ଜୟପୁର, ୨୭।୫: ରାଜସ୍ଥାନ ଜୟପୁରର ଚର୍ଚ୍ଚିତ ଅନୁ ମୀଣା ଆତ୍ମହତ୍ୟା ମାମଲାରେ ଏବେ ଏକ ଚାଞ୍ଚଲ୍ୟକର ତଥା ବଡ଼ ଖୁଲାସା ହୋଇଛି । ସ୍ୱାମୀଙ୍କ ଅତ୍ୟାଚାର ଓ ମାନସିକ ପ୍ରତାରଣାରେ ଅତିଷ୍ଠ ହୋଇ ମୃତ୍ୟୁକୁ ଆପଣେଇଥିବା ଅନୁ ମୀଣା ଏବଂ ତାଙ୍କ ଅଭିଯୁକ୍ତ ଇଞ୍ଜିନିୟର ସ୍ୱାମୀ ଗୌତମ ମୀଣାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଆପ୍ କଥାବାର୍ତ୍ତାର କିଛି ସ୍କ୍ରିନସଟ୍ ଏବେ ସାମ୍ନାକୁ ଆସିଛି । ଏହି ଚାଟ୍ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଅନୁ ଦୀର୍ଘ ଦିନ ଧରି ମାନସିକ ସ୍ତରରେ ପ୍ରବଳ ନିର୍ଯାତିତ ହେଉଥିଲେ ଏବଂ ପ୍ରତି ମୁହୂର୍ତ୍ତରେ ଭୟ ଓ ଚାପ ମଧ୍ୟରେ ଜୀବନ କାଟୁଥିଲେ । ସାମ୍ନାକୁ ଆସିଥିବା ଏହି ସ୍କ୍ରିନସଟଗୁଡ଼ିକ ଏହା ମଧ୍ୟ ସଙ୍କେତ ଦେଉଛନ୍ତି ଯେ, ଅନୁଙ୍କୁ ନିଜର ଏବଂ ନିଜ ପିଲାମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ହେଉଥିଲା । ଏହି କାରଣରୁ ସେ ଜୀବନରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ।
୧୩ ମାର୍ଚ୍ଚ: ରୁମ୍ରେ ବନ୍ଦ କରି ଗ୍ୟାସ୍ ସିଲିଣ୍ଡର ଖୋଲିଦେବାର ସାଙ୍ଘାତିକ ଅଭିଯୋଗ
ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଗତ ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ଅଭିଯୋଗ ଅନୁଯାୟୀ, ଏହି ଦିନ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଗୌତମ ମୀଣା ନିଜ ପତ୍ନୀ ଅନୁ ଏବଂ ଦୁଇ ପିଲାଙ୍କୁ ପ୍ରତାରଣା କରି ଏକ କୋଠରୀରେ ବନ୍ଦ କରି ଦେଇଥିଲେ । ଯେଉଁ ସମୟରେ ଅନୁ ଏବଂ ତାଙ୍କର ଦୁଇ ପିଲା ଶୋଇଥିଲେ, ସେହି କୋଠରୀର କବାଟକୁ ବାହାରୁ ବନ୍ଦ କରାଯାଇଥିଲା । କେବଳ ସେତିକି ନୁହେଁ, କୋଠରୀ ସହ ସଂଲଗ୍ନ ଥିବା ରୋଷେଇ ଘରର ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ନୋବ୍ ମଧ୍ୟ ଖୋଲି ଦିଆଯାଇଥିଲା । ଏହା କେବଳ ଏକ ସଂଯୋଗ ଥିଲା ଯେ କୌଣସି ପ୍ରକାରର ଇଲେକ୍ଟ୍ରିକ୍ ସ୍ପାର୍କ ହୋଇନଥିଲା, ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ସକାଳେ ଯେତେବେଳେ ଅନୁ ଏବଂ ପିଲାମାନେ ଉଠିଲେ, ସେମାନଙ୍କୁ ଗ୍ୟାସର ପ୍ରବଳ ଦୁର୍ଗନ୍ଧ ମିଳିଥିଲା ଏବଂ ବାହାର ପଟୁ କବାଟ ବନ୍ଦ ଥିବା ସେମାନେ ଜାଣିବାକୁ ପାଇଥିଲେ । ଅନୁ ତାଙ୍କ ସ୍ୱାମୀ ଗୌତମଙ୍କୁ ଅନେକ ଥର ଫୋନ କରିଥିଲେ ମଧ୍ୟ ସେ କଲ୍ ଗ୍ରହଣ କରିନଥିଲେ । ଶେଷରେ ଅନୁ ପଡ଼ୋଶୀମାନଙ୍କୁ ଫୋନ କରି ଜଣାଇଥିଲେ ଏବଂ ପଡ଼ୋଶୀମାନେ ଆସି ବାହାରୁ କବାଟ ଖୋଲିବା ପରେ କୌଣସି ମତେ ତିନି ଜଣଙ୍କ ଜୀବନ ରକ୍ଷା ହୋଇଥିଲା ।
"ମାରିବା ବାଲାଠାରୁ ରଖିବା ବାଲା ବଡ଼..."
