ନୂଆଦିଲ୍ଲୀ, ୧୫/୦୬: ଏଆଇ ଷ୍ଟାର୍ଟଅପ୍ କମ୍ପାନି ଆନ୍ଥ୍ରୋପିକ୍ ଏହାର ସବୁଠୁ ଅତ୍ୟାଧୁନିକ ଏଆଇ ମଡେଲ କ୍ଲାଉଡ ଲେବଲ ୫ ଏବଂ ମିଥସ୍ ୫କୁ ସାରା ବିଶ୍ୱ ବଜାରରେ ବନ୍ଦ କରି ଦେଇଛି । ବିଦେଶୀ ନାଗରିକଙ୍କୁ ଏହି ମଡେଲ ବ୍ୟବହାର କରିବାକୁ ଆମେରିକା ବାରଣ କରିବା ପରେ ଏଭଳି ନିଷ୍ପତ୍ତି ନେଇଛି କମ୍ପାନି । ଏବେ ଭାରତୀୟଙ୍କ ସମେତ ଅଣଆମେରିକୀୟ ନାଗରିକମାନେ ଏହାର ବ୍ୟବହାର କରିପାରିବେ ନାହିଁ ।

ଜାତୀୟ ସୁରକ୍ଷା ଏବଂ ସାଇବର ନିରାପତ୍ତା ଭଳି ଦିଗ ଗୁଡିକ ଏହାଦ୍ୱାରା ବିପନ୍ନ ହେବ ବୋଲି କହିଛି ଆମେରିକା । କୌଣସି ସରକାର ହାର୍ଡୱେୟାର କିମ୍ବା ଚିପ୍ ପରିବର୍ତ୍ତେ ଏଆଇ ସଫ୍ଟୱେୟାରକୁ ବ୍ୟବହାର ପ୍ରତିବନ୍ଧକ ଲଗାଇବା କ୍ଷେତ୍ରରେ ଏହା ପ୍ରଥମ । ଆମେରିକା ସରକାରଙ୍କୁ ଡର ରହିଛି ଯେ, ଏହି ଅତ୍ୟାଧୁନିକ ଏଆଇ ମଡେଲ ଜରିଆରେ ଜେଲ୍ ବ୍ରେକ ବା ଡିଜିଟାଲ ଜେଲ୍କୁ ବାଏପାସ କରାଯାଇପାରିବ । ଏହାର ବ୍ୟବହାର ଦ୍ୱାରା କମ୍ପ୍ୟୁଟର ସିଷ୍ଟମରେ ତ୍ରୁଟିକୁ ଖୋଜିବା, ସରକାରୀ ଡାଟା ହ୍ୟାକ୍ କରିବା, ସିଷ୍ଟମ ଏବଂ କ୍ରିଟିକାଲ ଭିତ୍ତିଭୂମି ଉପରେ ସାଇବର ଆକ୍ରମଣର ବଡ ଭୟ ରହିଛି ।

ଅଧିକ ପଢ଼ନ୍ତୁ :-  ମେମୋରି ଚିପ୍ ହବ୍ ପାଲଟିବ ଭାରତ ! ଶସ୍ତା ହେବ ମୋବାଇଲ-ଲାପଟପ୍ , ସରକାର ଦେଲେ ବଡ଼ ନିବେଶର ସଙ୍କେତ

ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟ ମୁତାବକ, ଆମାଜନର ଗବେଷକମାନେ ଏକ ପରୀକ୍ଷଣ ସମୟରେ କିଛି ବିଶେଷ ପ୍ରମ୍ପ୍ଟ ବ୍ୟବହାର କରି ଆନ୍ଥ୍ରୋପିକ୍ ମଡେଲ ସଫ୍ଟୱେୟାରରେ କିଛି ତ୍ରୁଟି ଧରିଥିଲେ । ଏ ନେଇ ଆମେରିକା ବାଣିଜ୍ୟ ବିଭାଗକୁ ସୂଚନା ଦିଆଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କମ୍ପାନି ସ୍ପଷ୍ଟୀକରଣରେ କହିଛି ଯେ, ସଫ୍ଟୱେୟାରରେ ଥିବା ତ୍ରୁଟି ନଗଣ୍ୟ । ଏହାକୁ ସାରା ବିଶ୍ୱ ଲାଗି ବ୍ୟାନ ଲଗାଇବା ଠିକ୍ ନୁହେଁ । ଅନ୍ୟପଟେ ଟ୍ରମ୍ପ ପ୍ରଶାସନ ସହ ମତଭେଦ ଯୋଗୁ କମ୍ପାନି ଉପରେ କଟକଣା ଲାଗିଥିବା ମଧ୍ୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।