କୋଲକାତା: ମୁମ୍ବାଇରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଫ୍ଲାଇଟ୍ 6E-2387ରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କୁ ଥାପଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସ ଆକ୍ରମଣକାରୀ ଯାତ୍ରୀଙ୍କୁ ନୋ-ଫ୍ଲାଇ ଲିଷ୍ଟରେ ରଖିଛି। ଅନ୍ୟପକ୍ଷରେ, ଥାପଡ଼ ଖାଇଥିବା ଯୁବକ କୋଲକାତା ଏୟାରପୋର୍ଟରୁ ନିଖୋଜ ଥିବା ଜଣାପଡ଼ିଛି।
ଖବର ମୁତାବକ, ଅସାମର କାଚାର ଜିଲ୍ଲାର କାଟିଗୋରାହ ଗାଁର ୩୨ ବର୍ଷୀୟ ହୁସେନ ଅହମଦ ମଜୁମଦାର ମୁମ୍ବାଇରେ ଜଣେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ସେ ମୁମ୍ବାଇରୁ କୋଲକାତା ହେଇ ସିଲଚାର ଯାଉଥିବା ବେଳେ ଫ୍ଲାଇଟ୍ରେ ତାଙ୍କୁ ପ୍ୟାନିକ୍ ଆଟାକ୍ ହୋଇଥିଲା। ଏହି ସମୟରେ କ୍ୟାବିନ କ୍ରୁ ତାଙ୍କୁ ସାହାଯ୍ୟ କରୁଥିବା ବେଳେ ଜଣେ ଯାତ୍ରୀ, ଯିଏ ଆଇଲ ସିଟରେ ବସିଥିଲେ, ହଠାତ୍ ହୁସେନଙ୍କୁ ଚାପୁଡା ମାରିଥିଲେ। ଏହି ଘଟଣାର ଭିଡିଓ ଅନ୍ୟ ଜଣେ ଯାତ୍ରୀ ରେକର୍ଡ କରିଥିଲେ। ଯେଉଁଥିରେ ଆକ୍ରମଣକାରୀଙ୍କୁ ପଚରାଯାଇଥିଲା ଯେ ସେ କାହିଁକି ହୁସେନଙ୍କୁ ମାରିଲେ। ଆକ୍ରମଣକାରୀ ଉତ୍ତର ଦେଇଥିଲେ, "ମୋତେ ଅସୁବିଧା ହେଉଥିଲା।"
ଇଣ୍ଡିଗୋ ଏୟାରଲାଇନ୍ସ ଏକ ବିବୃତି ଜାରି କରି ଏହି ଘଟଣାକୁ ନିନ୍ଦା କରିଛି। ବିବୃତିରେ କୁହାଯାଇଛି, "ଆମେ ଆମ ଫ୍ଲାଇଟ୍ରେ ହୋଇଥିବା ଏକ ଶାରୀରିକ ଆକ୍ରମଣର ଘଟଣା ବିଷୟରେ ଅବଗତ। ଏହିପରି ଅସଭ୍ୟ ଆଚରଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଏବଂ ଆମେ ଆମ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ସୁରକ୍ଷା ଓ ସମ୍ମାନକୁ ବିପନ୍ନ କରୁଥିବା କୌଣସି କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରୁଛୁ।" ଆକ୍ରମଣକାରୀ ଯାତ୍ରୀ ଜଣଙ୍କର ନାମ ହାଫିଜୁଲ ରହମାନ ବୋଲି ଜଣାପଡ଼ିଛି। ବିମାନ ଅବତରଣ କରିବା ପରେ ତାଙ୍କୁ କୋଲକାତା ଏୟାରପୋର୍ଟରେ ସୁରକ୍ଷା କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଇଣ୍ଡିଗୋ ତାଙ୍କୁ ନୋ-ଫ୍ଲାଇ ଲିଷ୍ଟରେ ରଖି ତାଙ୍କ ଉପରେ ଭବିଷ୍ୟତରେ ଫ୍ଲାଇଟ୍ ବୁକ୍ ଉପରେ କଟକଣା ଲଗାଇଛି।
