ଭୁବନେଶ୍ୱର ୨୬/୦୩: ପରୀକ୍ଷା ସମୟରେ ପିଲାମାନେ ରାତି ଅନିଦ୍ରା ହେବା ହାନିକାରକ ହୋଇପାରେ । ଗବେଷଣାରୁ ଜଣାପଡିଛି ଯେ ପର୍ଯ୍ୟାପ୍ତ ନିଦ ନ ନେବା ଦ୍ୱାରା ୨୦ରୁ ୪୦ ପ୍ରତିଶତ ଯାଏ ସ୍ମରଣ ଶକ୍ତି କିମିଥାଏ । ଜାଣନ୍ତି କି ପରୀକ୍ଷାରେ ସଫଳତା ପାଇଁ ନିଦ ଜରୁରି? ପ୍ରାୟ ପିଲା ପଢା ଚକ୍କରରେ ନିଦକୁ ବଳି ଦେଇଥାନ୍ତି, କିନ୍ତୁ ଏହା ଉଭୟ ସ୍ୱାସ୍ଥ୍ୟ ଓ ମସ୍ତିଷ୍କ ଉପରେ କ୍ଷତି ପହଞ୍ଚାଇଥାଏ ବୋଲି ଗବେଷଣାରୁ ଜଣାପଡିଛି ।

୨୦୨୧ରେ ସାଇକୋଲୋଜିକାଲ୍ ବୁଲେଟିନ୍ ଜର୍ଣ୍ଣାଲ୍ରେ ପ୍ରକାଶିତ ଏକ ସର୍ଭେ ଅନୁସାରେ ଯଦି ପଢିବା ପରେ ଠିକ୍ ଭାବେ ଆବଶ୍ୟକ ନିଦରେ ନ ଶୁଅନ୍ତି, ତେବେ ପଢିଥିବା ଜିନିଷ ଭିତରୁ ପ୍ରାୟ ୨୦ରୁ ୪୦ ପ୍ରତିଶତ ଯାଏ କମ୍ ମନେ ରହିଥାଏ । ତେଣୁ ମସ୍ତିଷ୍କକୁ ଆରାମ ଦେବା ଖୁବ୍ ଜରୁରି । ଫଳରେ ସ୍ମରଣ ଶକ୍ତି ତୀବ୍ର ହେବା ସହ ପରୀକ୍ଷାରେ କମ୍ ଭୁଲ୍ ହେବାର ଆଶଙ୍କା ରହିଥାଏ । ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ହେଲେ କେବଳ ପଢା ନୁହେଁ, ଭଲ ନିଦ ମଧ୍ୟ ଜରୁରି । ଅନ୍ୟ ଏକ ଗବେଷଣାରୁ ଜଣାପଡିଛି ଯେ ଭଲ ନିଦରେ ଶୋଇବା ଦ୍ୱାରା ପଢିଥିବା ପାଠ ବହୁ ଦିନଯାଏ ମନେ ରହିଥାଏ । ନିଦର ଅଭାବ ରହିଲେ ମସ୍ତିଷ୍କ ସମସ୍ତ ତଥ୍ୟକୁ ମନେ ରଖିବାକୁ ସମୟ ପାଇ ନଥାଏ । ଫଳରେ ପିଲା ତା’ ପର ଦିନକୁ ପଢିଥିବା ପାଠର ଅଧାରୁ ଅଧିକ ଭୁଲିଯାଇଥାଏ ।

ରାତିରେ ଡେରିଯାଏ କାହିଁକି ଅନିଦ୍ରା ରୁହେ ପିଲା?

ମୋବାଇଲ୍ ଓ ଇଣ୍ଟରନେଟ୍ର ପ୍ରଭାବ ପିଲାଙ୍କ ଉପରେ ଅଧିକ ଦେଖିବାକୁ ମିଳିଥାଏ । ଆଜିକାଲି ସୋସିଆଲ୍ ମିଡିଆରେ ଆସୁଥିବା ଲଗାତାର ନୋଟିଫିକେସନ୍ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପଡିଛି । ଏହା ପିଲାଙ୍କ ଧ୍ୟାନକୁ ଭାଙ୍ଗିବାର କାମ କରିଥାଏ । ଫଳରେ ପିଲାର ସ୍ଲିପ୍ ସାଇକେଲ୍ ବିଗିଡ଼ି ଚାଲେ । ସ୍ଲିପ୍ ସାଇକେଲ୍ ବିଗିଡ଼ିବା ଦ୍ୱାରା ପିଲାକୁ ଡେରିରେ ଶୋଇବା ସହଜ ଲାଗିଥାଏ ।

ଏହାବ୍ୟତୀତ ପରୀକ୍ଷା ସମୟରେ ପ୍ରାୟ ପିଲା ଡେରିଯାଏ ପଢିବା ପାଇଁ ରାତିରେ କଫି ବା ଏନର୍ଜି ପାନୀୟର ସାହାରା ନେଇଥାନ୍ତି । ଆରମ୍ଭରେ ଏହା ଖୁସି ଦେଇଥାଏ, କିନ୍ତୁ ପରେ ଲଗାତାର ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଓ ନିଦ ଉଭୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ଆହୁରି ପଢ଼ନ୍ତୁ...ବ୍ରେକ୍ ଅପ୍ ପରେ ଉଦାସ ରହୁଛନ୍ତି କି ? ଜାଣନ୍ତୁ କେମିତି କରିବେ ମୁଭ୍ ଅନ୍

ନିଦ କାହିଁକି ଜରୁରି?

କିଶୋରବସ୍ଥା ଏମିତି ଏକ ସମୟ, ଯେଉଁ ସମୟରେ ପିଲାମାନେ ନୂଆ ନୂଆ ଜିନିଷ ଶିଖିବା ଓ ବୁଝିବା ପାଇଁ ମସ୍ତିଷ୍କର ବିକାଶ ଜରୁରି ହୋଇଥାଏ । ତେଣୁ ଭରପୂର ନିଦ ଆବଶ୍ୟକ । କାରଣ ଶାନ୍ତିରେ ଶୋଇବା ଦ୍ୱାରା ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ଶାନ୍ତ ପଡିଯାଇଥାଏ । ଫଳରେ ଦିନରେ ମସ୍ତିଷ୍କ ସମସ୍ତ ଜିନିଷକୁ ନିଜ ଭିତରେ ଷ୍ଟୋର କରବା ସହଜ ହୁଏ ।