କଟକ,୧୨/୦୬: ସେ ଆରବିକ୍ ହେଉ କି ଫ୍ଲୋରାଲ୍ କିମ୍ବା ରାଜସ୍ଥାନୀ । ନିଜ ପସନ୍ଦର ମେହେନ୍ଦି ହାତରେ ଆଙ୍କିବାକୁ ମେହେନ୍ଦି କାରିଗରଙ୍କ ଖୋଜା ପଡ଼ୁଛି । ଝିଅମାନେ ଗୋଟିଏ ଜାଗାରେ ଏକାଠି ହୋଇ ମେହେନ୍ଦି କାରିଗରଙ୍କୁ ଡାକି ହାତରେ ମେହେନ୍ଦି ଚିତ୍ର ଆଙ୍କି ସଜେଇ ହେଉଛନ୍ତି । କିଛି ବର୍ଷ ହେବ ମେହେନ୍ଦି ଏକ ପ୍ରକାର ଟ୍ରେଣ୍ଡ୍ ପାଲଟିଥିବାରୁ ଏହାକୁ କାରିଗରମାନେ ନିଜର ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଭଲ ବେପାର କରୁଛନ୍ତି । ରଜର ୧୫ ଦିନ ଆଗରୁ କାରିଗରଙ୍କୁ ହେଉଛି ବୁକିଂ । ରଜ ପାଇଁ ସହରରେ ମେହେନ୍ଦିର ଚାହିଦା ଢ଼େର । ମେହେନ୍ଦିରେ ଆରବିକ୍, ଇଣ୍ଡିଆନ୍ ଟ୍ରାଡିସ୍ନାଲ୍, ବ୍ରାଇଡାଲ୍, ମାଣ୍ଡଲା, ରାଜସ୍ଥାନୀ ଓ ଫ୍ଲୋରାଲ ଆଦମେହେନ୍ଦି ଡିଜାଇନ୍ ରହିଛି । ଏ ସବୁ ଡିଜାଇନ୍ ଭିତରୁ ଟ୍ରାଡିସ୍ନାଲ୍ ମେହେନ୍ଦି ଡିଜାଇନ୍‌ରେ ହାତରେ ରଜର ଦୋଳି ସହ ନିଜ ଫଟୋକୁ ଆଙ୍କୁଛନ୍ତି ଏବଂ ଫ୍ଲୋରାଲ ମେହେନ୍ଦି ଡିଜାଇନ୍‌ରେ ବିଭିନ୍ନ ପ୍ରକାରର ଫୁଲ ଚିତ୍ର ଆଙ୍କୁଛନ୍ତି । ଏସବୁ ଚିତ୍ର ଆଙ୍କିବାକୁ ସହରର ପ୍ରତ୍ୟେକ ସାହିର ଝିଅମାନେ ଗୋଟିଏ ଜାଗାରେ ଏକାଠି ହୁଅନ୍ତି ଏବଂ କାରିଗରଙ୍କୁ ଡାକି ଜଣଙ୍କ ପରେ ଜଣେ ମେହେନ୍ଦି କରନ୍ତି । ହାତରେ ମେହେନ୍ଦି କରିବାକୁ ତିନି ଶହ ଟଙ୍କାରୁ ଆରମ୍ଭ କରି ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

ଅଧିକ ପଢ଼ନ୍ତୁ :- Litchi: ଲାଲ୍ ଟହଟହ ଲିଚୁ କିଣୁଥିଲେ ସାବଧାନ ! ମିଶାଯାଉଛି ରାସାୟନିକ ରଙ୍ଗ, ୨ ମିନିଟ୍ ପାଣିରେ ଭିଜାଇ ଦେଖନ୍ତୁ...

ସେହିପରି ଦୁଇ ବର୍ଷ ହେବ ଅଳତା ପାର୍ଟନକୁ ମଧ୍ୟ ଝିଅମାନେ ବେଶ୍ ପସନ୍ଦ କରୁଛନ୍ତି । ଏଥିରେ ଅଳତା ଓ ମେହେନ୍ଦି ମିଶିକି ଥାଏ । ଏହାକୁ ଗୋଡ଼ରେ ଲଗାଇଥାନ୍ତି । ଏହା ଆଙ୍କିବାକୁ ପାରିଶ୍ରମିକ ଭାବରେ କାରିଗରମାନେ ତିନି ଶହ ଟଙ୍କାରୁ ପାଞ୍ଚ ଶହ ଟଙ୍କା ନେଇଥାନ୍ତି ବୋଲି କାରିଗରମାନେ କହିଛନ୍ତି । ଏ ସଂପର୍କରେ ମେହେନ୍ଦି କାରିଗର ସ୍ୱପ୍ନଜିତ୍ ବେହେରା କହିଛନ୍ତି, ଏବେ ଝିଅମାନେ ବିଶେଷକରି ନିର୍ଦ୍ଦିଷ୍ଟ ପର୍ବପର୍ବାଣୀର ଥିମ୍‌ରେ ଏବେ ଚିତ୍ର ଆଙ୍କିବାକୁ ଅଧିକ ପସନ୍ଦ କରୁଛନ୍ତି । ମୁଁ କଟକ ସମେତ ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ଅଞ୍ଚଳକୁ ଯାଇ ରଜରେ ମେହେନ୍ଦି ଚିତ୍ର କରେ । ମେହେନ୍ଦି କାରିଗର ଭାଗ୍ୟଶ୍ରୀ ବେହେରା କହିଛନ୍ତି, ମୁଁ ଦୀର୍ଘ ୮ ବର୍ଷ ହେବ ଏହି ବ୍ୟବସାୟ କରୁଛି । ଦିନକୁ ୩୦ରୁ ୪୦ ଜଣଙ୍କର ହାତରେ ମେହେନ୍ଦି କରେ । ଏଥିପାଇଁ ଆମର ଗ୍ରୁପ୍ ରହିଛି । ଗ୍ରାହକଙ୍କ ସଂଖ୍ୟାକୁ ଦେଖି ଆମେ ଗୋଟିଏ ଜାଗାକୁ ସେହି ଅନୁସାରେ କାରିଗରଙ୍କୁ ପଠାଇଥାଉ ।