ରିଲାନ୍ସିଂ କରୁଛନ୍ତି କିମ୍ବା ପାର୍ଟ-ଟାଇମ୍ ଚାକିରି କରୁଛନ୍ତି । ଏଥିରେ ପଡକାଷ୍ଟିଂ, କଣ୍ଟେଣ୍ଟ କ୍ରିଏସନ୍ ଭଳି ବିକଳ୍ପ ଅନ୍ତର୍ଭୁକ୍ତ ।
ଏହା ବି ପଢ଼ନ୍ତୁ... ହଠାତ୍ ୟ୍ୟୁଟୁବ୍ ଅଚଳ ହେବା ପଛରେ କାରଣ କ’ଣ ? ଗୁଗଲ ଦେଲା ଉତ୍ତର
ପାର୍ଟଟାଇମ୍ ଚାକିରି ସହିତ କଣ୍ଟେଣ୍ଟ କ୍ରିଏସନ୍:
ଯୁବପିଢ଼ି ଆର୍ଥିକ ସ୍ଥିରତା ଏବଂ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବାର ସ୍ୱାଧୀନତା ଚାହାଁନ୍ତି । ଏହାକୁ ହାସଲ କରିବା ପାଇଁ ଚାକିରି କରିବା ସହ ସେମାନେ ସୋସିଆଲ ନେଟୱାର୍କିଂ ସାଇଟ୍ରେ କଣ୍ଟେଣ୍ଟ କ୍ରିଏସନ୍ଠୁ ଆରମ୍ଭ କରି ପଡକାଷ୍ଟିଂ ଭଳି କାମ କରୁଛନ୍ତି । ନ୍ୟୁୟର୍କରେ ଅନେକ ଲୋକ କାମ କରିବା ସମୟରେ ସୋସିଆଲ ମିଡିଆ ପାଇଁ ପଡକାଷ୍ଟ ଏବଂ ଭିଡିଓ ତିଆରି କରୁଛନ୍ତି । ଭାରତରେ ମଧ୍ୟ ଏହି ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଠାରେ ଯୁବକମାନେ ଚାକିରି ଛଡ଼ା ତାଙ୍କ ଆଗ୍ରହ ଥିବା କାମ ମାଧ୍ୟମରେ ନିଜର ପ୍ରକୃତ ପରିଚୟ ସୃଷ୍ଟି କରୁଛନ୍ତି ।
ଦ୍ୱିତୀୟ ବିକଳ୍ପ କାହିଁକି ଖୋଜୁଛନ୍ତି ?
ଯୁବକମାନେ ନିଜ ଚାକିରିକୁ ନେଇ ଆତ୍ମବିଶ୍ୱାସ ହରାଉଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଆଜି ସେମାନଙ୍କର ଚାକିରି ଅଛି, କିନ୍ତୁ କାଲି ସେମାନଙ୍କର ଚାକିରି ନ ଥାଇପାରେ । ତେଣୁ ସେମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଏବଂ ଆତ୍ମନିର୍ଭରଶୀଳ ହେବାକୁ ଚାହାଁନ୍ତି । ଆମେରିକାରେ ଅନେକ ଲୋକ ଚାକିରି କ୍ଷେତ୍ରରେ କାମ କରିବା ସହ ଡିଜିଟାଲ ପେଣ୍ଟିଂ ଏବଂ ଗ୍ରାଫିକ୍ସରେ କାମ କରନ୍ତି । ଲୋକମାନେ ଦିନରେ ଦୋକାନରେ କାମ କରନ୍ତି ଏବଂ ରାତିରେ ସେମାନଙ୍କ ଦକ୍ଷତା ଯେଉଁଥିରେ ରହିଛି, ତାହାକୁ ଗ୍ରାହକମାନଙ୍କ ପାଖରେ ପହଞ୍ଚାନ୍ତି । ବିଶେଷଜ୍ଞଙ୍କ ମତରେ, ଆଗାମୀ ସମୟରେ କମ୍ପାନୀଗୁଡ଼ିକ କେବଳ ଦରମା ଆଧାରରେ ଯୁବପିଢ଼ିଙ୍କୁ ରଖିପାରିବେ ନାହିଁ, ସେମାନଙ୍କୁ କାମରେ ନମନୀୟତା ଆଣିବାକୁ ପଡ଼ିବ ।