ହୁସେନ ଅହମଦ ମଜୁମଦାର କୋଲକାତାରୁ ସିଲଚାର ଯିବା ପାଇଁ ଏକ କନେକ୍ଟିଂ ଫ୍ଲାଇଟ୍ ନେବାର ଥିଲେ। କିନ୍ତୁ ସେ ସିଲଚାର ଏୟାରପୋର୍ଟରେ ପହଞ୍ଚି ନଥିଲେ। ତାଙ୍କ ପରିବାର ସିଲଚାର ଏୟାରପୋର୍ଟରେ ତାଙ୍କୁ ଅପେକ୍ଷା କରି ରହିଥିଲେ। କିନ୍ତୁ ସେ ନପହଞ୍ଚିବାରୁ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଛନ୍ତି। ହୁସେନଙ୍କ ଫୋନ୍ ସ୍ୱିଚ୍ ଅଫ୍ ଥିବା ଜଣାପଡ଼ିଛି ଏବଂ ଏହା ମୁମ୍ବାଇରେ ରହିଯାଇଥିବା ଅନୁମାନ କରାଯାଉଛି। ତାଙ୍କ ପରିବାର ଇଣ୍ଡିଗୋ ଅଧିକାରୀଙ୍କୁ ସମ୍ପର୍କ କରିଥିଲେ, କିନ୍ତୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ପାଇ ନଥିବା ଅଭିଯୋଗ କରିଛନ୍ତି।
ହୁସେନଙ୍କ ପରିବାର ଆସାମର ଉଦ୍ଧରବନ୍ଦ ପୋଲିସ ଷ୍ଟେସନରେ ଏକ ନିଖୋଜ ଅଭିଯୋଗ ଦାଖଲ କରିଛନ୍ତି। ସେମାନେ କୋଲକାତା ଏୟାରପୋର୍ଟରେ ଥିବା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF) ଅଧିକାରୀଙ୍କୁ ମଧ୍ୟ ଏସମ୍ପର୍କରେ ଜଣାଇଛନ୍ତି। ପରିବାରର ଜଣେ ସଦସ୍ୟ ଜୁବୈରୁଲ ଇସଲାମ ମଜୁମଦାର କହିଛନ୍ତି, "ଆମେ ତାଙ୍କୁ ସିଲଚାର ଫ୍ଲାଇଟ୍ରେ ପାଇ ନଥିଲୁ। ଆମେ ସ୍ଥାନୀୟ ପୋଲିସ ଓ ଏୟାରପୋର୍ଟ ଅଧିକାରୀଙ୍କୁ ସମ୍ପର୍କ କରିଛୁ। କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।" ହୁସେନଙ୍କ ବାପା ଅବଦୁଲ ମନ୍ନାନ ମଜୁମଦାର, ଯିଏ କର୍କଟ ରୋଗରେ ପୀଡ଼ିତ, ଏହି ଘଟଣାରେ ସେ ଗଭୀର ଭାବେ ମର୍ମାହତ ହୋଇଛନ୍ତି। ପରିବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ଇଣ୍ଡିଗୋ କହିଛି ଯେ ସେମାନେ ଏହି ଘଟଣାକୁ ନେଇ ଡାଇରେକ୍ଟୋରେଟ ଜେନେରାଲ ଅଫ ସିଭିଲ ଏଭିଏସନ (DGCA)କୁ ରିପୋର୍ଟ ଦାଖଲ କରିବେ। ଭାରତୀୟ ଏଭିଏସନ ନିୟମ ଅନୁଯାୟୀ, ଅସଭ୍ୟ ବ୍ୟବହାର କରୁଥିବା ଯାତ୍ରୀଙ୍କୁ ଅସ୍ଥାୟୀ ବା ସ୍ଥାୟୀ ଭାବେ ଫ୍ଲାଇଟ୍ରୁ ଉଡାଣ ଭରିବା ବନ୍ଦ କରାଯାଇପାରେ। ଏହାଛଡ଼ା, ପୋଲିସ ଓ CISF ଏହି ମାମଲାର ତଦନ୍ତ କରୁଛନ୍ତି।
ହୁସେନଙ୍କ ପରିବାର କୋଲକାତା ଏୟାରପୋର୍ଟରୁ CCTV ଫୁଟେଜ ଗ୍ରହଣ କରିବାକୁ ଦାବି କରିଛନ୍ତି। ଯାହା ତାଙ୍କୁ ଖୋଜିବାରେ ସାହାଯ୍ୟ କରିପାରେ। ଯଦି କାହା ପାଖେ ଏନେଇ କୌଣସି ସୂଚନା ଥାଏ ତେବେ ଏନେଇ ତୁରନ୍ତ ସମ୍ପର୍କ କରିବାକୁ ସାଧାରଣରେ ଅନୁରୋଧ କରିଛନ୍ତି।