୨୦୨୫ ଏପ୍ରିଲ ୨୨ ତାରିଖରେ ପହଲଗାମର ସୌନ୍ଦର୍ଯ୍ୟରେ ଭରା ବୈସରନ ଶାନ୍ତ ଉପତ୍ୟକା ହୋଇଥିଲା ରକ୍ତରଞ୍ଜିତ । ଆତଙ୍କବାଦୀଙ୍କ ଅଟୋମେଟିକ୍‌ ଗନ୍‌ରୁ ନିର୍ଗତ ଗୁଳିରେ ୨୬ଜଣ ଭାରତୀୟ ନାଗରିକ ହୋଇଥିଲେ ନିହତ । ଆନନ୍ଦ ଉଲ୍ଲାସରେ ଭରପୂର ମଜା ନେଉଥିବା ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ସେମାନଙ୍କ ଧର୍ମ ପଚାରି କଲମା ଶୁଣାଇବାକୁ କହି ହିନ୍ଦୁ ବୋଲି ଅବଗତ ହେଲା ପରେ ସେଠାରେ ଉପସ୍ଥିତ ପରିବାର ସଦସ୍ୟଙ୍କ ସାମନାରେ ରଚିଥିଲେ ଜଘନ୍ୟ ହତ୍ୟାର ତାଣ୍ଡବ । ପରିବାର ସଦସ୍ୟଙ୍କ ଆର୍ତ୍ତଚିତ୍କାର ତଥା କ୍ରନ୍ଦନରେ ଗୁଞ୍ଜରିତ ହୋଇଉଠିଥିଲା ସେହି ଶାନ୍ତ ଉପତ୍ୟକା । ହଜିଯାଇଥିଲା ହିନ୍ଦୁ ନାରୀଙ୍କ ମଥାରୁ ସିନ୍ଦୂର । ସ୍ୱାମୀଙ୍କ ନିଶ୍ଚଳ ମର ଶରୀରକୁ କୋଳରେ ଧରି ମହିଳାମାନଙ୍କର ଆର୍ତ୍ତ ନିନାଦ ମିଳାଇ ଯାଉଥିଲା ସେହି ପାହାଡ଼ ପର୍ବତଘେରା ବନାନୀରେ । ପ୍ରତିଧ୍ୱନିତ ହେଉଥିଲା ଧର୍ମ-ଧର୍ମ, ହିନ୍ଦୁହିନ୍ଦୁ । କ’ଣ ଅବା ଭୁଲ୍‌ ଥିଲା ତାଙ୍କର? ହଁ, ସେମାନେ ଥିଲେ ହିନ୍ଦୁ । ପ୍ରଶ୍ନ ଉଠୁଛି- ହିନ୍ଦୁର ରକ୍ତ କ’ଣ ଅଲଗା? ସମସ୍ତଙ୍କ ରକ୍ତ ଲାଲ ହୋଇଥିଲାବେଳେ କେବଳ ହିନ୍ଦୁଙ୍କ ପ୍ରତି ଏତେ ଘୃଣା କାହିଁକି? ପହଲଗାମରେ ବର୍ବର, ଅମାନୁଷିକ, ବୀଭତ୍ସ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସମଗ୍ର ବିଶ୍ୱ ହେଲା ଅବଗତ । ୨୬ଜଣ ଭାରତୀୟ ନାଗରିକଙ୍କ ହତ୍ୟାକୁ ନେଇ ଦେଶବ୍ୟାପୀ କ୍ରୋଧ କୁହୁଳିବାରେ ଲାଗିଲା ଏବଂ ପ୍ରତିଶୋଧ ପାଇଁ ସରକାର ହୋଇଉଠିଲେ ବଦ୍ଧପରିକର । 

୨୦୨୫ ଏପ୍ରିଲ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ନ୍ୟାୟ ମିଳିବ ବୋଲି ଦେଇଥିଲେ ଆଶ୍ୱସ୍ତି । ଆତଙ୍କବାଦ ବିରୋଧୀ ଯୁଦ୍ଧରେ ସମଗ୍ର ଭାରତବାସୀଙ୍କ ଏକତା ହିଁ ଆମ ଲଢ଼ାଇର ଆଧାର ହେବ ବୋଲି ଶୁଣାଇଥିଲେ ନିର୍ଭୟ ବାଣୀ । