ରାଉରକେଲା,୯।୩: ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳର ଏକ ଘର ଭିତରୁ ଏନଆଇଟିର ଅବସରପ୍ରାପ୍ତ ପ୍ରଫେସର ରଜନୀକାନ୍ତ ଛୋଟରାୟଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ଗତ ୪/୫ ଦିନ ତଳୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି।
ରବିବାର ସନ୍ଧ୍ୟାରୁ ଘରୁ ଦୁର୍ଗନ୍ଧ ବାହାରୁଥିବା ଆଖପାଖ ଲୋକେ ଜାଣିବାକୁ ପାଇଥିଲେ। ଘରେ ରହୁଥିବା ତାଙ୍କ ପତ୍ନୀଙ୍କୁ ଏ ବିଷୟରେ ପଚାରି ଥିଲେ ହେଁ ସେ ସଠିକ୍ ଉତ୍ତର ଦେଉନଥିଲେ। ସୋମବାର ସକାଳେ ଲୋକେ ପୋଲିସକୁ ସୂଚନା ଦେବା ପରେ ପୁଲିସ ସେଠାରେ ପହଞ୍ଚି ଥିଲା। ଘରର ଦୁଇ ମହଲାର ସିଢି ନିକଟରେ ପ୍ରଫେସରଙ୍କ ମୃତଦେହ ପଡିଥିବା ବେଳେ ରକ୍ତର ଧାର ବୋହିକି ପଡିଥିଲା। ତେବେ ତାଙ୍କର ମୃତ୍ୟୁ କିପରି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଦୁଇ ପୁଅ ଓ ଝିଅ ବାହାରେ ରହୁଥିବାରୁ ସେମାନେ ଫେରିବା ପରେ ଶବ ବ୍ୟବଛେଦ ଲାଗି ନିଆଯିବ।