ନୂଆଦିଲ୍ଲୀ, ୧୪।୭:  ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍‌ରେ ମିସାଇଲ୍ ମାଡ଼ରେ ଭାରତୀୟଙ୍କ ମୃତ୍ୟୁ ଘଟଣା ।  ହୋର୍ମୁଜରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଦୁଇଟି ତେଲ ଟାଙ୍କର ଉପରେ ହୋଇଥିବା ଇରାନୀ ମିସାଇଲ ମାଡ଼ରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଭାରତ ସରକାର ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ଘଟଣାକୁ ନେଇ ନୂଆଦିଲ୍ଲୀ ସ୍ଥିତ ବୈଦେଶିକ ମନ୍ତ୍ରାଳୟ (MEA) ଭାରତରେ ଅବସ୍ଥାପିତ ଇରାନର ଉପ-ରାଜଦୂତ ମହମ୍ମଦ ଜୱାଦ ହୁସେନିଙ୍କୁ ସମନ କରିଛି । ଆନ୍ତର୍ଜାତୀୟ ଜଳପଥରେ ବେସାମରିକ ଜାହାଜ ଉପରେ ଏଭଳି ବଳପ୍ରୟୋଗ ଏବଂ ନିରୀହ ଭାରତୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଭାରତ, ତେହେରାନ ସାମ୍ନାରେ ନିଜର ଆନୁଷ୍ଠାନିକ ତଥା ଦୃଢ଼ ବିରୋଧ ପ୍ରଦର୍ଶନ କରିଛି ।  

ଉପସାଗରୀୟ ଦେଶଗୁଡ଼ିକରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ମହାଯୁଦ୍ଧ ଯୋଗୁଁ ଭାରତୀୟ ନାବିକମାନେ ବାରମ୍ବାର ମୃତାହତ ହେଉଥିବାରୁ ଏବେ ନୂଆଦିଲ୍ଲୀ ନାଲି ଆଖି ଦେଖାଇଛି । ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଇରାନର ଡେପୁଟି ଚିଫ୍ ଅଫ୍ ମିଶନଙ୍କୁ ସାଉଥ୍ ବ୍ଲକ‌କୁ ଡକାଇ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ବାଣିଜ୍ୟିକ ଏବଂ ବେସାମରିକ ଜାହାଜ ଉପରେ ଏଭଳି ସାଂଘାତିକ ମିସାଇଲ୍ ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଭାରତ ଏହି ଗମ୍ଭୀର ଘଟଣା ଉପରେ ଇରାନଠାରୁ ଜବାବ ମାଗିଛି । ଏଥିସହ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ସାମୁଦ୍ରିକ ପଥରେ ଫ୍ରି ନାଭିଗେସନ୍ ଏବଂ ନାବିକମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଇରାନର ଦାୟିତ୍ୱ ବୋଲି ଭାରତ ଦୋହରାଇଛି ।

ଏହା ବି ପଢ଼ନ୍ତୁ... ​​​​​​​US-Iran-War: ହେଲିକପ୍ଟର କ୍ରାଶ୍ ପରେ ବଢ଼ିଲା ମୃତ୍ୟୁସଂଖ୍ୟା; ୧୪ ଆମେରିକୀୟ ସୈନ୍ୟ ମୃତ, ୪୧୪ ଆହତ

ୟୁଏଇର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ପରେ ଭାରତ ଏହି କୂଟନୀତିକ ପଦକ୍ଷେପ ଗ୍ରହଣ କରିଛି । ରିପୋର୍ଟ ଅନୁଯାୟୀ, ଓମାନର ଜଳସୀମା ମଧ୍ୟରେ ୟୁଏଇର ଦୁଇଟି ଜାତୀୟ ଟାଙ୍କର 'ମୋମ୍ବାସା' ଏବଂ 'ଅଲ୍ ବାହିୟା'କୁ ଇରାନର କ୍ରୁଜ୍ ମିସାଇଲ୍ ଦ୍ୱାରା ଟାର୍ଗେଟ୍ କରାଯାଇଥିଲା । 'ମୋମ୍ବାସା' ଟାଙ୍କର ଉପରେ ହୋଇଥିବା ଏହି ମିସାଇଲ ମାଡ଼ ଯୋଗୁଁ ଜାହାଜରେ ଭୟାବହ ନିଆଁ ଲାଗିଯାଇଥିଲା । ଏଥିରେ କ୍ରୁ ସଦସ୍ୟ ଭାବେ କାର୍ଯ୍ୟରତ ଜଣେ ଭାରତୀୟ ନାବିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ୟୁଏଇ ସୂଚନା ଅନୁଯାୟୀ, ଆହତମାନଙ୍କ ମଧ୍ୟରେ ୬ ଜଣ ଭାରତୀୟ ଏବଂ ୨ ଜଣ ୟୁକ୍ରେନ ନାଗରିକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ନାବିକଙ୍କ ଅବସ୍ଥା ଏବେ ମଧ୍ୟ ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । କହିରଖୁ କି, କିଛି ଦିନ ପୂର୍ବେ ଏହି ଅଞ୍ଚଳରେ ଆମେରିକାର ବିମାନ ଆକ୍ରମଣରେ ୩ ଜଣ ଭାରତୀୟ ନାବିକ ପ୍ରାଣ ହରାଇବା ପରେ ଭାରତ ସମାନ ଢଙ୍ଗରେ ଆମେରିକାର ରାଜଦୂତଙ୍କୁ ମଧ୍ୟ ସମନ ଜାରି କରିଥିଲା । ଏଭଳି ସ୍ଥିତିରେ ଏବେ ଇରାନର ଉପ-ରାଜଦୂତଙ୍କୁ ତଲବ କରି ଭାରତ ବିଶ୍ୱକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଆକ୍ରମଣକାରୀ ଆମେରିକା ହେଉ କିମ୍ବା ତାର 'ମିତ୍ର' ଇରାନ, ଭାରତୀୟ ନାଗରିକଙ୍କ ଜୀବନକୁ କେହି ବି ଆନୁଷଙ୍ଗିକ କ୍ଷତି ବୋଲି ଭାବିବା ଭୁଲ୍ ନକରନ୍ତୁ ।