ଭୁବନେଶ୍ୱର,୨୫/୦୯: ଏକାମ୍ରକ୍ଷେତ୍ରର ଅନନ୍ୟ ତଥା ଏକମାତ୍ର ପଶ୍ଚିମମୁଖା ବିଷ୍ଣୁ ମନ୍ଦିର ଅନନ୍ତ ବାସୁଦେବ ମନ୍ଦିରର ସ୍ଥିତି ସଂକଟରେ । ବେଢ଼ା ଭିତରେ ଅନଧିକାର ଭାବେ ଚାଲିଥିବା ରୋଷ ଘରୁ କ୍ରମାଗତ ଭାବେ ବାହାରୁଥିବା ଉତ୍ତାପ ସହିତ ମାତ୍ରାଧିକ ଜଳର ବ୍ୟବହାର ଏହାର ମୂଳଦୁଆକୁ ଦୁର୍ବଳ କରିଚାଲିଛି । ଉକ୍ତ ରୋଷଘର  ସେଠାରୁ ସ୍ଥାନାନ୍ତର ନହେଲେ ଆଗାମୀ ୫୦ ବର୍ଷ  ଭିତରେ ଭୁଶୁଡ଼ିଯିବ ବୋଲି ଉଦ୍‌ବେଗ ପ୍ରକାଶ  କରିଛି ପ୍ରମୁଖ ସେବାୟତ ସଂଗଠନ ପୂଜାପଣ୍ଡା  ନିଯୋଗ । ତା’ ସହିତ ମନ୍ଦିର ବେଢ଼ା କଡ଼ରୁ  ଭାରି ଯନ୍ତ୍ରପାତି ମାଧ୍ୟମରେ ଚାଲିଥିବା ମାଟି  ପଥର ତଡ଼ା ବିପଦକୁ ଆହୁରି ବଢ଼ାଉଛି ବୋଲି  ଐତିହ୍ୟପ୍ରେମୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

୧୨୭୮ ମସିହାରେ ରାଣୀ ଚନ୍ଦ୍ରିକା ଦେବୀ  ଏକାମ୍ରକ୍ଷେତ୍ରର ଶୈବ ପୀଠ ସମାହାର ଭିତରେ  ବିନ୍ଦୁସାଗର ପୂର୍ବ ଊପକୂଳରେ ଅନନ୍ତ ବାସୁଦେବ ମନ୍ଦିର ପ୍ରତିଷ୍ଠା କରିଥିଲେ । କ୍ଷେତ୍ରାଧିପତି ଭାବେ ଖ୍ୟାତ ଠାକୁର ଅନନ୍ତ ବାସୁଦେବ ପଶ୍ଚିମ ଦିଗକୁ  ମୁହଁ କରି ବିରାଜିତ ହୋଇଥିବା ବେଳେ ମନ୍ଦିର  ସାମନାରେ ମହାବୀର ହନୁମାନ ପ୍ରଣିପାତ ମୁଦ୍ରାରେ ଠାକୁରଙ୍କୁ ଆଡ଼କୁ ମୁହଁ କରି ପ୍ରତିଷ୍ଠିତ । ମନ୍ଦିରର  ଅନନ୍ୟ ଭାସ୍କର୍ଯ୍ୟର ସଂରକ୍ଷଣ ପାଇଁ ଭାରତୀୟ  ପ୍ରତ୍ନତତ୍ତ୍ୱ ବିଭାଗ ୬୦ ଦଶକରେ ଏହି ମନ୍ଦିରର  ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା । ପୂଜାପଣ୍ଡା  ନିଯୋଗର ଅଭିଯୋଗ ମୁତାବକ, ରାଜାଙ୍କ ଅମଳରୁ  ପୂଜାପଣ୍ଡାଗଣ ବଂଶାନୁକ୍ରମେ ଅନନ୍ତ ବାସୁଦେବଙ୍କ  ରୀତିନୀତି, ପୂଜାବିଧି ଆଦି ନିର୍ବାହ କରି ଆସୁଥିଲେ ।  