ଏହି ଭୟଙ୍କର ଘଟଣା ପରେ ଅନୁ ମୀଣା ସ୍ୱାମୀ ଗୌତମଙ୍କୁ ସକାଳ ୧୦ଟା ୪୬ ମିନିଟରେ ଏକ ହ୍ୱାଟ୍ସଆପ୍ ମେସେଜ୍ ପଠାଇଥିଲେ । ସେଥିରେ ସେ ଲେଖିଥିଲେ– "ମାରିବା ବାଲାଠାରୁ ବଞ୍ଚାଇବା ବାଲା ବଡ଼ । ନହେଲେ ମାରିବାରେ ତୁମେ ତ କୌଣସି ଅଭାବ ରଖିନଥିଲ । ଏବେ ଦୁଃଖୀ ହୋଇଯାଅ, ଆମେ ତିନିଜଣ ଯାକ ମରିଲୁ ନାହିଁ ।" ଏହି ବାର୍ତ୍ତାରୁ ସ୍ପଷ୍ଟ ହେଉଛି ଯେ ଅନୁଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଜୀବନରୁ ମାରିଦେବାର ଏକ ସୁଚିନ୍ତିତ ପ୍ରୟାସ ଥିଲା । ଅଭିଯୁକ୍ତ ସ୍ୱାମୀ ଗୌତମ ଏହାର ଜବାବ ପ୍ରାୟ ଦେଢ଼ ଘଣ୍ଟା ପରେ ଦ୍ୱିପହର ୧୨ଟା ୨ମିନିଟରେ ଦେଇଥିଲା ଏବଂ କେବଳ ଏକ ହାତ ଯୋଡ଼ିବାର ଷ୍ଟିକର ପଠାଇଥିଲା । ଏହାର କିଛି ମିନିଟ୍ ପରେ ସେ ନିଜର ଓ ଝିଅର ଏକ ଫଟୋ ପଠାଇ ପୁଣି ସେହି ଷ୍ଟିକର ପଠାଇବା ସହ ଲେଖିଥିଲା, "ଜାନ୍ ହୈ ମେରୀ" ଅର୍ଥାତ୍ ତୁମେ ମୋ ଜୀବନ । ଏହାପରେ ସେଦିନ ସେମାନଙ୍କ ମଧ୍ୟରେ ଆଉ କୌଣସି କଥାବାର୍ତ୍ତା ହୋଇନଥିଲା ।
୧୭ ମାର୍ଚ୍ଚ: 'ମୁଁ ଯାଉଛି... ଏବେ ଖୁସିରେ ରୁହ' – ଶେଷ ମେସେଜ୍
ଏହି ମାମଲାର ଦ୍ୱିତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚାଟ୍ ହେଉଛି ୧୭ ମାର୍ଚ୍ଚର । ଏହି ଦିନ ସକାଳ ୭ଟା ୦୫ ମିନିଟରେ ଅନୁ ନିଜ ସ୍ୱାମୀଙ୍କୁ ଏକ ଦୀର୍ଘ ବାର୍ତ୍ତା ପଠାଇଥିଲେ, ଯାହାକୁ ଏବେ ଆତ୍ମହତ୍ୟା ପୂର୍ବର ସଙ୍କେତ ବୋଲି ଧରାଯାଉଛି । ଅନୁ ମେସେଜ୍ରେ ଲେଖିଥିଲେ "ମୁଁ ବହୁତ ଚେଷ୍ଟା କଲି, କିନ୍ତୁ ଏବେ ଆଉ ମୋ ଦ୍ୱାରା ହେଉନାହିଁ । ମୁଁ ଯାଉଛି, ଏବେ ନିଜ ପାଇଁ ତୁମକୁ ଯେମିତି ଦରକାର ସେମିତି ଝିଅଟିଏ ଖୋଜିନେବ । ମୁଁ ବହୁତ ଚେଷ୍ଟା କଲି କିନ୍ତୁ ତୁମେ କେବେ ମୋର ମୂଲ୍ୟ ବୁଝିଲ ନାହିଁ । ବାଏ । ଏବେ ଖୁସିରେ ରୁହ ।" ଏହି ମେସେଜକୁ ବର୍ତ୍ତମାନ ପୁଲିସ ମାମଲାର ସବୁଠାରୁ ବଡ଼ ପ୍ରମାଣ ଭାବେ ଗ୍ରହଣ କରୁଛି, କାରଣ ଏଥିରେ ଅନୁଙ୍କ ମାନସିକ ସ୍ଥିତି ସ୍ପଷ୍ଟ ବାରି ହୋଇପଡ଼ୁଛି । ଆଶ୍ଚର୍ଯ୍ୟର କଥା, ଗୌତମ ଏହି ବାର୍ତ୍ତାର ତୁରନ୍ତ କୌଣସି ଉତ୍ତର ଦେଇନଥିଲା । ଏହାପରେ ଅନୁ ସକାଳ ୮ଟା ୫୮ ମିନିଟରେ ହ୍ୱାଟ୍ସଆପ୍ କଲ୍ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲା । ଦୀର୍ଘ ୫ ଘଣ୍ଟା ପରେ ଦ୍ୱିପହର ୧ଟା ୫୭ମିନିଟରେ ଗୌତମ ଲେଖିଥିଲା, ତୁମର ଆତ୍ମସମ୍ମାନ ସବୁବେଳେ ରହିବ ।
ପୁଲିସ୍ ଯାଞ୍ଚ ପାଇଁ ବଡ଼ ପ୍ରମାଣ ପାଲଟିବ ହ୍ୱାଟ୍ସଆପ୍ ଚାଟ୍:
ଅନୁଙ୍କ ପରିବାର ଏବଂ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ଜଣେ ପତ୍ନୀ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ି ଜୀବନ ହାରିବା କଥା ଲେଖୁଥିଲେ, ସେତେବେଳେ ଜଣେ ସ୍ୱାମୀ ତାଙ୍କୁ ବୁଝାଇବା କିମ୍ବା ରୋକିବା ପାଇଁ ଚେଷ୍ଟା ନକରି ଏପରି ରୁକ୍ଷ ଜବାବ ଦେବା ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରୁଛି । ସୂଚନା ଅନୁଯାୟୀ, ଗୌତମ ଦ୍ୱିପହର ୩ଟା ୦୬ ମିନିଟରେ ଆଉ ଏକ ମେସେଜ୍ ପଠାଇଥିଲା, କିନ୍ତୁ ପରେ ତାହାକୁ ସେ 'ଡିଲିଟ୍' କରି ଦେଇଥିଲା । ଏହି ସମସ୍ତ ଏକ୍ସକ୍ଲୁସିଭ୍ ଚାଟ୍ ଏବେ ଜୟପୁର ପୁଲିସ ହାତରେ ଲାଗିଛି । ପୁଲିସ ଏହାକୁ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ଏକ ବଡ଼ ଦସ୍ତାବିଜ୍ ବୋଲି ବିବେଚନା କରୁଛି । ଅଭିଯୁକ୍ତ ଇଞ୍ଜିନିୟର ସ୍ୱାମୀ ଗୌତମ ମୀଣା ବର୍ତ୍ତମାନ ଫେରାର୍ ଥିବାବେଳେ ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏହି ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଏହି ହତ୍ୟା ବନାମ ଆତ୍ମହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି ।
ଆହୁରି ପଢ଼ନ୍ତୁ... କର୍ଣ୍ଣାଟକ ରାଜନୀତିରେ ବଡ଼ ହଲଚଲ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା !