ଭୁବନେଶ୍ୱର,୦୩/୦୩: ମହାମାରୀ ପରେ ଭୂରାଜନୈତିକ ସଙ୍କଟ ଯୋଗୁ ସାରା ବିଶ୍ୱ ଏକ ଆହ୍ୱାନ ସ୍ଥିତି ଦେଇ ଗତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଏଭଳି ସ୍ଥିତିରେ ସଂସ୍କାର ପ୍ରକ୍ରିୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି ।
ନୂଆଦିଲ୍ଲୀରେ ବିଜ୍ନେସ ଷ୍ଟାଣ୍ଡାର୍ଡ ମନ୍ଥନ ସମିଟ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମିଶ୍ର କହିଲେ, କୋଭିଡ ୧୯ , ରୁଷ ୟୁକ୍ରେନ ଯୁଦ୍ଧ ଏବଂ ପଶ୍ଚିମ ଏସିଆ ସଙ୍କଟ ସବୁ କିଛିକୁ ଭାରତ ବେଶ ଦୃଢ଼ତାର ସହ ସାମ୍ନା କରିବା ସହ ଏବେ ଆତ୍ମନିର୍ଭର ରାସ୍ତାରେ ଅଗ୍ରସର । ଭାରତୀୟ ଅର୍ଥନୀତି ସାମ୍ନାରେ ଯୁଦ୍ଧ କେବଳ ଏକ ଆହ୍ୱାନ ଭାବେ ଛିଡ଼ା ହୋଇନି । ବିଶ୍ୱ ଯୋଗାଣ ଶୃଙ୍ଖଳରେ ସମସ୍ୟା ଏବଂ ଏନର୍ଜି ଟ୍ରାଞ୍ଜିସନ ଭଳି ଅନେକ ଆହ୍ୱାନ ରହିଛି । କୋଭିଡ ମହାମାରୀକୁ ଦେଶ ଦୃଢ଼ ଭାବେ ମୁକାବିଲା କରିଥିଲା । ସଂସ୍କାର ପଦକ୍ଷେପ ସହ ପ୍ରୋତ୍ସାହନ ପ୍ୟାକେଜ ଦ୍ୱାରା ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଆଣିବାରେ ଏହା ବିଶେଷ ଭାବେ ଯୋଗଦାନ ଦେଇଥିଲା ।
ଏବେ ଆମେରିକାର ବିଭିନ୍ନ ବାଣିଜ୍ୟିକ କଟକଣାକୁ ନେଇ ଶ୍ରୀ ମିଶ୍ର କହିଲେ, ଦେଶ କିଭଳି ନୀତିଗତ ପଦକ୍ଷେପ ଗ୍ରହଣ କରୁଛି ଏବଂ ବିଶ୍ୱ ସହ କିଭଳି ନିଜକୁ ଖାପ ଖୁଆଇବା ଦିଗରେ କୌଶଳ ଆପଣାଉଛି ତାହା ଜରୁରୀ । ଏ ଦିଗରେ ୟୁକେ ଏବଂ ଆମେରିକା ସହ ଦେଶ ଆଲୋଚନା କରୁଛି । ଏହା ଦ୍ୱାରା ନିଶ୍ଚିତ ପକ୍ଷେ ଦେଶ କିଛି ନିର୍ଯ୍ୟାସ ପାଇବ । ଆମ ବ୍ୟବସ୍ଥା କେବଳ ଦୃଢ଼ ନ ହୋଇ ଆହ୍ୱାନ ସ୍ଥିତିରେ ଏହା ଯେଭଳି ପ୍ରଭାବିତ ନ ହେବ ତାକୁ ମଧ୍ୟ ଧ୍ୟାନ ଦେବାକୁ ହେବ ।
ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ବେଶ ଉତ୍ସାହଜନକ ରହିଛି । ଏହା ଦ୍ୱାରା ବାଣିଜ୍ୟିକ ସହଯୋଗ ଏବଂ ଦେଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଏବେ ଦ୍ୱିପାକ୍ଷୀକ କିମ୍ବା ଆଞ୍ଚଳିକ ଚୁକ୍ତିରେ ସୀମିତ ନ ରହି ଏକାଧିକ ଦେଶ ସହ ସମ୍ପର୍କ ଦୃଢ଼ୀକରଣ କରିବାର ଆବଶ୍ୟକତା ରହିଛି । ତେବେ ଭାରତ ବଜାରର ବୃହତ ଚାହିଦା, ଭୌଗୋଳିକ ସ୍ଥିତି, ଦୃଢ଼ ଡିଜିଟାଲ ପବ୍ଲିକ ଭିତ୍ତିଭୂମି ଏବଂ ଟେକ୍ନୋଲୋଜିର ଅଗ୍ରଗତିକୁ ନେଇ ଆଶାବାଦୀ ରହିଛନ୍ତି ଶ୍ରୀ ମିଶ୍ର ।
ଶ୍ରୀ ମିଶ୍ର ପୁଣି କହିଲେ, ଦେଶର ଅଭିବୃଦ୍ଧି ସହ ଦେଶ ଯେଭଳି ପ୍ରଭାବିତ ନ ହେବ ନୀତିଗତ ଭାବେ ଦୃଢ଼ ପଦକ୍ଷେପ ନେବାକୁ ହେବ । ଅନିଶ୍ଚିତତା ଭରା ବିଶ୍ୱରେ ଆମ ନୀତି ଏବଂ ଅଭ୍ୟାସ ଗୁଡିକର ଏକ ବ୍ୟାପକ ଢ଼ାଞ୍ଚା ଆବଶ୍ୟକ । କୃଷିରେ ବିବିଧତା ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିଭଳି ପ୍ରଶାସନର ପରିବର୍ତ୍ତିତ ଆବଶ୍ୟକତା ଆଧାରରେ ଏ କ୍ଷେତ୍ରର ନିରନ୍ତର ଆଧୁନିକୀକରଣ ଦିଗରେ ଦେଶ ନିରନ୍ତର ପ୍ରୟାସ କରୁଛି ବୋଲି ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ।