ନୂଆଦିଲ୍ଲୀ,୧୨।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସଫେଇ ଅଭିଯାନ ଚଳାଇଛନ୍ତି ସୁରକ୍ଷାବାହିନୀ। ପ୍ରତିଦିନ ସଂଘର୍ଷରେ ଆତଙ୍କୀ ନିହତ ହେଉଛନ୍ତି। ତେବେ ସେମାନଙ୍କ ପାଖରୁ ମିଳୁଥିବା ହତିଆର ସୁରକ୍ଷାବାହୀନର ଚିନ୍ତା ବଢାଇଛି। ଅଖନୁର ସଂଘର୍ଷ ବେଳେ ମୃତ ୩ ଆତଙ୍କବାଦୀଙ୍କ ନିକଟରୁ ଆମେରିକୀୟ ଏମ୍୪ ରାଇଫଲ ମିଳିଛି। ଆଫଗାନିସ୍ତାନ ଛାଡିବା ବେଳେ ଆମେରିକା ସେନା ଏଭଳି ହତିଆର ସେଠାରେ ଛାଡିକି ଯାଇଥିଲା। ଏବେ ଏହି ହତିଆର ପାକିସ୍ତାନ ବାଟ ଦେଇ ଜମ୍ମୁ-କଶ୍ମୀରରେ ପହଁଞ୍ଚିଛି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଏଭଳି ହତିଆର ଆତଙ୍କବାଦୀଙ୍କ ନିକଟରେ ପହଁଞ୍ଚାଇଥାଏ। ଏହାପରେ ଆତଙ୍କବାଦୀମାନେ ହତିଆର ନେଇ ଭାରତରେ ଅନୁପ୍ରବେଶ କରନ୍ତି। ଏହି ରାଇଫଲରେ ଷ୍ଟିଲ୍ ବୁଲେଟ୍ର ବ୍ୟବହାର ହୋଇଥାଏ, ଯାହାକି ଅଧିକ କ୍ଷତିକାରକ। ଏହି ହତିଆର ଗାଲି ଓ ବିଲ୍ଡିଂକୁ ମଧ୍ୟ ଭେଦ କରିବାରେ ସଫଳ ହୋଇଥାଏ।
ରିପୋର୍ଟ ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀଙ୍କ ପାଖରୁ ଏକେ ୪୭ ଓ ଏମ୍୪ କାର୍ବାଇନ୍ ରହିଛି। ଏହା ସୁରକ୍ଷାବଳକୁ ବଡ଼ କ୍ଷତି ପହଁଞ୍ଚାଇଥାଏ। ୨୦୧୭ ରେ ପ୍ରଥମ ଥର ଜମ୍ମୁ-କଶ୍ମୀରରେ ଏମ୍୪ ରାଇଫଲ ମିଳିଥିଲା। ସୁରକ୍ଷାବାହିନୀ ଆତଙ୍କୀ ତଲହା ରଶିଦ ମହମ୍ମୁଦକୁ ମାରିବା ବେଳେ ତା ପାଖରୁ ଏହି ରାଇଫଲ ମିଳିଥିଲା। ସେ ଜୈଶ-ଇ-ମହମ୍ମଦ ଗୋଷ୍ଠୀର ଥିଲା। ଏହାପରେ ବହୁ ଆତଙ୍କୀ ଘଟଣାରେ ଏମ୍୪ ଗନ୍ର ବ୍ୟବହାର କରାଯାଇଥିଲା। କଠୁଆ, ରିୟାସି ଓ ପୁଞ୍ଛରେ ମଧ୍ୟ ଆତଙ୍କବାଦୀମାନେ ଏହି ରାଇଫଲର ବ୍ୟବହାର କରିଥିଲେ।
ଏମ୍୪ କାର୍ବାଇନ ଲାଇଟ୍ଓ୍ବେଟ୍, ଗ୍ୟାସ୍ ଅପରେଟେଡ୍ ରାଇଫଲ ହୋଇଥାଏ। ଏହା ଗୋଟିଏ ମିନିଟ୍ରେ ୭୦୦ ରୁ ୮୦୦ ଫାୟାର କରିପାରେ। ଏହାର ରେଞ୍ଜ ୫୦୦ ରୁ ୬୦୦ ମିଟର ରହିଥାଏ। ବୁଲେଟ୍ ତିନି କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଯାଇପାରେ। ତେଣୁ ଏହା ଖୁବ୍ ଚିନ୍ତାର ବିଷୟ ପାଲଟିଛି।