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା, ନିଜ ଘରେ ରଖି ସେମାନଙ୍କୁ ଲାଳନପାଳନ କରୁଥିବା ପାକିସ୍ତାନର ଛନ୍‌କା ପଶିଲା । କାରଣ ଭାରତ ଉଚିତ ଜବାବ ଦେବାକୁ ପ୍ରସ୍ତୁତି ପର୍ବ ଆରମ୍ଭ କରିଥିବା ସମ୍ବନ୍ଧରେ ପାକିସ୍ତାନ ବେଶ୍‌ ଅବଗତ ଥିଲା । ଆତଙ୍କବାଦୀଙ୍କୁ କିଭଳି କଡ଼ା ଜବାବ ଦିଆଯିବ, ଅପରେସନ ରୁମ୍‌ରେ ତା’ର ଷ୍ଟ୍ରାଟେଜି ହୋଇଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ । ‘ସିନ୍ଦୂର’ ହେଉଛି ହିନ୍ଦୁ ରମଣୀର ପ୍ରେମ, ଧର୍ମ ଓ ବିଶ୍ୱାସର ପ୍ରତୀକ । ଜଣେ ବିବାହିତା ନାରୀ ତାର ସିନ୍ଦୂର ରକ୍ଷାପାଇଁ ବୀରା ରମଣୀ ମଧ୍ୟ ପାଲଟିଯାଏ, କିନ୍ତୁ ସିନ୍ଦୂରର ଅପମାନ ହେବାକୁ ଦିଏନାହିଁ । ଏହା କେବଳ ଶୃଙ୍ଗାର ନୁହେଁ, ଶୌର୍ଯ୍ୟର ପ୍ରତୀକ ମଧ୍ୟ । ପହଲଗାମରେ ପବିତ୍ର ସିନ୍ଦୂରକୁ ହରାଇଥିବା ନାରୀମାନଙ୍କର ସମ୍ମାନ ଏବଂ ମର୍ଯ୍ୟାଦା ବଜାୟ ରଖିବାକୁ ଏହି ଭାରତ ମାତାର ବୀର ସନ୍ତାନ ପୋଛି ହୋଇଥିବା ସିନ୍ଦୂରର ଶପଥ ନେଇ ରଣହୁଙ୍କାର ଦେଇଥିଲେ ସେହି ଆତଙ୍କବାଦୀ ନିପାତ ପାଇଁ ‘ଅପରେସନ ସିନ୍ଦୂର’ ଜରିଆରେ । ପହଲଗାମ ନରସଂହାରର ଠିକ୍‌ ୧୪ଦିନ ପରେ ଭାରତୀୟ ସେନା ଆରମ୍ଭ କରିଥିଲା ଆତଙ୍କବାଦୀ ନିପାତ ଅଭିଯାନ । ଯେଉଁ ମଙ୍ଗଳବାର ଆତଙ୍କବାଦୀମାନେ ନିରୀହ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟା କରିଥିଲେ, ସେହି ମଙ୍ଗଳବାର ଦିନ (୨୦୨୫ ମେ’ ୬ ରାତିରେ) ଭାରତ ଆରମ୍ଭ କରିଥିଲା ‘ଅପରେସନ ସିନ୍ଦୂର’ । ଆତଙ୍କବାଦୀଙ୍କୁ ଭାରତ ଭୂମିକୁ ପ୍ରେରଣ କରି ଯେତେବେଳେ ପାକିସ୍ତାନ ନିଘୋଡ଼ ନିଦ୍ରାରେ ଶୋଇଥିଲା, ସେହି ରାତିର ଅନ୍ଧକାରରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ୨୫ ମିନିଟ୍‌ ଧରି (ରାତି ୧ଘ.୫ମି.ରୁ ୧ଘ.୩୦ମି.) ଭାରତୀୟ ବାୟୁସେନା ପ୍ରଚଣ୍ଡ ଆକ୍ରମଣ କରିଥିଲା । ରାଫେଲ, ମିରାଜ, ସୁକୋଇ, ମିଗ୍‌ ଭଳି ଅତ୍ୟାଧୁନିକ ଭାରତୀୟ କମ୍ବାଟ୍‌ ଏୟାରକ୍ରାଫ୍ଟ ଗର୍ଜିଥିଲା ପାକିସ୍ତାନ ମାଟିରେ । ମିଜାଇଲ୍ସ ବୋମା ମାଡ଼ରେ ଭାଙ୍ଗିଯାଇଥିଲା ପାକିସ୍ତାନୀ ଆତଙ୍କବାଦୀଙ୍କ ଆଡ୍ଡା । 