ଏଥିପାଇଁ ସେମାନଙ୍କ ନାମରେ ରାଜା ଚାଷ ଜମି ଖଞ୍ଜା  କରିଛନ୍ତି । ଠାକୁରଙ୍କ ନିକଟରେ ଖଇ, ଲଡ଼ୁ ଆଦି  ଭୋଗ ଲାଗି ହେବାର ବିଧି ରହିଆସିଛି । ହେଲେ  ଆଜକୁ ପ୍ରାୟ ୫୦ ବର୍ଷ ହେବ ଏହି ମନ୍ଦିରରେ  ମୁଷ୍ଟିମେୟ ବ୍ରାହ୍ମଣ ନିଯୋଗ ସେବାୟତମାନେ ଏହି  ମନ୍ଦିର ବେଢ଼ାରେ ଅନଧିକାର ଭାବେ ରୋଷଶାଳ  ନିର୍ମାଣ କରି ସେଠାରେ ଅନ୍ନଭୋଗ ପ୍ରସ୍ତୁତ କରି  ଠାକୁରଙ୍କୁ ଲାଗି କରୁଛନ୍ତି । ବେଢ଼ା ଉପରେ ନିର୍ମିତ  ଚୁଲିରୁ ବର୍ଷ ବର୍ଷ ଧରି ନିର୍ଗତ ଉତ୍ତାପ ମନ୍ଦିରର  ମୂଳଦୂଆର ସ୍ଥିତିକୁ ବିପନ୍ନ କରିଚାଲିଛି । ରୋଷଶାଳରୁ  ବାହାରୁଥିବା ପ୍ରବଳ ଧୂଆଁରେ ମନ୍ଦିର ଭାସ୍କର୍ଯ୍ୟ ମଳିନ  ପଡ଼ିଗଲାଣି । ଏ ସମ୍ପର୍କରେ ପୂଜାପଣ୍ଡା ନିଯୋଗ  ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ, ଶ୍ରୀଲିଙ୍ଗରାଜ  ମନ୍ଦିର ପ୍ରଶାସନକୁ ଲିଖିତ ଅଭିଯୋଗ ଦିଆଯାଇଛି ।

 ଅନୁରୂପ ଭାବେ ଏକାମ୍ର ପ୍ରକଳ୍ପ ଚାଲିଥିବା  ବେଳେ ଅନନ୍ତ ବାସୁଦେବ ମନ୍ଦିର ପଛପାଶ୍ୱର୍ରେ  ବ୍ୟାପକ ଖୋଳାତଡ଼ା ହୋଇଥିଲା । ମନ୍ଦିରକୁ ଲାଗି  ରହିଥିବା ମାଟିଗଦାକୁ ହଟାଇ ଦିଆଯାଇଥିଲା ।  ଯାହାକୁ ପ୍ରତ୍ନତତ୍ତ୍ୱ ବିଭାଗ ଓ ଐତିହ୍ୟପ୍ରେମୀମାନେ  ବିରୋଧ କରିଥିଲେ । ମନ୍ଦିର ମୂଳଦୁଆକୁ ସୁଦୃଢ଼  କରିଥିବା ଏହି ମାଟି ଉଠିଯିବା ଫଳରେ କୀର୍ତ୍ତିରାଜି  ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଥିଲା ।  ଅବଶ୍ୟ ବର୍ତ୍ତମାନ ମନ୍ଦିର ପଛପାଶ୍ୱର୍ରେ ଖୋଳାତଡ଼ା  ବନ୍ଦ ହୋଇ ସେଠାରେ ପାର୍କ ନିର୍ମାଣ ହୋଇଛି ।  ଯାହାକି ଐତିହ୍ୟପ୍ରେମୀଙ୍କୁ ଆଶ୍ୱସ୍ତ କରିଛି ।  

ଅନନ୍ତ ବାସୁଦେବ ମନ୍ଦିରର ଏହି ବିପନ୍ନ  ଅବସ୍ଥା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ  ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍‌ ଡା. ନନ୍ଦକିଶୋର ସ୍ୱାଇଁଙ୍କୁ  ଅବଗତ କରାଯାଇଥିଲା । ଶ୍ରୀ ସ୍ୱାଇଁ କହିଛନ୍ତି,  ଅନନ୍ତ ବାସୁଦେବ ମନ୍ଦିର ବେଢ଼ାରେ ରୋଷଘର  ନଥିଲା । ଉକ୍ତ ରୋଷଘର ସ୍ଥାନାନ୍ତର ହେବା ନିହାତି  ଆବଶ୍ୟକ । ଏ ବିଷୟରେ ଆମ ପକ୍ଷରୁ ବାରମ୍ବାର  ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ଜଣା ଦିଆଯାଇଛି ।  ସମସ୍ତଙ୍କ ସହମତିରେ ରୋଷଘର ସ୍ଥାନାନ୍ତର ହେବା  ଉଚିତ । ସେହିଭଳି ବ୍ରାହ୍ମଣ ନିଯୋଗର ସଭାପତି  ନାରାୟଣ ମହାପାତ୍ର ସମସ୍ତ ଅଭିଯୋଗକୁ ଖଣ୍ଡନ  କରି କହିଛନ୍ତି, ମୋତେ ୬୪ ବର୍ଷ ହେଲାଣି ।  ମୋ ପିଲାଦିନୁ ମୁଁ ଦେଖିଆସିଛି ଅନନ୍ତ ବାସୁଦେବ  ମନ୍ଦିର ବେଢ଼ାରେ ରୋଷଘର ଥିଲା । ବାପା, ଅଜାଙ୍କ  ଠାରୁ ଶୁଣିଆସିଛୁ ରୋଷଘର ସେହିଠାରେ ରହିଛି ।  ତେଣୁ ରୋଷଘର ସ୍ଥାନାନ୍ତର ପ୍ରଶ୍ନ ଉଠୁନାହିଁ ।