ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦିନ ଜମ୍ମୁକାଶ୍ମୀରର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବା ପାଇଁ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛ ନ୍ତି। ଏହି ବୈଠକରେ ଜମ୍ମୁକାଶ୍ମୀରରେ ଆତଙ୍କବାଦ, ସୁରକ୍ଷା ଏବଂ ସୀମା ସୁରକ୍ଷା ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ଏହି ବୈଠକରେ ସ୍ପଷ୍ଟ କରିଛନ୍ତି ଯେ, ମୋଦୀ ସରକାର ଜମ୍ମୁକାଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଏ ଦିଗରେ ନିରନ୍ତର ପଦକ୍ଷେପ ନିଆଯାଉଛି । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦ, ନାର୍କୋ-ଆତଙ୍କବାଦ ଏବଂ ଆତଙ୍କବାଦ-ଅର୍ଥନୈତିକ ପାଣ୍ଠି ଉପରେ ନଜର ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ସେ ଏହା ମଧ୍ୟ କହିଛନ୍ତି ଯେ, ସରକାର ଜମ୍ମୁକାଶ୍ମୀରରେ ଆତଙ୍କବାଦର ପରିବେଶକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବାକୁ ପ୍ରତିବଦ୍ଧ ଏବଂ ଏହା ରାଜ୍ୟରେ ଶାନ୍ତି  ଓ ସୁରକ୍ଷା ବଜାୟ ରଖିବା ସୁନିଶ୍ଚିତ କରିବେ ।

ବିଏସଏଫକୁ ନିର୍ଦ୍ଦେଶ

ସୀମା ସୁରକ୍ଷା ଗ୍ରୀଡକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୀମା ସୁରକ୍ଷା ବଳ(BSF)କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ସେ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ଜମ୍ମୁ କାଶ୍ମୀରରେ "ଶୂନ୍ୟ ଅନୁପ୍ରବେଶ" ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଶାହ କହିଛନ୍ତି ଯେ, ଆତଙ୍କବାଦୀମାନଙ୍କୁ ରାଜ୍ୟରେ ପ୍ରବେଶ କରିବାରୁ ରୋକିବା ପାଇଁ ସୀମାରେ ଯେକୌଣସି ଅନୁପ୍ରବେଶ ପ୍ରୟାସକୁ ପଣ୍ଡ କରିବା ଗୁରୁତ୍ୱପୂର୍ଣ୍ଣ ।

ଜିରୋ ଟେରର୍‌ ପ୍ଲାନ୍

ଜମ୍ମୁକାଶ୍ମୀରରେ ଆତଙ୍କବାଦର ଅନ୍ତ ପାଇଁ 'ଶୂନ୍ୟ ଆତଙ୍କ ଯୋଜନା'କୁ ଆହୁରି ମଜବୁତ କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବା । ଏହା ଅଧୀନରେ, ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ, ସମାଜରେ ଆତଙ୍କବାଦ ସମ୍ପର୍କରେ ସଚେତନତା ବୃଦ୍ଧି ପାଇବ ।

ସମସ୍ତ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ

ଏହି ବୈଠକରେ ଅମିତ ଶାହ ସମସ୍ତ ସୁରକ୍ଷା ଏଜେନ୍ସିକୁ ସଜାଗ ରହିବାକୁ ଏବଂ ଏକ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସମସ୍ତ ଏଜେନ୍ସି ମଧ୍ୟରେ ସମନ୍ୱୟ ରହିବା ଉଚିତ । ଏହା ଦ୍ଵାରା ଆତଙ୍କବାଦୀଙ୍କ ଯେକୌଣସି କାର୍ଯ୍ୟକଳାପକୁ ସମୟ ମଧ୍ୟରେ ରୋକା ଯାଇପାରିବ ଏବଂ ସୁରକ୍ଷା ପରିସ୍ଥିତିରେ ଉନ୍ନତ୍ତି ଆସିପାରିବ ।