ଭାରତୀୟ ସେନାର ମିଳିତ ଅପରେସନରେ ଥରହର ହୋଇଉଠିଥିଲା ପାକିସ୍ତାନ । ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା ଭାରତୀୟ ବାୟୁସେନାର କମ୍ବାଟ୍‌ ଏୟାରକ୍ରାଫ୍ଟ । ପୂର୍ବଦିଗରେ ସିନ୍ଦୂରା ଫାଟିବା ପୂର୍ବରୁ ଧଳିସାତ୍‌ ହୋଇଥିଲା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ, ମାଟିରେ ମିଶିଯାଇଥିଲା । ଅପରେସନ ସିନ୍ଦୂର ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଭାରତୀୟ ସେନା ସୋସିଆଲ ମିଡିଆ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଥିଲା । ଏଥିରେ ଟ୍ୟାଙ୍କରୁ ଫାୟାରିଂ, କମ୍ବାଟ ଏୟାରକ୍ରାଫ୍ଟରୁ ମିସାଇଲ ଲଞ୍ଚ ଏବଂ ଅନ୍ୟାନ୍ୟ ଯୁଦ୍ଧାଭ୍ୟାସର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଏଥିରେ ସଂସ୍କୃତରେ ଲିଖିତ ବାର୍ତ୍ତା ଥିଲା- ‘ପ୍ରହରାୟ ସନ୍ନିହିତାଃ, ଜୟାୟ ପ୍ରଶିକ୍ଷିତାଃ’ । ଅର୍ଥାତ୍‌- ଆମେ ଆକ୍ରମଣ ପାଇଁ ପ୍ରସ୍ତୁତ ଏବଂ ବିଜୟ ପାଇଁ ପ୍ରଶିକ୍ଷିତ । ଏହି ଭିଡିଓ କେବଳ ସେନାର ପ୍ରସ୍ତୁତିକୁ ପ୍ରଦର୍ଶନ ପାଇଁ ନଥିଲା ବରଂ ଆମ ଯବାନଙ୍କ ମନୋବଳ ଉଚ୍ଚ ରଖିବା ତଥା ପାକିସ୍ତାନକୁ ବାର୍ତ୍ତାଦେବା ନିମନ୍ତେ ଥିଲା ଉଦ୍ଦିଷ୍ଟ । ଆକ୍ରମଣ ପରେ ଭାରତ ସ୍ପଷ୍ଟ କରିଥିଲା, ଯେଉଁସବୁ ସ୍ଥାନରେ ଆତଙ୍କବାଦୀଙ୍କ ଆଡ୍ଡା ଥିଲା ସେହିସବୁକୁ ଟାର୍ଗେଟ କରାଯାଇଥିଲା । କୌଣସି ସାଧାରଣ ଜନବସତି ଅଥବା ପାକିସ୍ତାନର ସାମରିକ ଭିତ୍ତିଭୂମି ଉପରକୁ ଆକ୍ରମଣ କରାଯାଇନଥିଲା । ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲାବେଳେ ପାକିସ୍ତାନ ଭାରତର ଏହି ଆକ୍ରମଣାତ୍ମକ ପଦକ୍ଷେପ ସଂପର୍କରେ ପୂର୍ବରୁ ସାମାନ୍ୟତମ ସୂଚନା ପାଇପାରିନଥିଲା । ଭାରତର ଏଭଳି ପ୍ରତିଶୋଧର ପଦକ୍ଷେପରେ ପାକିସ୍ତାନ ହୋଇଥିଲା ସ୍ତବ୍ଧ । ଏହା କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନଥିଲା, ବରଂ ଶାନ୍ତି ଓ ସମ୍ମାନ ରକ୍ଷାପାଇଁ ଥିଲା ଏକ ପ୍ରତିଶ୍ରୁତି । ସେହି ବୀରାଙ୍ଗନା ନାରୀଙ୍କ ଲୁହର ପ୍ରତିଶୋଧ ହେଉଛି ‘ଅପରେସନ ସିନ୍ଦୂର’ । ଆକ୍ରମଣ ପରେ ଏହାର ଭିଡିଓ ତୁରନ୍ତ ଭାରତୀୟ ସେନା ନିଜ ସୋସିଆଲ ମିଡିଆରେ ଜାରି କରି ଲେଖିଥିଲା- ‘‘Justice done, ready to strike, trained to win- Jai Hind. 

ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣ ଖବର ଆସିବା ପରଠାରୁ ସମଗ୍ର ଭାରତବର୍ଷରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ସାଧାରଣ ନାଗରିକ ଭାରତୀୟ ସେନାର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଜଣାଇଥିଲେ ଅନ୍ତରଭରା ସଲାମ । ୨୦୨୫ ମେ’ ୬/୭ ରାତି ୧ଘ.୫ମି. ଠାରୁ ୧ଘ.୩୦ମି. ମଧ୍ୟରେ ମାତ୍ର ୨୫ମି.ରେ ପାକିସ୍ତାନ ଓ ପି.ଓ.କେ.ରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ଧ୍ୱସ୍ତ କରିବାର ୯ଘଣ୍ଟା ପରେ ସରକାର ଭାରତୀୟ ସେନାର ଅଧିକାରୀ ମିଳିତ ଭାବେ ଘଟଣା ବାବଦରେ ସୂଚନା ଦେଇଥିଲେ । ମେ’ ୭ ତାରିଖ ବୁଧବାର ପୂର୍ବାହ୍ନ ୧୦.୩୦ମି.ରେ ଦେଶ ଇତିହାସରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିସ୍ରୀଙ୍କ ସହ ସେନାବାହିନୀର ଦୁଇ ମହିଳା ଅଫିସର ଆର୍ମିର କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ବାୟୁସେନାର ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ ‘ଅପରେସନ ସିନ୍ଦୂର’ ସମ୍ବନ୍ଧରେ ମ୍ୟାପ ଓ ଫଟୋ ପ୍ରଦର୍ଶନ ଜରିଆରେ ସବିଶେଷ ବିବରଣୀ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ ବିବୃତି ଦେଇ ଜଣାଇଥିଲେ- ଅପରେସନ ସିନ୍ଦୂର କେବଳ ଏକ ଅପରେସନର ନାମ ନୁହେଁ, ଭାରତୀୟ ସେନାର ସାହସ, ପରାକ୍ରମ ଏବଂ ନାରୀ ସମ୍ମାନର ଏକ ଅଭିନବ ସମାହାର । ୨୦୨୫ ମେ’ ୮/୯ ବିଳମ୍ବିତ ରାତିରେ ଲାଦାଖରୁ ଗୁଜରାଟର କଚ୍ଛ ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ୧୪୦୦ କି.ମି. ଅଞ୍ଚଳ ଉପରେ ଭାରତର ୩୬ ସଂଖ୍ୟକ ସ୍ଥାନକୁ ପାକିସ୍ତାନ କରିଥିଲା ଟାର୍ଗେଟ୍‌ । ପାକ୍‌ ସେନା ଆକ୍ରମଣକୁ ପ୍ରତିହତ କରିବାପାଇଁ ଭାରତ ବିଭିନ୍ନ ଏୟାର ଡିଫେନ୍ସ ସିଷ୍ଟମ, ବିଶେଷଭାବେ ଏସ୍‌-୪୦୦ (ସୁଦର୍ଶନ ଚକ୍ର) ନିୟୋଜିତ କରି କଡ଼ା ଜବାବ ଦେଇଥିଲା । ଏହା ଥିଲା ଭାରତ ପାଇଁ ସୁରକ୍ଷା କବଚ । ଏଥିସହ ଭାରତ ବିଭିନ୍ନ ମିସାଇଲ ଓ ଭିନ୍ନ ଭିନ୍ନ ପ୍ରକାର ଡ୍ରୋନ ମଧ୍ୟ ବ୍ୟବହାର କରି ତାର ପ୍ରତିରକ୍ଷା ତଥା ଆକ୍ରମଣାତ୍ମକ ପଦକ୍ଷେପକୁ କରିଥିଲା ଅଧିକ ଶକ୍ତିଶାଳୀ । 

