କୋଲକାତା, ୧୪।୭: ବାଂଲାଦେଶରୁ ନିର୍ବାସିତ ଚର୍ଚ୍ଚିତ ଲେଖିକା ତସଲିମା ନସରିନ୍ ଦୀର୍ଘ ପ୍ରାୟ ଦୁଇ ଦଶନ୍ଧି ପରେ କୋଲକାତା ଫରୁଛନ୍ତି । ପୂର୍ବରୁ ବାମପନ୍ଥୀ ସରକାର ସମୟରେ ୨୦୦୭ ମସିହାରେ ତାଙ୍କ ଲେଖାକୁ ନେଇ ସୃଷ୍ଟି ହୋଇଥିବା ପ୍ରବଳ ହିଂସାତ୍ମକ ବିରୋଧ ପ୍ରଦର୍ଶନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା କାରଣରୁ ତାଙ୍କୁ କୋଲକାତା ଛାଡ଼ିବାକୁ ପଡ଼ିଥିଲା । ସେବେଠାରୁ ତାଙ୍କର କୋଲକାତା ଫେରିବା ପାଇଁ ହୋଇଥିବା ଅନେକ ପ୍ରୟାସ ସୁରକ୍ଷା କାରଣରୁ ବିଫଳ ହୋଇଥିଲା । ତେବେ ଆସନ୍ତା ଅଗଷ୍ଟ ୧ ତାରିଖରେ ସେ କୋଲକାତାର ରବୀନ୍ଦ୍ର ସଦନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ସୂଚନା ନିଜେ ତସଲିମା ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ... ​​​​​​​ସମୟ ରୈନାଙ୍କ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଦେବେ ୩ ଲକ୍ଷ ଟଙ୍କାର ଜୋରିମାନା

କୋଲକାତା ସହ ତସଲିମାଙ୍କର ବିବାଦୀୟ ସମ୍ପର୍କ ବେଶ୍ ପୁରୁଣା । ତାଙ୍କର ଏହି ପ୍ରସ୍ତାବିତ ଗସ୍ତ ଏବେ ସାହିତ୍ୟିକ ଓ ସାଂସ୍କୃତିକ ମହଲରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଏଥର ତାଙ୍କୁ 'ସେକ୍ୟୁଲାର ମିଶନ' ଏବଂ 'ହ୍ୟୁମ୍ୟାନ୍ ରାଇଟ୍ସ ଆଣ୍ଡ ବାଂଲାଦେଶ ଫ୍ରିଡମ୍ ଫାଇଟର୍ସ ଫାଉଣ୍ଡେସନ' (HRBFF) ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଆୟୋଜକଙ୍କ କହିବା ଅନୁଯାୟୀ, କଟ୍ଟରପନ୍ଥୀଙ୍କ ବିରୋଧରେ ତାଙ୍କର ଦୀର୍ଘ ଦିନର ସଂଗ୍ରାମ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମ୍ମାନ ଜଣାଇ ଏହି ନିମନ୍ତ୍ରଣ ଦିଆଯାଇଛି । ନିଜର ନିଡର ଅନ୍ଦାଜ, ମହିଳା ଅଧିକାର ଓ ଧର୍ମନିରପେକ୍ଷତା ପାଇଁ ତସଲିମା ଆନ୍ତର୍ଜାତୀୟ ସ୍ତରରେ ଉଭୟ ପ୍ରଶଂସା ଓ ବିବାଦ ସାଉଁଟିଛନ୍ତି । ପଶ୍ଚିମବଙ୍ଗରେ ନିକଟରେ ହୋଇଥିବା ସତ୍ତା ପରିବର୍ତ୍ତନ ଏବଂ ନୂଆ ସରକାର ଗଠନ ପରେ ତସଲିମା ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ସେ ଶୁଭେନ୍ଦୁ ସରକାରଙ୍କୁ ପ୍ରଶଂସା କରିବା ସହ ଲେଖିଛନ୍ତି, "ମୋର ଆଶା ଅଛି ଯେ ଏବେ ପରିସ୍ଥିତି ବଦଳିପାରେ । ମୁଁ ସବୁବେଳେ କୋଲକାତା ଫେରିବାକୁ ଚାହୁଁଥିଲି, କିନ୍ତୁ ଏହା ମୋର ଏକ ଅଧୁରା ସ୍ୱପ୍ନ ହୋଇ ରହିଯାଇଥିଲା । କାରଣ ପୂର୍ବରୁ ନା ବାମପନ୍ଥୀ ସରକାର ନା ଟିଏମ୍‌ସି ସରକାର ମତେ ଏହାର ଅନୁମତି ଦେଇଥିଲେ ।" ଦୀର୍ଘ ୨୦ ବର୍ଷ ପରେ ନିଜ ପ୍ରିୟ ସହରକୁ ଫେରୁଥିବାରୁ ତସଲିମା ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି ।