୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।

କୁମ୍ଭ: ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶନି ଦ୍ୱିତୀୟ ଏବଂ ଜୁନ୍ ମାସ ୧ ତାରିଖ ପର୍ଯ୍ୟନ୍ତ ବୃହସ୍ପତି ପଞ୍ଚମ ଭାଗରେ ରହୁଥିବାରୁ କୁମ୍ଭ ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି, ବେପାର, ବଣିଜ ଓ କର୍ମରେ ଉନ୍ନତି ଆସିବ । ଯଶ, ସମ୍ମାନ ପ୍ରାପ୍ତି ହେବ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ବ୍ୟବସାୟୀମାନଙ୍କର ଆୟ ଉତ୍ତମ ହେବ ଏବଂ ବ୍ୟବସାୟ କର୍ମରେ ଦୂରସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟ ପ୍ରତିଷ୍ଠାନର ଜ୍ଞାନ, ଗରିମା ବୃଦ୍ଧି ପାଇବ ଏବଂ ସମସ୍ତ କର୍ମରେ ସଫଳତାର ଶୀର୍ଷରେ ରହିବେ । କର୍ମଜୀବୀମାନେ କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ ଏବଂ ପ୍ରମୋଶନ ପାଇବାରେ ସମର୍ଥ ହେବେ । ନିଯୁକ୍ତି ଆଶାୟୀମାନେ ଉତ୍ତମ ସ୍ଥାନରେ ନିଯୁକ୍ତି ପାଇବେ । ଅବିବାହିତ ପୁଅଝିଅମାନଙ୍କର ବିବାହ କର୍ମ ସମ୍ପାଦିତ ହେବ ଏବଂ ପ୍ରେମରେ ଥିବା ପୁଅଝିଅମାନଙ୍କର ସମ୍ପର୍କରେ ସୁଧାର ଆସିବ । ଶିକ୍ଷାର୍ଥୀମାନେ ଶିକ୍ଷାରେ ନିପୁଣତା ହାସଲ କରିବେ ଏବଂ ଉଚ୍ଚ ପ୍ରଶଂସିତ ହେବେ । କ୍ରୀଡ଼ାବିତ୍ମାନେ ଦେଶ, ଜାତି ପାଇଁ ସମ୍ମାନ ଆଣିବେ ଏବଂ ସେମାନଙ୍କର ଆୟରେ ଆଖିଦୃଶିଆ ଅଭିବୃଦ୍ଧି ଘଟିବ । ଗୃହିଣୀମାନେ ସମସ୍ତଙ୍କର ମନ ଜିଣିବାରେ ସମର୍ଥ ହେବେ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ ।

ଜୁନ୍ ମାସ ୧ ତାରିଖ ପରେ ବୃହସ୍ପତି ଷଷ୍ଠ ହେଉଥିବାରୁ କୁମ୍ଭ ରାଶିର ସବୁ ବର୍ଗର ବ୍ୟକ୍ତିମାନେ ରୋଗ, ଋଣ, ଦୁଃଖ, ଶୋକ, ମାନସିକ ଅବସାଦ ଭୋଗିବେ ଏବଂ ଆର୍ଥିକ ଠକାମିରେ ପଡ଼ିବେ । ଅକ୍ଟୋବର ୩୦ ତାରିଖ ପରେ ବୃହସ୍ପତି ପୁନଶ୍ଚ ସପ୍ତମ ହେଉଥିବାରୁ ସବୁ ବର୍ଗର ବ୍ୟକ୍ତିମାନେ ସମସ୍ତ କ୍ଷେତ୍ରରେ ଶୁଭଫଳ ପାଇଲେ ମଧ୍ୟ ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ପୀଡ଼ା ଭୋଗିବେ । ଶୁଭ ରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୩, ଆରାଧନା : ମା’ କାଳୀ ।