ଅପରପକ୍ଷେ ପାକିସ୍ତାନ ଚୀନଠାରୁ ଆଣିଥିବା ଏୟାର ଡିଫେନ୍ସ ସିଷ୍ଟମ, ରାଡାର, ଜାମର ଏବଂ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରିଥିବାର ସୂଚନା ମିଳେ । ୨୦୨୫ ମେ’ ୧୦ ତାରିଖ ଦିନ ଭାରତୀୟ ବାୟୁସେନା ପାକିସ୍ତାନକୁ ଉପଯୁକ୍ତ ଜବାବ ଦେବାକୁ ଯାଇ ପ୍ରଚଣ୍ଡ ଏୟାରଷ୍ଟ୍ରାଇକ କରିଥିଲା, ଯେଉଁଥିରେ ପାକିସ୍ତାନର ୧୧ଟି ବାୟୁସେନା ଘାଟି ହୋଇଥିଲା ଧ୍ୱସ୍ତ । ରାଓଲପିଣ୍ଡିର ନୁରଖାନ୍‌ ବାୟୁସେନା ଘାଟି ସମେତ ପାକିସ୍ତାନର ରଫିକି, ମୁରିଦ, ରହିମ୍ୟାର ଖାନ୍‌, ସୁକ୍କୁର, ବୁନିଆନ ଭଳି ସାମରିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଥିଲା । ଭାରତ ତାର କମ୍ବାଟ ବିମାନରୁ ପ୍ରାୟ ୧୫ଟି ବ୍ରହ୍ମୋସ୍‌ ମିସାଇଲ କ୍ଷେପଣ କରି ରଚିଥିଲା ତାଣ୍ଡବ । ସେଗୁଡ଼ିକ ଥିଲା ବେଶ୍‌ ଲକ୍ଷ୍ୟଭେଦୀ । ଉପଗ୍ରହ ଚିତ୍ରରୁ ମିଳିଥିବା ତଥ୍ୟରୁ ଏହା ବେଶ୍‌ ପ୍ରମାଣିତ । ପାକିସ୍ତାନ ମୁତୟନ କରିଥିବା ଚୀନ ନିର୍ମିତ ଏୟାରଡିଫେନ୍ସ ସିଷ୍ଟମ ବ୍ରହ୍ମୋସ ଆକ୍ରମଣରୁ ସୁରକ୍ଷା ପ୍ରଦାନରେ ହୋଇଥିଲା ବିଫଳ । ପାକିସ୍ତାନର ଏହି ଏୟାରବେସ୍‌ଗୁଡ଼ିକ ବେଶ୍‌ ଗୁରୁତ୍ୱ ବହନ କରିଥାଏ, କାରଣ ପ୍ରତିଟି ଏୟାରବେସ୍‌ ଡ୍ରୋନ-ୱାରଫେଆର, କମାଣ୍ଡର ସେଣ୍ଟର, ଏୟାର ଡିଫେନ୍ସ ସିଷ୍ଟମ ଏବଂ କମ୍ବାଟ ତଥା ଅନ୍ୟ ଏୟାରକ୍ରାଫ୍ଟଗୁଡ଼ିକର ହବ୍‌ (କେନ୍ଦ୍ର) ଥିଲା । ପାକିସ୍ତାନ ଏୟାରବେସ୍‌ର ରନୱେ, କମାଣ୍ଡ କଣ୍ଟ୍ରୋଲ, କମ୍ୟୁନିକେସନ, କମ୍ପୁଟର ଇଣ୍ଟେଲିଜେନ୍ସ, ସର୍ଭାଇଲେନ୍ସ ସେଣ୍ଟର, ରାଡାର, ଡ୍ରୋନ-କଣ୍ଟ୍ରୋଲ ସେଣ୍ଟର, ମେଣ୍ଟେନାନ୍ସ ହେଙ୍ଗରସ୍‌, ଏମ୍ୟୁନିସନ ଡମ୍ପ ଇତ୍ୟାଦିକୁ ଭାରତୀୟ ବାୟୁସେନା କରିଥିଲା ଟାର୍ଗେଟ । ଭାରତ ଦ୍ୱାରା ଅନ୍ୟ ବ୍ୟବହୃତ ଅସ୍ତ୍ର ଥିଲା ସ୍କାଲପ୍‌ ମିଜାଇଲ, ହାମର ବୋମା, ରାମ୍ପେଜ ମିସାଇଲ, ହାର୍ପି ତଥା ହାରୋପ ଡ୍ରୋନ । ୨୦୨୫ ମେ’ ୯ ତାରିଖ ମଧ୍ୟରାତ୍ରରେ ଭାରତର ଉଗ୍ରରୂପ ଓ ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ହୋଇଥିଲା ଛାନିଆ । 

