ଭୁବନେଶ୍ୱର,୩୧/୦୫: ଓଡ଼ିଶାରେ ପ୍ରତ୍ନତାତ୍ତ୍ୱିକ ଖନନ ବନ୍ଦ । ଖନନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବିରାମ ଦିଆଯାଇଛି । ଯଦିଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଗତବର୍ଷ ରତ୍ନଗିରିଠାରେ ଖନନ କରିଥିଲା, କିନ୍ତୁ ତା’ପରେ କୌଣସି ନୂଆ ପ୍ରସ୍ତାବ ଆସିନାହିଁ । ୨୦୨୩-୨୪ରୁ ସବୁକିଛି ଅଟକିଯାଇଛି । ଯାହା ଚାଲିଛି ସବୁ ପୁରୁଣା । ଆଉ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ କେବଳ ସଂରକ୍ଷଣରେ ମାତିଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।
ଦୀର୍ଘ ୩୫ ବର୍ଷରୁ ଊଦ୍ଧ୍ୱର୍ ସମୟ ହେବ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରତ୍ନତାତ୍ତ୍ୱିକ ଖନନ କରିନାହିଁ । ବିଭାଗରେ ଲୋକ ନାହାନ୍ତି । ବିଭାଗୀୟ ଅଧୀକ୍ଷକଙ୍କର କାର୍ଯ୍ୟକାଳ ପୁଣି ଏଇ ମାସରେ ସରୁଛି ।ଆଜି ସେ ସରକାରୀ ଚାକିରିରୁ ଅବ୍ୟାହତି ନେଉଛନ୍ତି । ବାକି ଉତ୍କଳୀୟ ନୌବାଣିଜ୍ୟ ନାମକ ସଂସ୍ଥା କିଛି କିଛି ଖନନ କାର୍ଯ୍ୟ କରୁଥିଲା, ତାହାର ବି ସଚିବ ନାହାନ୍ତି । ଉକ୍ତ ପଦ ଗତ ଫେବ୍ରୁଆରୀରୁ ଖାଲି ପଡ଼ିଛି । ଏସବୁ କଥାକୁ ବୁଝିବା ପାଇଁ ୨୦୨୩ ଅକ୍ଟୋବର ୧୯ ତାରିଖରେ ସରକାର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ପ୍ରତିଷ୍ଠାକୁ ମଞ୍ଜୁରି ଦେଇ କ୍ୟାବିନେଟ୍ରେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ବି ପୂରା ହୋଇପାରିଲା ନାହିଁ ।
ଦେଢ଼ ବର୍ଷ ହେଲା ନିର୍ଦ୍ଦେଶାଳୟ ପ୍ରତିଷ୍ଠା ପାଇଁ କେବଳ ଯୋଜନା ଚାଲିଛି । ଲୋକ ନ ଥିବାରୁ କାମ ହେଉନି ଆଉ ଆସୁଥିବା ଟଙ୍କା ଖର୍ଚ୍ଚ ନ ହୋଇ ଫେରୁଛି । ୨୦୨୪- ୨୫ରେ ୧୫ କୋଟି ଫେରିଗଲା । ଏଥର ସରକାର ୨୦୨୫-୨୬ରେ ସରକାର ରାଜ୍ୟ ପ୍ରତ୍ନତତ୍ତ୍ୱକୁ ୧୫ କୋଟି ଏବଂ ସ୍ମାରକୀ, ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୧୦ ଟଙ୍କା ବରାଦ କରିଛନ୍ତି । କିନ୍ତୁ ଏ ବର୍ଷ ବି ଆସିଥିବା ଟଙ୍କାରେ ଏଯାଏଁ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏ ସମ୍ପର୍କରେ ପଚାରିଲେ ବିଭାଗୀୟ ଅଧିକାରୀ ଚୁପ୍ ।
ଗବେଷକଙ୍କ ମତରେ, ଓଡ଼ିଶାରେ ପ୍ରତ୍ନତାତ୍ତ୍ୱିକ ଖନନ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଶିଶୁପାଳଗଡ଼ରୁ ଆରମ୍ଭ ହୋଇ ଗଞ୍ଜାମର ଜଉଗଡ଼, ରତ୍ନଗିରି ବୌଦ୍ଧସ୍ଥଳୀ ଓ ବଇଦିପୁର, ଶଙ୍କରଜଙ୍ଗ ଆଦି ପ୍ରାଗ୍ ଐତିହାସିକସ୍ଥଳୀରେ ୮୦ ଦଶକରେ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଏହି ସମୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କୋଣାର୍କ ନିକଟସ୍ଥ କୁରୁମ, ସାଲେପୁରର ବ୍ରହ୍ମାବଣ, ଜୟଦେବ କେନ୍ଦୁଲି ପୀଠ ଓ ଖୋର୍ଦ୍ଧାର ବଙ୍କାଡ଼ଗଡ଼ଠାରେ ଖନନ କାର୍ଯ୍ୟ ହୋଇଥିଲା । ବିଭାଗ ଦ୍ୱାରା ୧୯୯୦- ୯୧ ପର୍ଯ୍ୟନ୍ତ କିଛି କିଛି ହେଉଥିଲା, ତା’ପରଠୁ ଆଉ ନାହିଁ । ମାତ୍ର ୯୦ ଦଶକରେ ଏଏସ୍ଆଇ ଦ୍ୱାରା କଟକର ବାରବାଟୀ ଦୁର୍ଗ, ଉଦୟଗିରି, ଲଳିତଗିରି ବୌଦ୍ଧସ୍ଥଳୀ, ଶିଶୁପାଳଗଡ଼, ଗୋଳବାଇସୁଆବରେଇ ତାମ୍ର ପୋଷଣସ୍ଥଳୀର ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇ ବହୁ ନୂଆ ତଥ୍ୟ ସହ ଓଡ଼ିଶା ପର୍ଯ୍ୟଟନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରାଯାଇଥିଲା । ଏତଦ୍ ବ୍ୟତୀତ ରାଜ୍ୟ ସଂସ୍କୃତି ବିଭାଗ ଅଧୀନ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ, ପୁନେ ସ୍ଥିତ ଡେକାନ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ଓ ନୃତତ୍ତ୍ୱ ବିଭାଗ, ରେଭେନ୍ସା, ସମ୍ବଲପୁର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଦ୍ୱାରା ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ହୋଇଛି ।
ଏ ସମସ୍ତ ଭିତରେ ଉତ୍କଳୀୟ ନୌବାଣିଜ୍ୟ ସଂସ୍ଥା ମାଣିକପାଟଣା, ପାଲୁର ଓ ବାଲେଶ୍ୱରର ଓଳାନ୍ଦଜ ସାହି ନୌବାଣିଜ୍ୟସ୍ଥଳୀର ଖନନ କାର୍ଯ୍ୟ କରିଛି । ଏହା ସହ ସଂସ୍ଥା ଦ୍ୱାରା ଯାଜପୁରର ରାଧାନଗର ଓ ବାଲେଶ୍ୱରର ଦୁର୍ଗାଦେବୀ ପ୍ରାଚୀନ ସହରର ଓ ଲାଙ୍ଗୁଡ଼ି, କାଏମା, ଦେଉଳି, ବଜ୍ରଗିରି ଓ ଜଟଣୀ ଆରାଗଡ଼ ବୌଦ୍ଧସ୍ଥଳୀର ଖନନ କରିଛି । ଏଠାରୁ ମିଳିଥିବା ବସ୍ତୁକୁ ରାଜ୍ୟ ସଂଗ୍ରହାଳୟରେ ନୌବାଣିଜ୍ୟ ଗ୍ୟାଲେରୀ ଓ ଚଣ୍ଡୀଖୋଲ ନିକଟ ତରାପୁରଠାରେ ଏକ ଶାଖା ସଂଗ୍ରହାଳୟ ପ୍ରତିଷ୍ଠା କରି ରଖାଯାଇଛି ।
ସୂଚନାଯୋଗ୍ୟ, ୧୯୬୫ରୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦୀର୍ଘ ୬୦ ବର୍ଷ ଧରି କାର୍ଯ୍ୟ କରିଆସୁଛି । ଓଡ଼ିଶା ପ୍ରାଚୀନ ସ୍ମାରକୀ ସଂରକ୍ଷଣ ଆଇନ୍-୧୯୫୬ ଅନୁଯାୟୀ ବିଭାଗ ପକ୍ଷରୁ ୨୨୨ରୁ ଅଧିକ ସ୍ମାରକୀ ଓ ଐତିହ୍ୟସ୍ଥଳର ସଂରକ୍ଷଣ, ସୁରକ୍ଷା ଓ ସର୍ଭେ କରାଯାଇଛି ।