ମୁମ୍ୱାଇ, ୧୪।୭: ବଲିଉଡର ଜଣାଶୁଣା ଅଭିନେତ୍ରୀ ଅଞ୍ଜଳି ଆନନ୍ଦ ନିଜର ଚମତ୍କାର ଅଭିନୟ ଏବଂ ସ୍ପଷ୍ଟବାଦିତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ 'ବେଲ୍ ବଟମ୍' ରେ ତାଙ୍କୁ ରୋଲ୍ ମିଳିବା ପଛର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଅଞ୍ଜଳି କହିଛନ୍ତି ଯେ, ତାଙ୍କ ମୋଟାପଣ ଯୋଗୁଁ ହିଁ ତାଙ୍କୁ ଏହି ବଡ଼ ବଜେଟ୍ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ଏହି ସମ୍ପୂର୍ଣ୍ଣ ଅଭିଜ୍ଞତାକୁ ଏକ ମଜାଦାର ଢଙ୍ଗରେ ଶେୟାର କରି ସେ କହିଛନ୍ତି ଯେ, ଫିଲ୍ମର ଏକ ସ୍ୱତନ୍ତ୍ର ସିନ୍ ପାଇଁ ସେ ସମ୍ପୂର୍ଣ୍ଣ ଫିଟ୍ ଥିଲେ, ସେଥିପାଇଁ ତାଙ୍କୁ ଚୟନ କରାଯାଇଥିଲା । ପ୍ରଥମେ ଏହି କଥା ଶୁଣି ତାଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ପରେ ସେ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରିଥିଲେ ।
ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଅଞ୍ଜଳି କହିଛନ୍ତି, "ମୋତେ ଅକ୍ଷୟ କୁମାରଙ୍କ ଫିଲ୍ମ 'ବେଲ୍ ବଟମ୍'ରେ କେବଳ ଏଥିପାଇଁ ନିଆଯାଇଥିଲା, କାରଣ ଫିଲ୍ମର ଏକ ସିନ୍ରେ ଜଣେ ଆତଙ୍କବାଦୀ ମୋ ଉପରେ ପଡ଼ିଯାଇ ଧରାପଡ଼ିଥାନ୍ତା । ମୋତେ ଏମିତି ଚରିତ୍ର କେବଳ ମୋର ଓଜନ ଯୋଗୁଁ ହିଁ ଅଫର୍ କରାଯାଇଥିଲା । ଯେତେବେଳେ ଲୋକେ କେବଳ ମୋ ଶରୀର ଓ ଓଜନକୁ ନେଇ ମଜାକ ଉଡ଼ାନ୍ତି, ସେତେବେଳେ ବହୁତ ଦୁଃଖ ଲାଗେ । ସେମାନେ ଏହା ଦେଖନ୍ତି ନାହିଁ ଯେ ମୁଁ ଜଣେ ଭଲ ଅଭିନେତ୍ରୀ କି ନୁହେଁ ।" ନିଜର ଶାରୀରିକ ଗଠନ ଏବଂ ସମାଜର ଚିନ୍ତାଧାରା ଉପରେ ଅଞ୍ଜଳି ନିଜର ପ୍ରତିକ୍ରିୟା ରଖି କହିଛନ୍ତି, "କିଛି ଲୋକଙ୍କ ମତରେ ମୁଁ ସୌନ୍ଦର୍ଯ୍ୟର ମାନଦଣ୍ଡରେ ଫିଟ୍ ହୁଏନାହିଁ । କିନ୍ତୁ ଏଭଳି ଲୋକେ ଦୀପିକା ପାଦୁକୋନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଅଭିନେତ୍ରୀଙ୍କ ଭିତରେ ବି ଦୋଷ ଖୋଜିଥାନ୍ତି । ଏପରିକି ଶାହରୁଖ ଖାନ୍ ଏବଂ ଅମିତାଭ ବଚ୍ଚନଙ୍କ ଭଳି ମହାନାୟକ ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି । ତେଣୁ ସେମାନଙ୍କ କଥାରେ ମୋର ବାସ୍ତବତା ବଦଳିଯିବ ନାହିଁ ।"
ଏହା ବି ପଢ଼ନ୍ତୁ... Govinda: ୭ ବର୍ଷ ପରେ ପରଦାକୁ କମବ୍ୟାକ୍ କରୁଛନ୍ତି ସୁପର ଷ୍ଟାର ଗୋବିନ୍ଦା, ଘୋଷଣା କଲେ ନୂଆ ଫିଲ୍ମ, ଜାଣନ୍ତୁ କିଏ ଅଭିନେତ୍ରୀ
ଫିଲ୍ମ 'ରକି ଔର୍ ରାନୀ କି ପ୍ରେମ୍ କାହାନୀ'ରେ ଅଞ୍ଜଳିଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମରେ ତାଙ୍କ ଚରିତ୍ରଟି 'ବଡି ସେମିଙ୍ଗ' ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା । ଏହାକୁ ନେଇ ସେ କହିଛନ୍ତି ଯେ, ପୂର୍ବରୁ ଫିଲ୍ମଗୁଡ଼ିକରେ ପ୍ଲସ୍-ସାଇଜ୍ ଅର୍ଥାତ୍ ମୋଟା ଚରିତ୍ରମାନଙ୍କୁ କେବଳ ଥଟ୍ଟାମଜା ପାଇଁ ରୋଲ୍ ଦିଆଯାଉଥିଲା । ପୂର୍ବରୁ ଜଣେ ମୋଟା ଝିଅ ମାନେ କେବଳ ଅଧିକ ଖାଇବା ମଧ୍ୟରେ ସୀମିତ ରହୁଥିଲେ । ସେଭଳି ଚରିତ୍ରର ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ୱର ଥାଇପାରେ, ତାହା ପୂର୍ବରୁ କେହି ଦେଖାଉ ନଥିଲେ । କିନ୍ତୁ, ଏବେ ଧୀରେ ଧୀରେ ଏହି ଚିନ୍ତାଧାରା ବଦଳିବାରେ ଲାଗିଛି ।