ଭୁବନେଶ୍ୱର, ୧୩/୭ (ବିଜୟ ମିଶ୍ର): ରାଜଧାନୀ ଉପକଣ୍ଠ ଐତିହାସିକ ଲବଣଗିରିର ଚୂଡ଼ାରେ ଶୋଭା ପାଉଛି ୨ଟି ଭବ୍ୟ ମନ୍ଦିର । ଏକଦା ପାହାଡ଼ର ଜଙ୍ଗଲ ଭିତରେ ଥିବା କ୍ଷୁଦ୍ର ଜଗନ୍ନାଥ ଆଶ୍ରମ ପାଲଟିଯାଇଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର । ପାହାଡ଼ ଚୂଡ଼ାର ପ୍ରବେଶ ପଥରେ ମହାଦେବଙ୍କ ବିଶାଳ ମନ୍ଦିର । ଏହି ୨ଟି କୀର୍ତ୍ତି ସ୍ଥାପନ କରି ସ୍ଥାନୀୟ ଗ୍ରାମବାସୀ ଲବଣଗିରିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ଏହି ପାହାଡ଼ । ହେଲେ କାହିଁକି ଏହି ପାହାଡ଼ର ନାମ ଲବଣଗିରି? ଏହା ପଛରେ କ’ଣ ରହସ୍ୟ ରହିଛି।
ଏହି ଅନାଲୋଚିତ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବାକୁ ଗଲେ ଆମେ ୨୨ ବର୍ଷ ତଳକୁ ଫେରିଯିବାକୁ ପଡ଼ିବ । ରାଜଧାନୀ ଉପକଣ୍ଠ ପାଞ୍ଚଗାଁ ଅଞ୍ଚଳରେ ଦଣ୍ଡାୟମାନ ଲବଣଗିରି ପାହାଡ଼ । ଜଟଣୀ-କପିଳପ୍ରସାଦ ରାସ୍ତାରେ ଯିବା ବେଳେ ଏହାର ଶୋଭା ନଜରରେ ପଡ଼େ । ଏହାର କ୍ଷେତ୍ରଫଳ ୧ ବର୍ଗ କିମି ଠାରୁ କିଛି ଅଧିକ ହେବ । ଉଚ୍ଚତା ପାଖାପାଖି ୫୦୦ ଫୁଟ ହେବ । ୨୦୦୪ ମସିହାରେ ସ୍ଥାନୀୟ ଗ୍ରାମବାସୀ ଏହି ପାହାଡ଼ ଚୂଡ଼ାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ଇଚ୍ଛା କରିଥିଲେ । ଡ୍ରୋଜର ଲଗାଇ ପାହାଡ଼ର ପଶ୍ଚିମ ପାଦଦେଶରୁ ଚୂଡ଼ା ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ଆରମ୍ଭ କରିଥିଲେ । ଡ୍ରୋଜର ପାହାଡ଼ ଚୂଡ଼ାରେ ରାସ୍ତା ନିର୍ମାଣ ପାଇଁ ମାଟି ତାଡ଼ୁଥିବା ବେଳେ ମାଟିତଳେ କିଛି ଭାରି ଜିନିଷ ଏହାର ଦାନ୍ତରେ ଲାଗିଥିଲା । କିଛି ଗଭୀର ଖୋଳିବା ପରେ ଏକ ପ୍ରାଚୀନ କୀର୍ତ୍ତିର ଅଂଶାବଶେଷ ପଦାକୁ ଦେଖାଯାଇଥିଲା । ଏହା ଦେଖିବା ପରେ ଗ୍ରାମବାସୀ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଜଣାଇଥିଲେ । ବିଭାଗୀୟ ପ୍ରତ୍ନତତ୍ତ୍ୱବିତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷାନିରୀକ୍ଷା କରିଥିଲେ । ଏହି ଖୋଳାତଡ଼ା ଅବସରରେ ମାଟି ତଳୁ କିଛି ପ୍ରାଚୀନ ସାମଗ୍ରୀ ବାହାରିଥିଲା । ସେଥିମଧ୍ୟରୁ ଗୋଟିଏ ଅଷ୍ଟଧାତୁର ବିଶାଳ କମଣ୍ଡଳୁ ଓ ହାତ ପିନ୍ଧା କଡ଼ା ଆଶ୍ରମରେ ଥିବା ସନ୍ଥଙ୍କ ହାତରେ ଗ୍ରାମବାସୀ ଦେଇଥିଲେ । ସେ କମଣ୍ଡଳୁର ପରିଧି ଏତେ ବଡ଼ ଯେ ଆଜିକାଲି କୌଣସି ମଣିଷ ତାକୁ ପାଞ୍ଚ ଆଙ୍ଗୁଠି ଲଗାଇ ଟେକି ପାରୁନାହାନ୍ତି ।
ସେହିପରି ହାତର ବଳାର ବିଶାଳ ପରିଧି କାହା ହାତର ମାପକୁ ପାଉନାହିଁ । ଏତେ ବଡ଼ କମଣ୍ଡଳୁ ଓ କଡ଼ା ପିନ୍ଧୁଥିବା ଲୋକ ନିଶ୍ଚିତ ଭାବେ ଦୈତାକାର ହୋଇଥିବେ ବୋଲି ସେଥିରୁ ପ୍ରମାଣିତ ହେଉଛି । ପୁନଶ୍ଚ ପୁରାଣ ପୃଷ୍ଠା ତଥା ସ୍ଥାନୀୟ ଲୋକକଥାରୁ ଜଣାପଡ଼େ ଏହି ପାହାଡ଼ର ଶିଖରରେ ଲବଣାସୁର ବାସ କରୁଥିଲେ । ସେ ଥିଲେ ଶ୍ରୀଲିଙ୍ଗରାଜଙ୍କ ପରମ ଭକ୍ତ । ସେତେବେଳେ ଲବଣଗିରି ପାଦଦେଶ ଠାରୁ କପିଳେଶ୍ୱର ଗ୍ରାମ ପର୍ଯ୍ୟନ୍ତ ଜମି ବର୍ଷତମାମ ଜଳପ୍ଲାବିତ ହୋଇ ରହୁଥିଲା । ଏହି ସନ୍ତସନ୍ତିଆ ଅଞ୍ଚଳକୁ ପାର କରିବା ପାଇଁ ଲବଣାସୁର ନିର୍ମାଣ କରିଥିଲେ ବୀରବନ୍ଧ ଓ ରାଣୀବନ୍ଧ । ସେ ବନ୍ଧରେ ସେ ଗେରୁଆ ବସ୍ତ୍ର ପରିଧାନ କରି ହାତରେ କମଣ୍ଡଳୁ ଧରି ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଉଥିଲେ । ଆମ ମହାନ ସଂସ୍କୃତି ଓ ଇତିହାସକୁ ପରିଚୟ ଦେଇଥିବା ଏହି ଐତିହାସିକ ପାହାଡ଼ର ଐତିହ୍ୟକୁ ସଂରକ୍ଷଣ ଦିଗରେ କିନ୍ତୁ ସରକାରଙ୍କ ପକ୍ଷରୁ ସେତେଟା ପ୍ରୟାସ ନାହିଁ ।
କେବଳ ପାହାଡ଼ ଚୂଡ଼ାକୁ ରାସ୍ତା ଓ ଅନ୍ୟାନ୍ୟ କିଛି ସିମେଣ୍ଟ କଂକ୍ରଟ୍ ନିର୍ମାଣ ଛଡ଼ା ପ୍ରାଚୀନ କୀର୍ତ୍ତିର ଅବଶେଷକୁ ସୁରକ୍ଷିତ ଓ ସଂରକ୍ଷିତ କରାଯାଇନାହିଁ। ଧଉଳି, ଶିଶୁପାଳଗଡ଼ କ୍ଷେତ୍ର ଭଳି ଲବଣଗିରିର ରହସ୍ୟ ଭେଦ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରତ୍ନତତ୍ତ୍ୱ ଆଗଭର ହେବା ଆବଶ୍ୟକ ବୋଲି ସଂସ୍କୃତିପ୍ରେମୀମାନେ ମତ ପ୍ରକାଶ କରିଛନ୍ତି । ଲବଣଗିରିର ଭଲମନ୍ଦ ଦାୟିତ୍ୱ ନିର୍ବାହ କରୁଥିବା ସ୍ଥାନୀୟ ଅଞ୍ଚଳର ମୁରବି ସୁଧାଂଶୁ ମୋହନ ପଟ୍ଟନାୟକ କହିଛନ୍ତି, ୨୦୦୪ ମସିହାରେ ପ୍ରତ୍ନତତ୍ତ୍ୱବିତ୍ ମାନେ ଖନନ କରି ମାଟିତଳେ କୀର୍ତ୍ତିରାଜର ସନ୍ଧାନ ପାଇଥିଲେ । କିନ୍ତୁ କିଛି ଦିନ ପରେ ତାକୁ ସେମିତି ଛାଡ଼ିଦେଇ ପଳାଇଲେ । ବହୁ ଦିନ ଧରି ସେମାନେ ନ ଆସିବାରୁ ଆମେ ଉକ୍ତ ଖନନସ୍ଥଳୀକୁ ପୋତି ଦେଲୁ । ଲବଣଗିରି ପାଦଦେଶରେ ସମ୍ରାଟ ଅଶୋକଙ୍କ ସୈନ୍ୟଛାଉଣି ଥିଲା । ଏହି ମହାନ ଇତିହାସ ସମ୍ପର୍କରେ ଅଧିକ ଗବେଷଣା ଆବଶ୍ୟକ । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ଦେବଯାନୀ ଭୂୟାଁ କହିଛନ୍ତି, ନୂଆ ଐତିହ୍ୟସ୍ଥଳ ଖନନ ଓ ଗବେଷଣା ପାଇଁ ଆମ ପାଖରେ ଯଥେଷ୍ଟ ମାନବ ସମ୍ଭଳ ନାହିଁ । ତେବେ ଏ କ୍ଷେତ୍ରରେ ଗବେଷଣା କରୁଥିବା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆମେ ଘଟଣାସ୍ଥଳ ପରିଦର୍ଶନ କଲାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ।
ଆହୁରି ପଢନ୍ତୁ- Odisha water crisis : ହୀରାକୁଦକୁ ଛାଡ଼ି ଶୁଖିଲା ପଡ଼ିଛି ସବୁ ଜଳଭଣ୍ଡାର, କ୍ଷମତାର ମାତ୍ର ୨୪% ଜଳବିଦ୍ୟୁତ ଉତ୍ପାଦନ
The End of the Sun ! :ସୂର୍ଯ୍ୟ ଶକ୍ତିହୀନ ହେଲେ ମଣିଷ ଜାତିର କଣ ହେବ? | Prameya Digital