ଆନ୍ଧ୍ରପ୍ରଦେଶ, ୬।୩: ଜନସଂଖ୍ୟା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରପ୍ଲାନ । ଅଧିକ ସନ୍ତାନ ପାଇଁ ମିଳିବ ଆର୍ଥିକ ପ୍ରୋତ୍ସାହନ । ଆନ୍ଧ୍ରପ୍ରଦେଶରେ ଆସୁଛି ନୂଆ ଜନସଂଖ୍ୟା ନୀତି । ଦୁଇରୁ ଅଧିକ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟ ପାଇଁ ଏକ ନୂତନ ଜନସଂଖ୍ୟା ପରିଚାଳନା ନୀତି (Population Management Policy) ଘୋଷଣା କରିଛନ୍ତି । ରାଜ୍ୟରେ ହ୍ରାସ ପାଉଥିବା ପ୍ରଜନନ ହାରକୁ ନେଇ ଚିନ୍ତା ପ୍ରକଟ କରି ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ଯେଉଁ ପରିବାରରେ ଦ୍ୱିତୀୟ କିମ୍ବା ତା’ଠାରୁ ଅଧିକ ସନ୍ତାନ ଜନ୍ମ ହେବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ୨୫ ହଜାର ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ଏହା ବି ପଢ଼ନ୍ତୁ... ଭାରତ ୩୦ ଦିନ ଯାଏ କିଣିପାରିବ ରୁଷ୍ ତେଲ, ଇରାନ ଯୁଦ୍ଧ ଭିତରେ ଆମେରିକା ଦେଲା ଅନୁମତି
ବିଧାନସଭାରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ପ୍ରଜନନ ହାର କମି ୧.୫ ରେ ପହଞ୍ଚିଛି, ଯାହାକି ଜନସଂଖ୍ୟା ସନ୍ତୁଳନ ପାଇଁ ଆବଶ୍ୟକ ୨.୧ ସ୍ତରରୁ ଯଥେଷ୍ଟ କମ୍ । ଏହାଦ୍ୱାରା ଭବିଷ୍ୟତରେ ରାଜ୍ୟରେ ଯୁବକମାନଙ୍କ ସଂଖ୍ୟା କମିବ ଏବଂ ବୟସ୍କଙ୍କ ସଂଖ୍ୟା ବଢ଼ିବ । ଫଳରେ ଚାଷ, ଶିଳ୍ପ ଏବଂ ସେବା କ୍ଷେତ୍ରରେ କାମ କରିବା ପାଇଁ ଶ୍ରମିକ ବା ୱାର୍କଫୋର୍ସର ଅଭାବ ଦେଖାଦେଇପାରେ । ମୁଖ୍ୟମନ୍ତ୍ରୀ ନାଇଡୁ ନିଜର ପୁରୁଣା ନୀତିରୁ ‘ୟୁ-ଟର୍ଣ୍ଣ’ ନେଇଛନ୍ତି । ପୂର୍ବରୁ ୨୦୦୪ ମସିହା ପୂର୍ବରୁ ତାଙ୍କ ସରକାର ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ଆଇନରେ ସଂଶୋଧନ କରିବାକୁ ସଙ୍କେତ ଦେଇଛନ୍ତି, ଯାହାଦ୍ୱାରା ଅଧିକ ସନ୍ତାନ ଥିବା ବ୍ୟକ୍ତି ମଧ୍ୟ ନିର୍ବାଚନ ଲଢ଼ିପାରିବେ । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, "ଆମକୁ ଆମ ରାଜ୍ୟର ଜନସଂଖ୍ୟା ସନ୍ତୁଳନ ରକ୍ଷା କରିବାକୁ ହେବ । ଏହି ନୂଆ ନୀତି ଏକ 'ଗେମ୍ ଚେଞ୍ଜର' ସାବ୍ୟସ୍ତ ହେବ।"