ପ୍ରତିବର୍ଷ ଏକାଧିକ ଷ୍ଟାର୍‌କିଡ୍‌ ଆସନ୍ତି ହିନ୍ଦୀ ଫିଲ୍ମ ଜଗତକୁ । ଅଭିନୟ ଆରମ୍ଭ କରନ୍ତି, ତିଷ୍ଠି ରହିବାକୁ ସଂଘର୍ଷ କରନ୍ତି । କିଛି ଷ୍ଟାର୍‌କିଡ୍‌ଙ୍କୁ ପ୍ରଥମ ଫିଲ୍ମରୁ ସଫଳତା ମିଳେ, ଆଉ କିଛି ବିଫଳ ହୁଅନ୍ତି । ଗତ କିଛି ବର୍ଷ ମଧ୍ୟରେ ହିନ୍ଦୀ ସିନେମା ଜଗତକୁ ଆସିଥିବା ଷ୍ଟାର୍‌କିଡ୍‌ଙ୍କ ଡେବ୍ୟୁ ଫିଲ୍ମର ପ୍ରଥମ ଦିନ ରୋଜଗାର କଥା ଆଲୋଚନା କଲେ ଜଣାପଡ଼େ, ସବୁଠୁ ଆଗରେ ଅଛନ୍ତି ଅନନ୍ୟା ପାଣ୍ଡେ । ତାଙ୍କ ପରେ କେତେଜଣ ଷ୍ଟାର୍‌କିଡ୍‌ ଅଭିନୟରେ ପ୍ରବେଶ କରିଥିଲେ ହେଁ ପ୍ରଥମ ଦିନ ରୋଜଗାରରେ ଅନନ୍ୟାଙ୍କ ରେକର୍ଡ ଅତୁଟ ରହିଛି।

ଗତ କିଛି ବର୍ଷ ମଧ୍ୟରେ ବେଶ୍‌ କେତେ ଜଣ ଷ୍ଟାର୍‌କିଡ୍‌ ବଲିଉଡରେ ଅଭିନୟ ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ପ୍ରଥମ ଫିଲ୍ମ ବକ୍ସ ଅଫିସ୍‌ରେ ଖୁବ୍‌ ସୁନ୍ଦର ବ୍ୟବସାୟ କରିଛି ତ ଆଉ କେତେକଙ୍କ ପ୍ରଥମ ଫିଲ୍ମର ବ୍ୟବସାୟ ଆଖିଦୃଶିଆ ନୁହେଁ । ନିକଟରେ ସଞ୍ଜୟ କପୁରଙ୍କ ଝିଅ ସନାୟାଙ୍କ ପ୍ରଥମ ଫିଲ୍ମ ‘ଆଁଖୋ କି ଗୁସ୍ତାଖିୟାଁ’ ରିଲିଜ ହୋଇଛି । ଏଥିରେ ସନାୟାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି ସିନେପ୍ରେମୀ । କିନ୍ତୁ ଫିଲ୍ମର ବ୍ୟବସାୟ ଆଦୌ ଉତ୍ସାହଜନକ ନୁହେଁ । ଏହି କ୍ରମରେ ଆସନ୍ତୁ ଦେଖିବା କେଉଁ ତାରକା ସନ୍ତାନଙ୍କ ଫିଲ୍ମ ପ୍ରଥମ ଦିନ କେତେ ଟଙ୍କା ରୋଜଗାର କରିଛି । 