ପାକିସ୍ତାନର ପରମାଣୁ ଅସ୍ତ୍ର ଆସେଟ୍ସ ଅଥବା କମାଣ୍ଡ କଣ୍ଟ୍ରୋଲ ଇନଫ୍ରାଷ୍ଟ୍ରକ୍‌ଚରଗୁଡ଼ିକ ଯଦି ଆକ୍ରମଣର ଶିକାର ହୁଏ ତେବେ ପାକିସ୍ତାନର ଅବସ୍ଥା କ’ଣ ହେବ ଏହାକୁ ଆକଳନ କରି ଭୀତତ୍ରସ୍ତ ହୋଇ ପାକିସ୍ତାନ ଆମେରିକାକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କଲା ଯୁଦ୍ଧବିରତି ପ୍ରସ୍ତାବ ଆଣିବାକୁ । ହଟ୍‌ଲାଇନ ବ୍ୟବହାର କରି ଭାରତର ଡିଜିଏମଓ’ଙ୍କ ସହ ଆପୋସ କଥାବାର୍ତ୍ତା ମାଧ୍ୟମରେ ପଦକ୍ଷେପ ନେବାକୁ ଆମେରିକା ମତ ଦେଇଥିଲା ପାକିସ୍ତାନକୁ । ପାକ୍‌ ସେନାର ଡିଜିଏମଓ ମେ’ ୧୦ ତାରିଖ ଦିନ ୩ଘ.୩୫ମି. (ଆଇଏସ୍‌ଟି) ଭାରତୀୟ ସମୟରେ ହଟ୍‌ଲାଇନରେ ପ୍ରଥମେ କଥା ହେବାପରେ ଅପରାହ୍ନ ୫ଟାରେ ସଂଘର୍ଷରେ ବିରତି ଆଣିବାକୁ ଦୁଇ ଦେଶ ରାଜି ହୋଇଥିଲେ । ଭାରତ ସର୍ତ୍ତ ରଖିଥିଲା- ଅପରେସନ ସିନ୍ଦୂର ଜାରି ରହିବ ଏବଂ ତୃତୀୟ ପକ୍ଷ ମଧ୍ୟସ୍ଥିର ଭୂମିକା ରହିବ ନାହିଁ । ଯୁଦ୍ଧବିରତି ଜାରି ରହିବା ପରେ ପାକିସ୍ତାନ ଯୁଦ୍ଧବିରତି ଉଲ୍ଲଙ୍ଘନ କରିବାରୁ ଭାରତ ମୁହଁତୋଡ଼ ଜବାବ ଦେଇଥିଲା । ଭାରତ-ପାକିସ୍ତାନ ମଧ୍ୟରେ ୮୮ଘଣ୍ଟାର ସଂଘର୍ଷରେ ଘଟିଥିଲା ବିରାମ ମେ’ ୧୦ ତାରିଖ (ଶନିବାର) ରାତି ୧୧ଘ. ସମୟରେ । ୨୦୨୫ ମେ’ ୨୨ ତାରିଖରେ ରାଜସ୍ତାନର ବିକାନେର ଠାରେ କରଣୀ ମାତାଙ୍କ ପୂଜାର୍ଚ୍ଚନା ପରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ- ଭାରତ ଶାନ୍ତି ଚାହେଁ, କିନ୍ତୁ ହିଂସାକୁ ବରଦାସ୍ତ କରିବ ନାହିଁ । ଦୁନିଆ ଦେଖିଲା ଯେତେବେଳେ ‘ସିନ୍ଦୂର’ ‘ବାରୁଦ’ ବନିଯାଏ, ତେବେ ପରିଣାମ କିଭଳି ହୋଇଥାଏ । ‘ଅପରେସନ ସିନ୍ଦୂର’ ଭାରତର ଏକକ ସେନାଙ୍କ ପ୍ରତିରୋଧ ପରିବର୍ତ୍ତେ ପ୍ରଥମ ଥର ପାଇଁ ସମନ୍ୱିତ ଭାବରେ ବିବିଧସ୍ତରୀୟ କାର୍ଯ୍ୟାନୁଷ୍ଠାନର ଏକ ଅନନ୍ୟ ଉଦାହରଣ ଥିଲା, ଯେଉଁଥିରେ ସ୍ଥଳ, ଜଳ, ଆକାଶ, ସାଇବର, ମହାକାଶ ଏବଂ ସୂଚନା ପ୍ରଯୁକ୍ତି ସାଧନକୁ ଏକାସଙ୍ଗେ ଶୃଙ୍ଖଳିତ ଭାବରେ ଉପଯୋଗ କରାଯାଇଥିଲା । ଏବେ ମଧ୍ୟ ଜାରି ରହିଛି ‘ଅପରେସନ ସିନ୍ଦୂର’ ।

​​​​​​​