ନୂଆଦିଲ୍ଲୀ, ୧୪।୫: ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଝଟକା । ତେଲ, ଗ୍ୟାସ୍ ପରେ ଏବେ କ୍ଷୀର ପାଇଁ ପକେଟ୍ ଉପରେ ପ୍ରଭାବ ପଡ଼ିବ । ଦେଶର ଦୁଇ ପ୍ରମୁଖ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୂଲ ଏବଂ ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛନ୍ତି । ଉଭୟ କମ୍ପାନୀ ଲିଟର ପିଛା ୨ ଟଙ୍କା ଲେଖାଏଁ ଦର ବଢ଼ାଇଛନ୍ତି । ବଢ଼ିଥିବା ଏହି ନୂଆ ଦର ମେ ୧୪, ୨୦୨୬ ଅର୍ଥାତ୍ ଆଜିଠାରୁ ସମଗ୍ର ଦେଶରେ ଲାଗୁ ହୋଇଛି ।
କେଉଁ ଭାରିଆଣ୍ଟରେ କେତେ ବଢ଼ିଲା ଦର ?
ଅମୂଲ ବ୍ରାଣ୍ଡର ମାଲିକାନା ସଂସ୍ଥା ଗୁଜରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (GCMMF) ସୂଚନା ଦେଇଛି ଯେ, କମ୍ପାନୀର ସବୁଠାରୁ ଅଧିକ ବିକ୍ରି ହେଉଥିବା ମୁଖ୍ୟ ଭେରିଆଣ୍ଟ ଗୁଡ଼ିକରେ ୨ ଟଙ୍କା ବୃଦ୍ଧି କରାଯାଇଛି । ସେଗୁଡ଼ିକ ହେଲା:
ଅମୂଲ ଗୋଲ୍ଡ
ଅମୂଲ ତାଜା
ଅମୂଲ କାଉ ମିଲ୍କ
ଅମୂଲ ବଫେଲୋ ମିଲ୍କ
ଅମୂଲ ଶକ୍ତି ଓ ସ୍ଲିମ୍ ଆଣ୍ଡ ଟ୍ରିମ୍
ସେହିପରି ମଦର ଡାଏରୀ ମଧ୍ୟ ତା’ର ଟୋକନ୍ କ୍ଷୀର ଏବଂ ପ୍ୟାକେଟ୍ କ୍ଷୀରର ସମସ୍ତ ଭାରିଆଣ୍ଟରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।
କାହିଁକି ବଢ଼ିଲା ଦର ?
ଦର ବୃଦ୍ଧି ପଛରେ କମ୍ପାନୀ ପକ୍ଷରୁ କେତେକ ପ୍ରମୁଖ କାରଣ ଦର୍ଶାଯାଇଛି:
୧. ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି: ପଶୁ ଖାଦ୍ୟ ଅର୍ଥାତ୍ ଚୋକଡ଼ ଓ ଦାନାର ଦାମ୍ ବଢ଼ିବା ସହ ପରିବହନ ଖର୍ଚ୍ଚ ଏବଂ ପ୍ୟାକେଜିଂ ଫିଲ୍ମର ମୂଲ୍ୟ ବୃଦ୍ଧି ପାଇଛି ।
୨. ଚାଷୀଙ୍କୁ ମୂଲ୍ୟ ପ୍ରଦାନ: ମଦର ଡାଏରୀ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ ମୂଲ୍ୟ ପ୍ରାୟ ୬% ବୃଦ୍ଧି ପାଇଛି । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
୩. ଅପରେସନ୍ ଖର୍ଚ୍ଚ: କ୍ଷୀର ପ୍ରକ୍ରିୟାକରଣ ଏବଂ ଶୀତଳୀକରଣ ପାଇଁ ବ୍ୟବହୃତ ହେଉଥିବା ବିଦ୍ୟୁତ୍ ଓ ଇନ୍ଧନ ଖର୍ଚ୍ଚ ମଧ୍ୟ ବଢ଼ିଛି ।
ଖାଉଟିଙ୍କ ଉପରେ ପ୍ରଭାବ:
କ୍ଷୀରର ଦର ବଢ଼ିବା ଫଳରେ ମଧ୍ୟବିତ୍ତ ପରିବାରର ମାସିକ ବଜେଟ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ । କେବଳ କ୍ଷୀର ନୁହେଁ, ଆଗାମୀ ଦିନରେ କ୍ଷୀରରୁ ପ୍ରସ୍ତୁତ ଦହି, ଛେନା, ପନିର ଏବଂ ମିଠା ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଦିଲ୍ଲୀ-ଏନସିଆର ସମେତ ସମଗ୍ର ଦେଶରେ ଏହି ନୂଆ ଦର ଲାଗୁ ହେବା ପରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କମ୍ପାନୀଗୁଡ଼ିକ କହିଛନ୍ତି ଯେ, ଏହି ମୂଲ୍ୟ ବୃଦ୍ଧି ମାତ୍ର ୨.୫ ରୁ ୩.୫ ପ୍ରତିଶତ ମଧ୍ୟରେ ସୀମିତ, ଯାହାକି ବାସ୍ତବରେ ମୁଦ୍ରାସ୍ଫୀତି ହାର ଠାରୁ କମ୍ । କିନ୍ତୁ, ପ୍ରତିଦିନ କ୍ଷୀର ବ୍ୟବହାର କରୁଥିବା ସାଧାରଣ ଲୋକଙ୍କ ପାଇଁ ଏହି ୨ ଟଙ୍କା ମଧ୍ୟ ବଡ଼ ବୋଝ ସଦୃଶ ।
ଆହୁରି ପଢ଼ନ୍ତୁ... LPG ଗ୍ରାହକଙ୍କ ପାଇଁ ଖୁସି ଖବର: ହୋର୍ମୁଜ ପାର୍ କଲା LPG ଜାହାଜ MV ସନସାଇନ୍, ଆସୁଛି ୩୪ ଲକ୍ଷ ସିଲିଣ୍ଡର