ସନାୟା କପୁର 

ସନାୟା ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ । କେବଳ ସଞ୍ଜୟ ନୁହନ୍ତି, ଏହି ପରିବାରର ଅନ୍ୟମାନେ ମଧ୍ୟ ହିନ୍ଦୀ ଫିଲ୍ମ ଜଗତ ସହ ସମ୍ପୃକ୍ତ । ସନାୟାଙ୍କ ବଡ଼ବାପା ବୋନି ଓ ଅନୀଲ ଯଥାକ୍ରମେ ପ୍ରଯୋଜକ ଓ ଅଭିନେତା । ବଡ଼ମାଆ ଶ୍ରୀଦେବୀ ନାଁକରା ଅଭିନେତ୍ରୀ । କଜିନ୍‌ ଭାଇ ଅର୍ଜୁନ ଓ ହର୍ଷବଦ୍ଧନ ଅଭିନେତା, କଜିନ୍‌ ଭଉଣୀ ସୋନମ ଅଭିନେତ୍ରୀ, ରୀୟା ପ୍ରଯୋଜିକା, ଜାହ୍ନବୀ ଓ ଖୁସି ଅଭିନେତ୍ରୀ ଭାବେ ବଲିଉଡରେ ସକ୍ରିୟ ଅଛନ୍ତି । ଏଭଳି ଏକ ପରିବାରର ଝିଅ ସନାୟା ଅଭିନୟ କ୍ଷେତ୍ରରେ ପାଦ ରଖିବାରେ ଆଦୌ ଅସ୍ୱାଭାବିକତା ନାହିଁ । ସନାୟାଙ୍କ ପ୍ରଥମ ଫିଲ୍ମ ‘ଆଁଖୋ କି ଗୁସ୍ତାଖିୟାଁ’ ରିଲିଜ ହୋଇଛି ଚଳିତ ମାସ ୧୧ ତାରିଖରେ । ସନାୟାଙ୍କ ନାୟକ ଭାବେ ଏଥିରେ ଅଭିନୟ କରିଛନ୍ତି ବିକ୍ରାନ୍ତ ମାସି । ଏହି ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମଟି ପ୍ରଥମ ଦିନରେ ସେଭଳି ଆଖିଦୃଶିଆ ବ୍ୟବସାୟ କରିପାରିନଥିଲା । ରିପୋର୍ଟ ଅନୁସାରେ, ‘ଆଁଖୋ କି ଗୁସ୍ତାଖିୟାଁ’ ପ୍ରଥମ ଦିନ ମାତ୍ର ୭୫ ଲକ୍ଷରୁ ୧ କୋଟି ଟଙ୍କା ରୋଜଗାର କରିଛି ।

ଜାହ୍ନବୀ କପୁର 

ପ୍ରଯୋଜକ ବୋନି କପୁର ଓ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ଝିଅ ଜାହ୍ନବୀ ‘ଧଡ଼କ୍‌’ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ଜାହ୍ନବୀଙ୍କ ନାୟକ ଚରିତ୍ରରେ ଥିଲେ ସାହିଦ କପୁରଙ୍କ ଭାଇ ଇସାନ ଖଟ୍ଟର । ଉଭୟ ଜାହ୍ନବୀ ଓ ଇସାନଙ୍କର ଏହା ଥିଲା ଡେବ୍ୟୁ ଫିଲ୍ମ । ‘ଧଡ଼କ୍‌’କୁ ବେଶ୍‌ ପସନ୍ଦ କରିଥିଲେ ସିନେପ୍ରେମୀ । ଏହି ଫିଲ୍ମଟି ପ୍ରଥମ ଦିନ ୮ କୋଟି ୭୧ ଲକ୍ଷ ଟଙ୍କା ରୋଜଗାର କରିଥିଲା । କରନ୍‌ ଜୋହର ପ୍ରଯୋଜିତ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଖୈତାନ । ଜୁଲାଇ ୨୦, ୨୦୧୮ରେ ‘ଧଡ଼କ୍‌’ ଆସିଥିଲା ପ୍ରେକ୍ଷାଳୟକୁ । 

ସାରା ଅଲ୍ଲୀ ଖାନ 

ସାରା ବର୍ତ୍ତମାନ ହିନ୍ଦୀ ସିନେଶିଳ୍ପର ପ୍ରତିଷ୍ଠିତ ଅଭିନେତ୍ରୀ । ସାରାଙ୍କ ପରିବାରର ଅଧିକାଂଶ ସଦସ୍ୟ ଫିଲ୍ମ ସହ ଜଡ଼ିତ । ସାରାଙ୍କ ବାପା ସୈଫ ଅଲ୍ଲୀ ଖାନ ବଲିଉଡର ଲୋକପ୍ରିୟ ଅଭିନେତା, ମା’ ଅମୃତା ସିଂ ସଫଳ ଅଭିନେତ୍ରୀ । ଜେଜେମା’ ଶର୍ମିଳା ତାଙ୍କ ସମୟର ପ୍ରସିଦ୍ଧ ଅଭିନେତ୍ରୀ । ପିଉସୀ ସୋହା ଅଲ୍ଲୀ ଖାନ ମଧ୍ୟ ବେଶ୍‌ କେତୋଟି ଫିଲ୍ମରେ ଅଭିନୟ କରିଛନ୍ତି । ସୁଶାନ୍ତ ସିଂ ରାଜପୁତ ଷ୍ଟାରର୍‌ ‘କେଦାରନାଥ’ ଥିଲା ସାରାଙ୍କ ପ୍ରଥମ ଫିଲ୍ମ । ରିଲିଜର ପ୍ରଥମ ଦିନ ‘କେଦାରନାଥ’ ୭ କୋଟି ୨୫ ଲକ୍ଷ ଟଙ୍କା ବ୍ୟବସାୟ କରି ପ୍ରଯୋଜନା ସଂସ୍ଥାର ଉତ୍ସାହ ବୃଦ୍ଧି କରିଥିଲା । 

ଖୁସି କପୁର 

ବୋନି କପୁର ଓ ଶ୍ରୀଦେବୀଙ୍କ ସାନଝିଅ ଖୁସି ବଲିଉଡରେ ପାଦ ରଖିସାରିଛନ୍ତି । ଖୁସିଙ୍କର ପ୍ରଥମ ଫିଲ୍ମ ‘ଦ ଆର୍ଚିଜ୍‌’ ଡିସେମ୍ବର ୭, ୨୦୨୩ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଜୋୟା ଅଖତାର ଏ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସିନେମା ଘରେ ମୁକ୍ତିପ୍ରାପ୍ତ ଖୁସିଙ୍କର ପ୍ରଥମ ଫିଲ୍ମ ଥିଲା ‘ଲଭ୍‌ୟାପ୍ପା’ । ଫେବ୍ରୁଆରୀ ୭, ୨୦୨୫ରେ ରିଲିଜ ହୋଇଥିଲା ଏ ଫିଲ୍ମ । ‘ଲଭ୍‌ୟାପ୍ପା’ରେ ଖୁସିଙ୍କ ବିପକ୍ଷରେ ନାୟକ ଭାବେ ଦେଖିବାକୁ ମିଳିଥିଲେ ଜୁନୈଦ ଖାନ । ଜୁନୈଦ ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମୀର ଖାନଙ୍କ ପୁଅ । ଖୁସି ଓ ଜୁନୈଦଙ୍କ ‘ଲଭ୍‌ୟାପ୍ପା’ର ପ୍ରଥମ ଦିନ ବ୍ୟବସାୟ ଥିଲା ୧.୨୫ କୋଟି ଟଙ୍କା । 

ଅନନ୍ୟା ପାଣ୍ଡେ 

ଷ୍ଟାର୍‌କିଡ୍‌ ଅଭିନୀତ ଫିଲ୍ମର ପ୍ରଥମ ଦିନର ବ୍ୟବସାୟ ମାମଲାରେ ସବୁଠୁ ଆଗରେ ଅଛନ୍ତି ଲୋକପ୍ରିୟ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା । କରନ୍‌ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨’ ଜରିଆରେ ହିନ୍ଦୀ ସିନେମା ଦୁନିଆରେ ପ୍ରବେଶ କରିଥିଲେ ଅନନ୍ୟା । ଏ ଫିଲ୍ମରେ ଅନନ୍ୟାଙ୍କ ସହିତ ତାରା ସୁତାରିୟା ଓ ଟାଇଗର ଶ୍ରଫ ଦେଖିବାକୁ ମିଳିଥିଲେ । ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨’ ପ୍ରଥମ ଦିନ ରୋଜଗାର କରିଥିଲା ୧୨.୦୬ କୋଟି ଟଙ୍କା । ୨୦୧୯ ମେ ୧୦ ତାରିଖରେ ରିଲିଜ ହୋଇଥିଲା ଏହି ଚଳଚ୍ଚିତ୍ର ।