ନୂଆଦିଲ୍ଲୀ: ରହସ୍ୟମୟ ବେଲୁନକୁ ନେଇ ପୁଣି ଆମେରିକାରେ ହଇଚଇ ହୋଇଛି । ଆମେରିକାର ଲୋକମାନେ ଆକାଶରେ ସମ୍ଭାବ୍ୟ ଗୁପ୍ତଚର ବେଲୁନ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏଗୁଡ଼ିକର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ପୂର୍ବରୁ ୨୦୨୩ରେ ଆମେରିକା ଆକାଶରେ ସ୍ପାଏ ବେଲୁନ ଦେଖିବାକୁ ମିଳିଥିଲା । ଏପରିକି ଦକ୍ଷିଣ କାରୋଲିନା ଉକପୂଳରେ ସ୍ପାଏ ବେଲୁନକୁ ଗୁଳି କରି ଖସାଇ ଦେଇଥିଲା ଆମେରିକା । ଏହି ସ୍ପାଏ ବେଲୁନ ଚୀନ୍‌ ବୋଲି ଜଣାପଡ଼ିବା ପରେ ଆମେରିକା ଚିନ୍ତାରେ ପଡ଼ିଥିଲା । ଏହି ସବୁ ବେଲୁନ୍‌ ସାହାଯ୍ୟରେ ଚୀନ୍‌ ଆମେରିକାର ପ୍ରତିରକ୍ଷା ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛି ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ପୁଣି ଥରେ ଏଭଳି ରହସ୍ୟମୟ ବେଲୁନ୍‌ ଆମେରିକା ଆକାଶରେ ଦେଖିବାକୁ ମିଳିଛି । 

ଡେଲି ମେଲ୍ ରିପୋର୍ଟ ଅନୁସାରେ, ବେଲୁନଗୁଡ଼ିକ କଲୋରାଡୋ, ଆରିଜୋନା ଏବଂ ଆଲାବାମାରେ ଦେଖିବାକୁ ମିଳିଛି । ଏସବୁ ବେଲୁନକୁ ଦେଇ ସେଠାକାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏହି ବେଲୁନ୍‌ ଆମେରିକାର ଗୋପନ ତଥ୍ୟ ସଂଗ୍ରହ କରିବାକୁ ପଠାଯାଇଛି ଏବଂ ଏହା ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆମେରିକୀୟ ବିଶ୍ବାସ କରୁଛନ୍ତି । ଏହି ରାଜ୍ୟଗୁଡ଼ିକର ବାସିନ୍ଦାମାନେ ସୋସିଆଲ ମିଡିଆରେ ଏହି ବେଲୁନଗୁଡ଼ିକର ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି । କେହି ଏହି ବେଲୁନଗୁଡ଼ିକୁ ଚିହ୍ନିପାରୁଛ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ଏହି ବେଲୁନ ଆମେରିକାର ନିୟମିତ ଗବେଶଷଣାର ଏକ ଅଂଶ ହୋଇପାରେ କିମ୍ବା ଏଗୁଡ଼ିକ ଗୁପ୍ତଚର ବେଲୁନ ହୋଇପାରେ ବୋଲି କୁହାଯାଉଛି । 

ଦୁଇ ସପ୍ତାହ ପୂର୍ବରୁ ଆରିଜୋନା ଆକାଶରେ ବେଲୁନ ଉଡ଼ୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଲୋକେ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଅନେକ ଏହାକୁ ଟ୍ରାକ କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ଜଣେ ସୋସିଆଲ୍‌ ମିଡିଆ ୟୁଜରଙ୍କ ଅନୁସାରେ, ଟକସନ୍‌ ଏବଂ ସିଏରା ଭିଷ୍ଟା ଆକାଶରେ ଅନେକ ଦିନ ଧରି ବେଲୁନ ଉଡ଼ୁଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ, ପ୍ରାୟ ୬୦ ହଜାର ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା ବେଲୁନ । 

ପରବର୍ତ୍ତୀ ସମୟରେ, ଆରିଜୋନା ଏବଂ ଟକସନ୍‌ରେ ଦେଖିବାକୁ ମିଳୁଥିବା ବେଲୁନ ସରକାରୀ ଯୋଜନା ଅଧୀନରେ ହେଉଥିବା କାର୍ଯ୍ୟକ୍ରମର ଏକ ଅଂଶ ବୋଲି ଜଣାପଡ଼ିଥିଲା । ଲୋକେ ଭାବୁଥିଲେ, ଚୀନ୍‌ ପୁଣି ଥରେ ଗୁପ୍ତଚର ବେଲୁନ ପଠାଇ ଆମେରିକାର ଗୋପନ ତଥ୍ୟ ଚୋରି କରିବାକୁ ଚାହୁଁଛି । କେତେକ ବେଲୁନ୍‌ ଆମେରିକାର ସରକାରଙ୍କ ବୋଲି ଜଣାପଡ଼ିବା ପରେ, ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ଆଉ ଏଥିପାର୍ଇ ସରକାରଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ସରକାର ଏଭଳି ବେଲୁନ ପଠାଇ କେଉଁ ତଥ୍ୟ ଯୋଗାଡ଼ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଲୋକେ ।