କଟକ,୧୨/୦୬: ଜଣେ ଅଭିଯୁକ୍ତ ଯଦି ଅଦାଲତଙ୍କ ବାରମ୍ବାର ନୋଟିସ୍ ସତ୍ତେ୍ୱ ହାଜର ହେଉନାହାନ୍ତି ତାହେଲେ ତାଙ୍କୁ ନୋଟିସ୍ କରାଯାଇ ପାରିବ କିମ୍ବା ତାଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଜାରି କରାଯାଇ ପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଅଭିଯୁକ୍ତ ତ୍ରିନାଥ ଗୁରୁଙ୍କ ବିରୋଧରେ ଜାରି ଏନ୍ବିଡବ୍ଲୁଏକୁ ରଦ୍ଦ କରି ଦେଇଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ, ଉପଯୁକ୍ତ ନିୟମାବଳୀକୁ ଅନୁସରଣ କରାନଯାଇ ଜଣେ ନାଗରିକଙ୍କ ସ୍ୱାଧୀନତାକୁ କ୍ଷୁଣ୍ଣ କରାଯାଇ ପାରିବ ନାହିଁ । ଏଭଳି ଘଟଣାକୁ ସାଧାରଣ ଭାବେ ମଧ୍ୟ ଗ୍ରହଣ କରାଯିବା ଉଚିତ୍ ନୁହେଁ । କାରଣ ଜଣେ ବ୍ୟକ୍ତିର ସ୍ୱାଧୀନତାକୁ କ୍ଷୁଣ୍ଣ କରାଯାଇ ଯେତେବେଳେ ଜେଲ୍କୁ ପଠାଇ ଦିଆଯାଏ ସେଠାରେ ସମ୍ପୃକ୍ତ ବ୍ୟକ୍ତି ମାନସିକ ନିର୍ଯାତନାର ଶିକାର ହୋଇଥାନ୍ତି । ଏଠି ଅଭିଯୁକ୍ତଙ୍କୁ କ’ଣ ପାଇଁ ଏନ୍ବିଡବ୍ଲୁଏ (ଜାମିନ ବିହୀନ ଗିରଫ ପରୱାନା) ଜାରି କରାଯାଇଛି ତାହାର ଉପଯୁକ୍ତ କାରଣ ମଧ୍ୟ ଦର୍ଶାଯାଇ ନାହିଁ । ଅଦାଲତ ଏଭଳି କ୍ଷେତ୍ରରେ ଜାମିନଦାର୍ଙ୍କୁ ନୋଟିସ୍ କରିପାରିଥାନ୍ତେ । ନଚେତ୍ ଅଭିଯୁକ୍ତ ବିରୋଧରେ ଜାମିନଯୁକ୍ତ ଗିରଫ ପରୱନା ଜାରି କରିପାରିଥାନ୍ତେ । ଆହୁରି ମଧ୍ୟ ଆଇନରେ ଏହା ସ୍ପଷ୍ଟ ରହିଛି ଯେ, ଥରେ ଯଦି କେହି ଜାମିନ ପାଇଯାଆନ୍ତି ତାହା ସେତେବେଳେ ପର୍ଯ୍ୟନ୍ତ କାଏମ୍ ରହିବ ଯେପର୍ଯ୍ୟନ୍ତ ଉକ୍ତ ଜାମିନ୍ ଆଦେଶ ବାତିଲ୍ ନହୋଇଛି । ତେଣୁ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ଏନ୍ବିଡବ୍ଲୁଏ ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ନିମ୍ନ ଅଦାଲତଙ୍କ ଦ୍ୱାରା ଜାରି ଏନ୍ବିଡବ୍ଲୁଏକୁ ଖାରଜ କରି ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ଆବେଦନକାରୀ ଅଭିଯୁକ୍ତ ୨୦୨୫ ଡିସେମ୍ବର ୨୩ରୁ ଜାମିନରେ ଅଛନ୍ତି । କିନ୍ତୁ ଏହି ଜାମିନ ଅବଧି ଶେଷ ପରେ ଅଭିଯୁକ୍ତ ଅଦାଲତରେ ହାଜର ନହେବାରୁ ତାଙ୍କୁ ହାଜର ପାଇଁ ବାରମ୍ବାର ନୋଟିସ୍ କରାଯାଇଥିଲା । କିନ୍ତୁ ସେ ହାଜର ନ ହେବାରୁ ନିମ୍ନ ଅଦାଲତ ସିଧାସଳଖ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନ୍ବିଡବ୍ଲୁଏ) ଜାରି କରିଥିଲେ । ଏହାକୁ ଚାଲେଞ୍ଜ୍ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ନିମ୍ନ ଅଦାଲତ ସିଧାସଳଖ ଏନ୍ବିଡବ୍ଲୁଏ ଜାରି କରିବା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ଏଭଳି କ୍ଷେତ୍ରରେ ନିମ୍ନ ଅଦାଲତ ଅଭିଯୁକ୍ତକୁ ନୋଟିସ୍ କରି ପାରିଥାନ୍ତେ କିମ୍ବା ଜାମିନ ଯୁକ୍ତ ପରୱାନା ଜାରି କରିପାରିଥାନ୍ତେ । କିନ୍ତୁ ଲଖନପୁର ଜେଏମ୍ଏଫ୍ସି ସିଧାସଳଖ ଏନ୍ବିଡବ୍ଲୁଏ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କମିଲ୍ ରସିଦ୍ ମାମଲା ପରିଚାଳନା କରୁଥିଲେ ।
ଅଧିକ ପଢ଼ନ୍ତୁ :- Mohan Government: ଆଜି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି: ସାଢେ ୧୧ଟାରେ ଲୋକସେବା ଭବନରୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